କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍ଟି ସ୍ଲାବ୍ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି । ଏହାଛଡା ନୂତନ ସ୍ଲାବ ଜିଏସ୍ଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା ଦରକାର ବୋଲି ବିଜେଡି କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ଦଳର ବରିଷ୍ଠ ଉପସଭାପତି ନିରଞ୍ଜନ ପୂଜାରୀ ଜିଏସ୍ଟି ସ୍ଲାବ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ତାର ସୂଚନା ଦେଇଥିଲେ । ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ୨୦୧୮ ମସିହାରୁ କେନ୍ଦୁପତ୍ର ଉପରେ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ବିଜୁ ଜନତା ଦଳ କହି ଆସୁଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ପାଇଁ ଚିଠି ଲେଖିଥିଲେ । ଜିଏସ୍ଟିର ନୂତନ ସ୍ଲାବ ଅନୁଯାୟୀ କେନ୍ଦୁପତ୍ର ଉପରେ ଜିଏସ୍ଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଖସାଇ ଦିଆଯାଇଛି । କିନ୍ତୁ, ଏହା କମିଥିଲେ ମଧ୍ୟ କେନ୍ଦୁପତ୍ର ତୋଳାଳୀଙ୍କୁ ବିଶେଷ ଫାଇଦା ମିଳିବ ନାହିଁ । କେନ୍ଦୁପତ୍ର ତୋଳାଳୀ ମାନେ କୌଣସି ସୁବିଧା ପାଇବେ ନାହିଁ । ଏହା ସହ ନିରଞ୍ଜନ ପୂଜାରୀ କହିଛନ୍ତି, କେନ୍ଦୁପତ୍ର ଭଳି ହ୍ୟାଣ୍ଡଲୁମ କ୍ଷେତ୍ରରେ ମଧ୍ୟ ବୁଣାକାର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଏସ୍ଟି ଛାଡ଼ ପାଇଁ ବିଜେଡି ତରଫରୁ ଦାବି ହୋଇ ଆସୁଥିଲା । ଟେକ୍ସଟାଇଲ କ୍ଷେତ୍ରରେ ପାୱାରଲୁମ ଓ ହ୍ୟାଣ୍ଡଲୁମ ରହିଛି । ପାୱାରଲୁମରେ ଶିଳ୍ପପତି ମାନେ ସମ୍ପୃକ୍ତ ଥିବାବେଳେ ହ୍ୟାଣ୍ଡଲୁମରେ ଗରିବ ବୁଣାକାର ମାନେ ରହିଛନ୍ତି । ସେମାନେ ବିଭିନ୍ନ ସୂତା ଶାଢ଼ୀ, ପାଟ ଶାଢ଼ୀ ଇତ୍ୟାଦି ଜିନିଷ ତିଆରି କରିଥାନ୍ତି । ଏହି ଗରିବ ଶ୍ରେଣୀର ବୁଣାକାର ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜିଏସ୍ଟି ଛାଡ଼ ପାଇଁ ଦାବି ହୋଇ ଆସୁଥିଲା । କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ୫ ପ୍ରତିଶତ ଜିଏସ୍ଟି ରହିଛି । ତେଣୁ ଉଭୟ କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଟେକ୍ସଟାଇଲ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ପାଇଁ ବିଜୁ ଜନତା ଦଳ ଆଉଥରେ ଦାବି କରୁଛି । Post navigation କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଏନଆଇଆରଏଫ ରାଙ୍କିଙ୍ଗ ତାଲିକା: ଟପ୍ ୧୦୦ରେ ନାହିଁ ଓଡ଼ିଶାର କଲେଜ୍ ବିବାଦ ଏବଂ ଜନଅଶାନ୍ତି ପାଇଁ ବଦଳିଲେ ଦୁଇ ଆଇଆଇସି