ନିର୍ଲଜତାର ସବୁ ସୀମା ପାର କରିଛି ବିଜେଡି । ହତାଶ ଏବଂ ପରାଜୟ ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ ଯେତେବେଳେ କୌଣସି ରାସ୍ତା ନଥାଏ, ସେତେବେଳେ ଏଭଳି ଔଷଧ ବିକଳରେ ତାଟିଆ କାମୁଡିବା ପ୍ରକୃତି ଦେଖାଯାଏ । ୨୫ ବର୍ଷ ଧରି ନବୀନ ବାବୁ ଓଡ଼ିଶାର ଲୋକଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଥିଲେ, କିନ୍ତୁ ବିଜେପି ଓଡ଼ିଶାରେ ପ୍ରଥମ ଥର ସରକାର ଗଠନ କରିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା, ତାହା ଗୋଟି ଗୋଟି ପୂରଣ କରୁଛି । ଯାହାକୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଜ୍ୟ କରିନପାରି ବାଉଳି ଚାଉଳି ହୋଇ ଲୋକଙ୍କ ପାଖକୁ ଯାଇ “ଜନଜାଗରଣ” କରିବେ ବୋଲି ଟ୍ୱିଟରେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି । ବିଜେପି ବର୍ଦ୍ଧିତ ଭତ୍ତା ଦେବାର ଯେଉଁ “ନିର୍ବାଚନ ପ୍ରତିଶ୍ରୁତି” ଦେଇଥିଲା ସେଥିରୁ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ, ଭିନ୍ନକ୍ଷମ, ବିଧବାମାନଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବ ବୋଲି ନିଷ୍ପତ୍ତି ନେଇଛି । ଏକଥାକୁ ବିଜେଡି ସହଜରେ ହଜମ କରିପାରୁନାହିଁ ।

୫୦୦ ଟଙ୍କା ଭତ୍ତାକୁ ହଜାରେ କରିବାକୁ ବିଜେଡିକୁ ୨୫ବର୍ଷ ସମୟ ଲାଗିଲା । ଏବେ ଦୁଇ ମାସର ବିଜେପି ସରକାର ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ତିନିଗୁଣ ବଢ଼ାଇ ୩,୫୦୦ଟଙ୍କା ଭତ୍ତା କରିବା ପରେ, ବିଜେଡି ସଭାପତି ଅସହିଷ୍ଣୁ ହୋଇ “ଜନଜାଗରଣ” କରିବ ବୋଲି କହିବା ଅତ୍ୟନ୍ତ ନିଲ୍ଲଜତାର ପରିଚୟ । ଦୀର୍ଘଦିନର ଭ୍ରଷ୍ଟାଚାର, ଅପାରଗତା କାରଣରୁ ଜନତା ବିଜେଡିକୁ ପ୍ରତ୍ୟାଖ୍ୟାତ କରିଛନ୍ତି । ବିଜେପି ଚାହୁଁଛି ନବୀନ ବାବୁ ଥରେ ଲୋକଙ୍କ ପାଖକୁ ଯାଆନ୍ତୁ । ଲୋକଙ୍କ ମନରେ ଥିବା କ୍ଷୋଭ, ଗ୍ଲାନି ଓ ଆକ୍ରୋଶ ଅଛି ତାକୁ ସାମ୍ନା କରନ୍ତୁ ।

ବିଜେଡି ୨୫ବର୍ଷରେ ଯେତେ ପ୍ରତିଶ୍ରୁତି ଦେଇଥିଲା ତାହା ବିଭିନ୍ନ ଯୋଜନା ମାଧ୍ୟମରେ ସବୁ ଧୂଆଁବାଣ ଲୋକଙ୍କୁ ଠକିବାର ଉପାୟ ଥିଲା । ମୁଖ୍ୟମନ୍ତ୍ରୀ ଶାସନରେ ଥିବା ବେଳେ ପୁରୀରେ ଛିଡା ହୋଇ କହିଥିଲେ ଯେ, ପ୍ରତିବର୍ଷ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଚାଷୀଙ୍କୁ ଦେବୁ କିନ୍ତୁ କୌଣସି ଚାଷୀ ୧୦ହଜାର ଟଙ୍କା ପାଇଲେ ନାହିଁ । ସୋହେଲାରେ ୧୦୦ ଟଙ୍କା ବୋନସ ଚାଷୀଙ୍କୁ ଦେବେ ବୋଲି ଘୋଷଣା କରିଥିଲେ କିନ୍ତୁ ତାକୁ ଦେଲେ ନାହିଁ । ସେହିପରି ପିଠା ଯୋଜନାରେ ମା’ମାନଙ୍କୁ ଭଣ୍ଡାଇ ଥିଲେ । ବିଜୁ ଯୁବ ବାହିନୀ ଗଠନ କରି ଯୁବକମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ । ଏଭଳି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ଖୋଦ୍ ନବୀନ ବାବୁ ଏବଂ ବର୍ତ୍ତମାନ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନବଗଠିତ ବିଜେପି ସରକାର ଉପରେ ମିଥ୍ୟା ଆରୋପ ଲଗାଉଛନ୍ତି । ବିଜେପି ଯାହା କୁହେ ତାହା କରେ, ନବୀନ ବାବୁ ଠକିବା ଛଡା କିଛି ଜାଣନ୍ତି ନାହିଁ । ବିଜେପି ନିର୍ବାଚନୀ ବେଳେ ପ୍ରତିଶ୍ରୁତି ଦେଇଥିଲେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କା କରିବେ ବୋଲି, ସେହି ପ୍ରତିଶ୍ରୁତି ପାଳନ କରିଛି । ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ।

Leave a Reply

Your email address will not be published. Required fields are marked *