ବିଜୁ ଜନତା ଦଳ ୨୪ବର୍ଷ ଧରି ସରକାରରେ ଥିବା ସତ୍ତ୍ୱେ ଓଡିଶା ଲୋକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରୁନଥିଲେ କି ନିଜର ସମସ୍ୟା ବିଷୟରେ ସରକାରଙ୍କୁ ଜଣାଇ ପାରୁନଥିଲେ। ଏବେ ସରକାର ପରିବର୍ତ୍ତନ ପରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଯେଉଁଭଳି ଭାବରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଓ ସମାଧାନ ପାଇଁ ପ୍ରୟାସ ହେଉଛି ତାହା ଓଡିଶାର ଲୋକଙ୍କ ମନରେ ଏକ ନୂଆ ଆଶା ସଂଚାର କରିଛି । ବୋଧ ହୁଏ ବିଜେଡି ଦଳର ନେତାମାନଙ୍କୁ ଏହା ହଜମ ହେଉନାହିଁ। ୨୪ବର୍ଷ ଧରି ଲୋକଙ୍କ ପାଖରେ ନବୀନ ପଟ୍ଟନାୟକ ଅପହଞ୍ଚ ଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସକାଳ ୧୦ଟାରୁ ରାତି ୧୦ଟା ଲୋକଙ୍କ ସହିତ ବିତାଉଛନ୍ତି, କଥାର ତୁଳନା କରୁଛନ୍ତି, ଏହା ବିଜୁ ଜନତା ଦଳର ନେତାମାନଙ୍କ ମନରେ ଅଜଣା ଭୟ ସୃଷ୍ଟି କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୭ରୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପର୍ଯ୍ୟନ୍ତ (୨୦୨୪) ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ମାଟି ମାଡିନଥିଲେ। ଏହା ବୋଧ ହୁଏ ବିଜୁ ଜନତା ଦଳର ମୁଖପାତ୍ର ଭୁଲିଯାଇଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଅନୀଲ ବିଶ୍ୱାଳ କହିଛନ୍ତି।

ବିଜୁ ଜନତା ଦଳ କାର୍ଯ୍ୟାଳୟ ଓ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ବିଜେଡି କାର୍ଯ୍ୟାଳୟକୁ କେବଳ ଠିକାଦାର, ଦଳର ଛାମୁଆ ନେତାଙ୍କ ଛଡା ଆଉ କାହାକୁ ପ୍ରବେଶ ଅନୁମତି ନାହିଁ। ଏପରିକି ତାଙ୍କ ଦଳର ତୃଣମୂଳସ୍ତରର କର୍ମୀମାନେ ମଧ୍ୟ ଶଙ୍ଖ ଭବନରେ ପଶିପାରନ୍ତି ନାହିଁ । ବିଜେଡିର ସଭାପତି କେବେ ବି ଶଙ୍ଖ ଭବନରେ ସାଧାରଣ ଲୋକଙ୍କୁ ଭେଟିବାର ନଜିର ନାହିଁ। କିନ୍ତୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଦଳର ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାଙ୍କଠାରୁ ନେଇ ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସବୁବେଳେ ଖୋଲା। ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ବିରୋଧରେ ଅଭିଯୋଗ କରିବା ପୂର୍ବରୁ ପ୍ରଥମେ ନିଜ ମୁହଁକୁ ଦର୍ପଣରେ ଦେଖିବା ଉଚିତ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଜନ ଅଭିଯୋଗ ଶୁଣାଣି ସମୟରେ ହେଉଥିବା ଅସମ୍ଭବ ଭିଡରୁ ପ୍ରମାଣିତ ହେଉଛି ଯେ, ଗତ ୨୪ବର୍ଷ ଭିତରେ ଓଡିଶାରେ ଜନସାଧାରଣଙ୍କ ସମସ୍ୟା ବଢିଛି। ଗତ ୨୪ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ ନିଜକୁ ପ୍ରଶ୍ନ କରିବା ଉଚିତ ଯେ ଯଦି ତାଙ୍କ ସରକାର ଓଡିଶା ଲୋକଙ୍କ ପାଇଁ କାମ କରୁଥିଲା ତାହେଲେ ଏତେ ପରିମାଣର ସମସ୍ୟା ଲୋକଙ୍କର ହେଲା କେମିତି ? ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ନେତା ଭିକେ ପାଣ୍ଡିଆନ ଯେଉଁ ଶୁଣାଣି କରୁଥିଲେ ତାହାର ସମାଧାନ କେତେ ହୋଇଥିଲା, ତାହାର ଉତ୍ତର ବିଜେଡି ଦେଉ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *