ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକରିଛି ବିଜେଡି । ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ଫାର୍ମହାଉସରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ ଘଟଣାରେ ଡିଜି କ୍ୟାମ୍ପ ଅଫିସ ସାମ୍ନାରେ ରାତିସାରା ପ୍ରତିବାଦ କରିଛି ବିଜେଡି। ଆକ୍ରମଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ସାମ୍ନାରେ ରାତିସାରା ବସି ରହିଛନ୍ତି ବିଜେଡି କର୍ମୀ ।

ଏହା ସହ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗା ରୁଜା ଓ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ପୋଷ୍ଟ କରି ନିନ୍ଦା କରିଛନ୍ତି ନବୀନ ପଟ୍ଟନାୟକ।

ନବୀନ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରୁଛି।ଦିନ ଦ୍ୱିପହରରେ ଘରେ ପଶି ଆକ୍ରମଣ ହେଉଛି । ତଥାପି ପୋଲିସ ପ୍ରଶାସନ ତଥା ସରକାର ସମସ୍ତେ ନିରବଦ୍ରଷ୍ଟା ସାଜିଛି। ଏବେ ଯାଏଁ କାହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରସୟ ଦେଇ ବିଜେପି ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି ? ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ। ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଅନ୍ୟପଟେ ଧର୍ମଶାଳା ଘଟଣା ପ୍ରସଙ୍ଗରେ ଡିଆଇଜି କେନ୍ଦ୍ରୀୟ ରେଞ୍ଜ ଭୁବନେଶ୍ୱର ଡିଜିପି କ୍ୟାମ୍ପରେ ପହଞ୍ଚି ରାତିସାରା ପ୍ରତିବାଦରେ ବସିଥିବା ବିଜେଡି ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।

ଖବର ଅନୁଯାୟୀ, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ କିଛି ସମର୍ଥକ ଆଜି ରବିବାର ଥିବାରୁ ଭୋଜି ଆୟୋଜନ କରିଥିଲେ। ସେହି ସମୟରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଫାର୍ମହାଉସରେ ବ୍ଯାପକ ଭଙ୍ଗାରୁଜା କରିଛନ୍ତି । ପ୍ରଣବଙ୍କ ଆହତ ସମର୍ଥକମାନଙ୍କୁ ଚିକିତ୍ସାପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି।ଏଇ ଖବର ଜାଣିବା ପରେ ନିଜେ ପ୍ରଣବ ବଳବନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ସମର୍ଥକମାନଙ୍କୁ ଚିକିତ୍ସାପାଇଁ ପଠାଇଥିଲେ।

Leave a Reply

Your email address will not be published. Required fields are marked *