ଆଉ ୧୫ ଦିନ ପରେ ଓଡ଼ିଶାର ଭାଜପା ସରକାର ବର୍ଷେ ପୂରଣ କରିବ । ୨୪ ବର୍ଷର ଗୋଟିଏ ସରକାରକୁ ୫ ଥର ସୁଯୋଗ ଦେବା ପରେ, ୨୦୨୪ରେ ଓଡ଼ିଶାର ଲୋକେ ତାକୁ ହଟାଇ ଦେଲେ । ବିଜୁ ଜନତା ଦଳ ସରକାରର ଅହଙ୍କାର, ଲୋକଙ୍କଠାରୁ ଦୂରେଇବା ଏବଂ ଅଥର୍ବ ନେତୃତ୍ବ ଏଥିପାଇଁ ଦାୟୀତ ଥିଲା । ଜଣେ ସରକାରୀ ଅଧିକରୀଙ୍କ ମହତ୍ୱାକାଂକ୍ଷା ଓ ସମସ୍ତ ଓଡିଆଙ୍କୁ ଅଧସ୍ତନ କରି ରଖିବାର ମାନସିକତା ମଧ୍ୟ ଲୋକଙ୍କୁ ବିମୁଖ କରିଥିଲା । ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା । ତେଣୁ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ଅନ୍ୟ ବରିଷ୍ଠ ନେତୃବୃଦଙ୍କ ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାର ଆହ୍ଵାନ ଏବଂ ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପର ପ୍ରତିଶ୍ରୁତି ଲୋକଙ୍କୁ ଛୁଇଁଲା ଓ ଲୋକେ ସରକାରରେ ପରିବର୍ତ୍ତନ ଆଣିଲେ। କୌଣସି ସାଂସଦଙ୍କୁ ବା ନିର୍ବାଚିତ ହୋଇ ନଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ଚାହିଁ ନଥିଲା । ଶେଷକୁ କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଚାରିଥରର ବିଧାୟକ ମୋହନ ଜଣା ଥିଲେ, ଜଣେ ସହଜ ସରଳ ଗ୍ରହଣଯୋଗ୍ୟ ବ୍ୟକ୍ତି ହିସାବରେ। ମନ୍ତ୍ରୀମଣ୍ଡଳ ଗଠିତ ହେଲା ଅପୂର୍ଣ ହୋଇ । ବର୍ଷକ ପରେ ମଧ୍ୟ ୬ଟି ସ୍ଥାନ ଖାଲି ରହିଛି, ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି। ସରକାର ବର୍ଷେ ପୂରଣ କରିବାକୁ ଯାଇଥିବାବେଳେ, ସମୟ ଆସିଛି ମୂଲ୍ୟାୟନର । ସ୍ୱାଧୀନତା ପରେ ଓଡିଶାରେ ପ୍ରଥମ ଥର ପାଇଁ ଗଠିତ ସରକାର କିଭଳି ଚାଲିଛି, କେନ୍ଦ୍ରର ଭାଜପା ନେତୃତ୍ବ ତା’ର କେତେ ପର୍ଯ୍ୟାଲୋଚନା କରିଛନ୍ତି ଜଣା ନାହିଁ, କିନ୍ତୁ ଲୋକେ ଓ ରାଜନୀତିକ ସମୀକ୍ଷକମାନେ ସରକାରର କାର୍ଯ୍ୟାବଳୀକୁ ସମୀକ୍ଷା କରି ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ଏହାର କାରଣ ଗୁଡିକ ହେଲା:- (୧) ସୁଭଦ୍ରା ଓ ଧାନ ପାଇଁ ଇନ୍ପୁଟ ସବସିଡି ସହାୟତା ସତ୍ତ୍ୱେ, ସରକାର ବୃହତ ଲୋକ ସ୍ୱାଥ ପ୍ରତି ସଚେତନ ନୁହଁନ୍ତି। (୨) କେଉଁଠାରେ କିଛି ଘଟୁନାହିଁ, କିଛି ହେଇନାହିଁ । ରାସ୍ତାଘାଟ, ବିଜୁଳି, ପିଇବା