ସରକାରଙ୍କୁ କାହିଁକି କେଜାଣି ସମସ୍ତେ ଭାରି ହାଲୁକାରେ ନଉଛନ୍ତି । ଶଙ୍ଖ ସରକାର ଅମଳରେ ସମସ୍ତଙ୍କ ଭିତରେ ଡର ଏମିତି ବରଫ ଭଳି ଜମାଟ ବାନ୍ଧି ଯାଇଥିଲା ଯେ ନବୀନ ବାବୁଙ୍କ କଥା ଛାଡନ୍ତୁ, କେଉଁ ଅଫିସରଙ୍କୁ ନେଇ କେହି ଗମାତ କରିପାରୁଥିଲା କି ? ଲୋକ ସରକାର ଆସିବା ପରେ କିଛି ଲୋକ ଭାବିଲେଣି ଆମେ ଯାହା ମନ୍ତ୍ରୀ ବି ସେଇଆ ।

ନିକଟରେ ତ ଦେଖିଲେ କଟକ ଜିଲାପାଳ ବାବୁ ସିନ୍ଦେ କେମିତି ମୋହନ ଭାଇଙ୍କୁ ହାଲୁକାରେ ନେଇଥିଲେ । ଗୋଟିଏ ପ୍ରଦୂଷଣ ରହିତ ଗାଡିରେ ବସ୍ତା ଭଳି ସମସ୍ତଙ୍କୁ ଭର୍ତ୍ତି କରିଦେଲେ । ତା’ ଭିତରେ ଥିଲେ ମୋହନ ଭାଇ। ଦୁଃଖରେ ଓ ପୀଡାରେ ସିଏମଙ୍କୁ ଚାଲିଚାଲି ଯିବାକୁ ପଡିଲା । ଏବେ ଘରୋଇ କମ୍ପାନୀଗୁଡିକ ମଧ୍ଯ ଧରି ନେଲେଣି ଯେ, ଆମ ମନ୍ତ୍ରୀମାନେ ମଧ୍ୟ ଭାରି ହାଲୁକା।

ଗୋଟିଏ ବଡ ହୋଡିଂ ଆମ ନଜରକୁ ଆସିଛି । ହୋଡିଂଟି ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ବିଜ୍ଞାପନ କରୁଚି। ହୃଦରୋଗ ଚିକିତ୍ସାରେ ଏହି ହସ୍ପିଟାଲଟି କୁଆଡେ ରାଜ୍ୟରେ ନମ୍ବର ଓ୍ୱାନ । ଘରୋଇ ହସ୍ପିଟାଲ ଭିତରେ ତ ପ୍ରତିଯୋଗିତା ହେଇନି। କିଏ କଉଁଥରେ ନମ୍ବର ଓ୍ୱାନ ଲୋକେ ଜାଣିବେ କେମିତି ? ସେଥ‌ିପାଇଁ ନିଜ ପିଠି ଥାପୁଡେଇ ପ୍ରଚାର କରିଦେଲେ କଥା ସରିଲା । ସୋମବାର ଭୁବନେଶ୍ୱର ଏମ୍ସ ଜଣେ ଯୁବକଙ୍କୁ ମୃତ୍ୟୁ ଜଗତରୁ ଫେରେଇ ଆଣିଲେ। ଏକଥା ସମସ୍ତେ ପ୍ରଚାର କଲେ । କିନ୍ତୁ ହାଇଟେକର ପ୍ରଚାର ଟିକିଏ ହାଇଟେକ।

ହୋଡ଼ିଂ ଲାଗିଚି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓଙ୍କ ଫଟୋ । ହୃଦରୋଗ ଚିକିତ୍ସା ସହ ଏହି ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କର କି ସମ୍ପର୍କ ଅଛି ବୁଝି ହଉନି । କିନ୍ତୁ ଲାଗିଚି ସାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଫଟୋ । ସତେ ଯେମିତି ମହାଲିଙ୍ଗ ବାବୁ ମାନୁଛନ୍ତି ଯେ, ରାଜ୍ୟରେ ହୃଦରୋଗ ଚିକିତ୍ସାରେ ଏହି ଘରୋଇ ହସ୍ପିଟାଲର ସ୍ଥାନ ଏକନମ୍ବର । ଏଥିପାଇଁ ଦୁଇ ଉପ- ମୁଖ୍ୟମନ୍ତ୍ରୀ ଓ ସାସ୍ଥ୍ୟମନ୍ତ୍ରୀ ଅନୁ ମତି ଦେଇଥିଲେ କି ଫଟୋ ଲଗାଇବାକୁ ? ଜଣାପଡ଼ୁଛି ପଦ୍ମ ମନ୍ତ୍ରୀମାନଙ୍କୁ ଭାରି ହାଲୁକାରେ ନେଇଚନ୍ତି ତିରୁପତି ଏଣ୍ଡକୋ। ଅତି ଉଚ୍ଚକୋଟିର ଭାବପୀରତି ବି ଥାଇପାରେ।

ଚିଟଫଣ୍ଡ ଲୁଟେରା କମ୍ପାନୀଗୁଡିକ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ଶଙ୍ଖ ମନ୍ତ୍ରୀମାନଙ୍କର ଏମିତି ଫଟୋ ଛାପୁଥିଲେ । ଏମାନଙ୍କୁ ଦେଖି ଲୋକେ ଲଣ୍ଡା ହବା ପାଇଁ ଚିଟଫଣ୍ଡରେ ପଇସା ଖଟେଇଥିଲେ। ବୋଧେ ସେହି ଧାରା ଧରିଛନ୍ତି ପଦ୍ମ ମନ୍ତ୍ରୀମାନେ । ଅଭିନେତାମାନେ ଯେମିତି ବିଜ୍ଞାପନରେ ଫଟୋ ଦଉଚନ୍ତି ନେତାମାନେ ଦେଲେ କ’ଣ ଅଡୁଆ ଯେ ?

Leave a Reply

Your email address will not be published. Required fields are marked *