BJP Govt will work to Solve all Problems Of The People-manmohan samal
ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର କାର୍ଯ୍ୟ କରିବ ବୋଲି ସାମଲ କହିଛନ୍ତି ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱାଧୀନତାର ୭୮ ବର୍ଷ ପରେ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି । ସରକାର ପରିବର୍ତନ କରିବାରେ ସମସ୍ତଙ୍କ ଯୋଗଦାନ ରହିଛି । ଏଥିରେ ଯାଜପୁର ଜିଲ୍ଲାର ଭୂମିକା ସବୁଠାରୁ ଆଗରେ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଏବେ ଲୋକଙ୍କ ସରକାର ଚାଲିଛି । ପୂର୍ବରୁ କଂଗ୍ରେସ, ବିଜେଡି ସରକାର ଓଡ଼ିଶାର ଜନସାଧାରଣଙ୍କୁ ଲୁଟି ଚାଲିଥିଲେ । ଏପରିକି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ମଧ୍ୟ କରିପାରି ନ ଥିଲେ ବୋଲି ସାମଲ କହିଛନ୍ତି ।
 
ଯାଜପୁର ଜିଲ୍ଲା ହେଉଛି ସମ୍ଭାବନାର ଜିଲ୍ଲା । ଏଠାରେ ଖଣିଖାଦନ ଭରପୁର ରହିଛି। ନଦୀଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ସବୁ ସୁବିଧା ରହିଛି। ଯାଜପୁର ଜିଲ୍ଲାର କଳିଙ୍ଗ ନଗରରେ ଅନେକ ଶିଳ୍ପସଂସ୍ଥା ରହିଛି । ଏଠାରେ କୃଷିଭିତିକ ଶିଳ୍ପଠାରୁ ଆରମ୍ଭ କରି ଓ ପର୍ଯଟନ ଶିଳ୍ପର ବିକାଶ ହୋଇପାରିବ। ଏହି ଜିଲ୍ଲାକୁ ୧ ନଂମ୍ବର କରି ଗଢ଼ି ତୋଳିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସାମଲ କହିଛନ୍ତି ।
 
ସେହିପରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିସହ ୨୦୪୭ରେ ବିକଶିତ ଭାରତ ଗଠନରେ ଓଡ଼ିଶାର ଯେପରି ସବୁଠାରୁ ଅଧିକ ଯୋଗଦାନ ଦେଇପାରିବ ସେଥିପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
 
ଆଜି ସକାଳେ ରାଜ୍ୟ ସଭାପତି ସାମଲ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରି ରାଜ୍ୟର କଲ୍ୟାଣ ଓ ଉନ୍ନତି ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ଗ୍ରହଣ କରିଥିଲେ ।ଏହାପରେ ସଠିପୁର, ଯାଜପୁର ଟାଉନ, ବିଂଝାରପୁର, ବରହଟା ଛକ, ଦଶରଥପୁର, ନନ୍ଦିପୁରରେ ଅନୁଷ୍ଠିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଂଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଶରଥପୁର ବ୍ଳକ ପୂୂର୍ବତନ ଉପାଧ୍ୟକ୍ଷ ବିଷ୍ଣୁଚରଣ ମହାପାତ୍ରଙ୍କ ସମେତ ବିଜେଡି ଓ କଂଗ୍ରେସର ବହୁ ସରପଞ୍ଚ, ସମିତି ସଭ୍ୟ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ । 
 
ଗତକାଲି ଯାଜପୁର ଜିଲା ଗସ୍ତରେ ଆସି ଧର୍ମଶାଳା ସମେତ ବରୀ, ପାଣିକୋଇଲିରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ସାମଲ ଯାଜପୁର ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
BJP Govt will work to Solve all Problems Of The People-manmohan samal
 

By Nirvay

Leave a Reply

Your email address will not be published. Required fields are marked *