ପାଣି, ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ କିଛି ବି ଆଖିଦୃଶିଆ ଉନ୍ନତି ଘଟିନାହିଁ । (୩) ଲୋକଙ୍କ ସର୍ବନିମ୍ନ ସୁବିଧା ସୁଯୋଗ ପ୍ରତି ଦୃଷ୍ଟି ଦିଆଯାଇ ନାହିଁ । ୪) ନିଯୁକ୍ତି ନିମନ୍ତେ ନୀତି ନାହିଁ, ରୋଜଗାରର ସୁଯୋଗ ସୃଷ୍ଟି କରାଯାଇ ନାହିଁ। ଏମିତି ବି ଯୁବଗୋଷ୍ଠୀଙ୍କ ପାଇଁ କିଛି ହୋଇନାହିଁ। (୫) କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ମନ୍ତ୍ରୀ ଓ ବିଧାୟକମାନଙ୍କର ଲୋକ ସମ୍ପର୍କ ନାହିଁ । ସାଂସଦମାନେ ପ୍ରାୟତଃ ନିରବ । ହୁଏତ ସେମାନଙ୍କୁ ସରକାରୀ କାର୍ଯ୍ୟରେ ସାମିଲ ହିଁ କରାଯାଇ ନାହିଁ । (୬) ବର୍ଷେ ବିତିବାକୁ ଯାଇଥିବାବେଳେ ମନ୍ତ୍ରୀମଣ୍ଡଳ ବ୍ୟତୀତ ଦଳର ଆଉ କାହାକୁ କୌଣସି ସରକାରୀ ପଦପଦବୀ ମିଳିନାହିଁ । (୭) ଦଳୀୟ ସଂଗଠନ ଓ ସରକାର ଭିତରେ କୌଣସି ସମନ୍ବୟ ନାହିଁ ଏବଂ ଏହି ଦୁଇଟି ଅଂଶ ଭିତରେ ପାର୍ଥକ୍ୟ ତଥା ଦୂରତ୍ବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। (୮) ସରକାର ଭିନ୍ନ ଭିନ୍ନ ଦିଗରେ ଚାଲିଛି। କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା କିମ୍ବା ନୀତି ବିନା କେବଳ ସମୟ ଅତିବାହିତ ହେବା ଭଳି ଜଣା ପଢୁଛି। (୯) ପୂର୍ବ ବିଜୁ ଜନତା ଦଳର ସବୁ ଘୃଣ୍ୟ ଓ ଖରାପ ପଦକ୍ଷେପକୁ ଅବିକଳ ନକଲ କରାଯାଇଛି । ଯେମିତି କି କେବଳ ଉତ୍ସବ ଅନୁଷ୍ଠାନ ଓ ବ୍ୟାପକ ପ୍ରଚାର। (୧୦) ସରକାରଙ୍କ କାର୍ଯ୍ୟ କହିଲେ, କେବଳ ଭାଷଣବାଜି ଓ ବଳ ବଡ ବୟାନ । ଯାହା ଆଦୌ କାର୍ଯ୍ୟକାରୀ ହେଉନାହିଁ । (୧୧) ନିର୍ବାଚନ ପ୍ରତିଶ୍ରୁତି ସତ୍ତ୍ୱେ ପୂର୍ବ ସରକାରର ଦୁର୍ନୀତି ବିରୋଧରେ ଗୋଟିଏ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବରଂ ସେତେବେଳେ ଯେଉଁ ଅଧିକାରୀମାନେ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିଲେ, ସେମାନଙ୍କୁ ପଦୋନ୍ନତି, ଦୁଇ ତିନିଟି ଲେଖାଏଁ ବିଭାଗ ଓ ଅଧିକ ଦାୟିତ୍ୱ ଦିଆଯାଉଛି। ସେମାନଙ୍କ କୃତଜ୍ଞତା ପୂର୍ବ ସରକାର ପ୍ରତି ଏବେ ବି ରହିଛି ଓ ସେମାନେ ବର୍ତ୍ତମାନର ସରକାରଙ୍କୁ ବଦନାମ କରିବା ସହିତ ପୂର୍ବ ସରକାରରେ ଅନୁଗୃହିତ ବ୍ୟକ୍ତି ବିଶେଷଙ୍କ ପ୍ରତି ଆନୁଗତ୍ୟା