bjp slams bjd's press meet over Pitabash Panda Murder Case
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଡ଼ ଯତୀନ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ । ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ ଅପରିପକ୍ୱତାର ପରିଚୟ ପ୍ରଦାନ କରିଛି । ତଦନ୍ତ ପ୍ରକ୍ରିୟା ଜାରି ରହିିଛି ଏବଂ ସମସ୍ତେ ଏହି ନ୍ୟାୟର ପ୍ରକ୍ରିୟାରେ ସହଯୋଗ କରିବା ଉଚିତ । ଅସାମାଜିକ ତତ୍ୱ ତଥା ଅପରାଧିଙ୍କ କୈାଣସି ଜାତି ବା ଧର୍ମ ନାହିଁ । ଯେଉଁମାନଙ୍କ ସମ୍ପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ । ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡବିଧାନ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଠିକ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କୁ ଦଣ୍ଡ ମିଳିବା ସୁନିଶ୍ଚିତ ବୋଲି ଡ.ମହାନ୍ତି କହିଛନ୍ତି ।
 
ଗତ ୬ ତାରିଖ ଦିନ ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାର ରହସ୍ୟ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଘଟଣା ସଂପର୍କରେ ସୁଚନା ଦେଇ ଆଜି ବ୍ରହ୍ମପୁର ଏସପି ଗଣମାଧ୍ୟମ ସମ୍ମୁଖରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି ।
 
ଅନ୍ୟ ପଟେ ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ ଅପରିପକ୍ୱତାର ପରିଚୟ ପ୍ରଦାନ କରିଛି । ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ରମାନେ ଦର୍ଶାଇଛନ୍ତି ଯେ, ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇ ନାହିଁ । ନିଜ ଦଳର ଅସାମାଜିକ ତତ୍ୱ ତଥା ଅପରାଧିମାନଙ୍କର ସଂପୃକ୍ତି ସମ୍ବନ୍ଧରେ ନିଜ ସଫେଇ ଦେବା ସହିତ ବିଜେଡି ପ୍ରବକ୍ତାମାନେ ଅନେକ ଗମ୍ଭୀର ଆରୋପ କରିଛନ୍ତି, ଯାହା ତାଙ୍କର ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।
 
ଶାସନରେ ଥିଲାବେଳେ ବିଜୁ ଜନତା ଦଳର ନେତା, ବିଧାୟକ, ମନ୍ତ୍ରୀମାନେ ହତ୍ୟା, ଧର୍ଷଣ, ଅଙ୍ଗ ତସ୍କରୀ ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ ଏବଂ ଅପରାଧିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା । ଆଜି ବି ସେ ଅଭ୍ୟାସ ଛାଡି ନାହାନ୍ତି ଏବେ ବି ବିଜେଡି ନେତାମାନେ ରାଜ୍ୟରେ ହତ୍ୟା, ଧର୍ଷଣ ଭଳି ଅପରାଧ ଚଳାଇଛନ୍ତି । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ହତ୍ୟା ହେଉଛି ଏହାର ସଦ୍ୟ ଉଦାହରଣ ବୋଲି ସେ କହିଛନ୍ତି ।
 
ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ପ୍ରବକ୍ତାମାନେ ନିଜେ ଜଜ୍ ଏବଂ ପୋଲିସ ସାଜି ଶବ ଉପରେ ରାଜନୀତିର ନଗ୍ନ ରୂପ ପ୍ରକାଶ କରୁଥିଲେ । ମାତ୍ର ସେମାନେ ମନେ ରଖିବା ଉଚିତ ଯେ, ଗତ ୨୪ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଅପରାଧୀମାନଙ୍କ ପ୍ରାଦୁର୍ଭାବ ବଢିଥିଲା । ଅସାମାଜିକ ତତ୍ୱମାନଙ୍କୁ ତତ୍କାଳୀନ ବିଜେଡି ସରକାର ପ୍ରୋତ୍ସାହନ ଦେବା ସହ ରାଜନୀତିରେ ବ୍ୟବହାର କରୁଥିଲେ । ଆଇନଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ସବୁବେଳେ ସମ୍ବେଦନଶୀଳ ଜିଲ୍ଲା ହୋଇରହିଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସେହି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ ।
 
ଆଇନଜୀବି ପୀତବାସ ପଣ୍ଡା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୋଲିସ ଯାହା କହିଛି ତାହାକୁ ନ୍ୟାୟାଳୟରେ ପ୍ରମାଣ କରିବାକୁ ପଡିବ । ବିଚାର ପରସରକୁ ସମସ୍ତେ ଆସିବେ । ତଦନ୍ତ ସମୟରେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଅପରିପକ୍ୱତାର ପରିଚୟ ଦେଉଛି । କେବଳ ଅଭିଯୋଗ କଲେ ହେବ ନାହିଁ । ଯାହା ପାଖରେ ଯାହା ସୂଚନା ଓ ତଥ୍ୟ ଅଛି, ତାହା କୋର୍ଟରେ ଦେଇପାରିବେ । ମାତ୍ର ଏଭଳି ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।
 
ସତ୍ୟକୁ ହଜମ କରିପାରୁନି ବିଜେଡି । ନିଜ ଦଳର ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଓ ଗିରଫ ପରେ ବିଜେଡିର ଚରିତ୍ର ଧରାପଡିଯାଇଛି । ନିଜ ଅପରାଧକୁ ଲୁଚେଇବା ପାଇଁ ଅପଚେଷ୍ଟା ନକରି ପୋଲିସର ତଦନ୍ତକୁ ବିଜେଡି ସହଯୋଗ କରୁ ବୋଲି ଡ. ମହାନ୍ତି କହିଛନ୍ତି ।
 
ଏହି ଅବସରରେ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *