ପରାଜୟ ଭୟରେ ହିଂସା ଆଚରଣ କରିବା ଆରମ୍ଭ କରିଛି ବିଜେଡି। ୨୫ବର୍ଷ ପରେ ଓଡ଼ିଶା ପରିବର୍ତ୍ତନ ମୁହାଁ ହୋଇଥିବା ବେଳେ ଏଥିରେ ବିଜେଡି ବିଧାୟକ ତଥା ନେତା ବିଚଳିତ ହୋଇ ପଡ଼ିଛନ୍ତି । ନିର୍ବାଚନ ବୁଥ୍ ବାହାରେ ଚିତ୍କାର କରିବା ସହ କୋଶଳା ପଂଚାୟତ ଶିମିଳିସାହି ବୁଥରେ ବିଜେପି କର୍ମୀଙ୍କୁ ଧକ୍କା ମାରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା । ଜନପ୍ରତିନିଧି ଆଇନ ନିର୍ମାତା କିନ୍ତୁ ଭୋଟ୍ ପାଇଁ ଆଇନ ଭାଙ୍ଗିଛନ୍ତି ବିଧାୟକ ଶ୍ରୀ ବେହେରା ବୋଲି ବିଜେପି ଅଭିଯୋଗ କରିଛି। ଯେଉଁ ଦଳର ବିଧାୟକଙ୍କ ଆଚରଣ ଗୁଣ୍ଡାଙ୍କ ଭଳି ସେ ଦଳର ନେତା ଓ କର୍ମୀଙ୍କ ଆଚରଣ ବା କେମିତି ହେବ ବୋଲି ବିଜେପି ପ୍ରଶ୍ନ ଉଠାଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କ ଦାଦାଗିରି କରୁଛନ୍ତି। ଏହାକୁ ବିରୋଧ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ବିଜେପି ପ୍ରତିନିଧୂମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିବା ସହ ଶ୍ରୀ ବେହେରାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ସମସ୍ତ କଳବଳ କୌଶଳ ଲଗାଇ ଦେଇଛି । ସରକାରୀ କର୍ମଚାରୀ, ମିଶନଶକ୍ତି ମହିଳା, ସରପଂଚ, ସମିତି ସଭ୍ୟଙ୍କୁ ବେଆଇନ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି । ପୂର୍ବରୁ ବିଜେଡିର ଏଭଳି ହୀନକାର୍ଯ୍ୟ ପାଇଁ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରଙ୍କ ଦ୍ୱାରସ୍ଥ ହୋଇଥିଲା । ଏଥିଲାଗି ମଧ୍ୟ କିଛି ସରକାରୀ କର୍ମଚାରୀ ନିଜର ଚାକିରି ହରାଇଥିଲେ । କିନ୍ତୁ ବିଜେଡି ତାର ଚିରାଚରିତ ଢ଼ଙ୍ଗକୁ ନ ବଦଳାଇ ନିର୍ବାଚନ ଆଚରଣ ବିଧ‌ିର ଘୋର ଉଲଙ୍ଘନ କରି ପୁଣି ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବାଲେଶ୍ବର ଜିଲ୍ଲା ଗୋଲାବାଇ ପଂଚାୟତ ଜଳେଶ୍ଵର ମନ୍ଦିରରେ ଭୋଟରଙ୍କୁ ଏକାଠି କରି ଟଙ୍କା ଦେବା ସହ ସେମାନଙ୍କୁ ଶପଥ କରାଉଛନ୍ତି ସମିତି ସଦସ୍ୟ ଗୌତମ ପ୍ରଧାନ ଓ ମଧୁସ୍ମିତା ପଲେଇର ସ୍ଵାମୀ ସୁଶାନ୍ତ ବେହେରା । ଯାହା ଭୋଟରଙ୍କ ବିଶ୍ଵାସ ଓ ଭାବାବେଗକୁ କଷ୍ଟ ଦେଉଛି । ସେହିପରି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ମିଶନଶକ୍ତିର ରାଜ୍ୟ ଉପଦେଷ୍ଟା ଗୀତାଞ୍ଜଳୀ ବସ୍ତିଆ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ମା’ଭଉଣୀମାନଙ୍କୁ ପ୍ରଭାବିତ କରୁଛନ୍ତି । ଖୋଲମଖୋଲା ନିର୍ବାଚନ ଆଚରଣ ବିଧି ଭଲଙ୍ଘନ କରୁଥିବା ଏହି ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କାର୍ଯ୍ୟରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଏହାସହ ଗୋପ ବ୍ଲକ ବିଭିତୁଙ୍ଗ ଗ୍ରାମ ପଂଚାୟତ କାକଟପୁର ବିଧାନସଭା ମଣ୍ଡଳୀର କୃଷି ମିତ୍ର ଶ୍ରୀଧର ମହାନ୍ତି ଜଣେ ସରକାରୀ କର୍ମଚାରୀ ହୋଇ ବିଜେଡିର ଏଜେଣ୍ଟ ଭଳି କାମ କରୁଛନ୍ତି । ସରକାରୀ କାର୍ଯ୍ୟ ଛାଡି ବିଜେଡି ଦଳ ପାଇଁ ପ୍ରଚାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧ‌ିର ଘୋର ଭଲଙ୍ଘନ । ତୁରନ୍ତ ଶ୍ରୀ ମହାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବିଜେପି ସର୍ବଦା ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ବିଶ୍ଵାସ କରେ କିନ୍ତୁ ବିଜେଡି ହିଂସାକାଣ୍ଡ ଘଟାଇବାରେ ପାରଙ୍ଗମ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେଡି ଏଥିରୁ ଦୂରେଇ ରହୁ ବୋଲି ବିଜେପି କହିଛି ।

ଏହି ପ୍ରତିନିଧୂମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଆସ୍କାର ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

By Nirvay

Leave a Reply

Your email address will not be published. Required fields are marked *