ଦେଖାଇ ଚାଲିଛନ୍ତି । (୧୨) ଓଡିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ସରକାରରେ ଅଣ-ଓଡିଆମାନେ ପ୍ରତ୍ୟେକ ସ୍ଥାନ, କ୍ଷେତ୍ର, କାର୍ଯ୍ୟକୁ ମାଡ଼ି ବସିଛନ୍ତି, ସୁଯୋଗ ପାଇଛନ୍ତି । ଯାହା ଚାଲିଥିଲା, ସେଇଆ ଚାଲିଛି। (୧୩) ମୁଖ୍ୟମନ୍ତ୍ରୀ ଏତେବଡ ସୁଯୋଗ ପାଇବା ପରେ ମଧ୍ୟ ନିଜ ଛାଇକୁ ଡରୁଛନ୍ତି ଓ ଏକ ପ୍ରଚଣ୍ଡ ଅବିଶ୍ବାସ ଭିତରେ ବୁଡି ରହିଛନ୍ତି । ସରକାର ଓ ଦଳକୁ ସାଙ୍ଗରେ ନେଇ ଚାଲିବା ଆଉ ତାଙ୍କ ପକ୍ଷରେ ସମ୍ଭବ ନୁହେଁ ଏବଂ ସେ ସରକାର, ଲୋକ ମତ ତଥା ଶାସନ ପରିବର୍ତ୍ତନର ସମସ୍ତ ଶ୍ରେୟ ନିଜେ ନେବାକୁ ଚାହୁଁଛନ୍ତି । ଅଧିକାଂଶ ନେତା, କର୍ମୀ ଓ ବୁଦ୍ଧିଜୀବୀମାନଙ୍କୁ ସେ ସରକାର ଓ ଦଳଠାରୁ ଦୂରେଇ ଦେଇ ସାରିଲେଣି । କିଛି ମୁଷ୍ଟିମେୟ ମୁର୍ଖ ଅଧିକାରୀ ଓ ବାହାର ଲୋକ ଶାସନ ଓ ପ୍ରଶାସନରେ ବ୍ୟାପକ ହସ୍ତକ୍ଷେପ କରୁଛନ୍ତି । (୧୪) ସଙ୍ଗଠନ ପ୍ରାୟତଃ ମୃତ ଅବସ୍ଥାରେ । ସାଂଗଠନିକ କାର୍ଯ୍ୟ ସତେ ଯେମିତି ଦୀର୍ଘକାଳୀନ ଛୁଟିରେ ଅଛି । ନିର୍ବାଚନ ପରଠାରୁ ସଂଗଠନକୁ ଦେଖିବାକୁ ମିଳୁନାହିଁ । ନା ବୈଠକ, ନା କର୍ମୀ ସମ୍ମିଳନୀ, ନା କୌଣସି ଗଠନମୂଳକ କାର୍ଯ୍ୟ ନା ସରକାରର ଯତ୍କିଞ୍ଚିତ ଉପଲବ୍ଧ ସମ୍ପର୍କରେ ପ୍ରଚାର, ପ୍ରସାର- କିଛି ବି ଦେଖିବାକୁ ମିଳୁନାହିଁ । (୧୫) ସାଧାରଣ କର୍ମୀ ଓ କର୍ମକର୍ତ୍ତାମାନେ ଗଭୀର ଭାବରେ ନିରାଶ ଓ ହତାଶ ଅବସ୍ଥାରେ ଅଛନ୍ତି । (୧୬) ଲୋକେ ପ୍ରଶ୍ନ କରିବାକୁ ଆରମ୍ଭ କଲେଣି ଓ ବିରକ୍ତ ହେଲେଣି। ସୌଭାଗ୍ୟକୁ ଓଡିଶା ବର୍ଷକ ଭିତରେ କୌଣସି ବଡ ପ୍ରାକୃତିକ ଦୁର୍ବିପାକ ଦେଖୁନାହିଁ ନହେଲେ, ପ୍ରଶାସନିକ ଅପାରଗତାର ବାସ୍ତବତା ଏତେବେଳକୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳନ୍ତାଣି । ସରକାରର ଏକମାତ୍ର ଉପଲବ୍ଧ ହିସାବରେ ଜନ ସମ୍ପର୍କକୁ କିଛିଟା ଶ୍ରେୟ ଯାଇପାରେ, ଯାହା ପୂର୍ବ ମୁଖ୍ୟମନ୍ତ୍ରୀ ଆଦୌ କରୁ ନଥିଲେ । କିନ୍ତୁ, ବାସ୍ତବ କ୍ଷେତ୍ରରେ କିଛି ପରିବର୍ତନ ଦେଖୁବାକୁ ମିଳୁ ନଥିବାରୁ ଲୋକେ ଉତ୍ତ୍ୟକ୍ତ ଅବସ୍ଥାକୁ ଆସିଲେଣି । ବୁଝି ହେଇନାହିଁ, ଭାଜପାର କେନ୍ଦ୍ରୀୟ ନେତୃବର୍ଗ ଚାହାଁନ୍ତି କ’ଣ ? Post navigation ଓଡ଼ିଶାରେ ଶିଳ୍ପ ବାତାବରଣ ନାହିଁ: ତାରା ରଞ୍ଜନ