ନବୀନ ଦାସ: ମେଣ୍ଟ ଚର୍ଚ୍ଚା ହିଁ ୨୪ ବର୍ଷର ସରକାରୀ ଦଳର ଅସହାୟତା, ଭୟ ଏବଂ ଅଭାବୀ ଆତ୍ମବିଶ୍ୱାସକୁ ଅତି ନଗ୍ନ ଭାବେ ପଦାରେ ପକାଇ ଦେଇଛି । ଏକଥା ମଧ୍ୟ ପରୋକ୍ଷରେ ଅନେକ ବିଜଦ ନେତା ସ୍ୱୀକାର କରୁଛନ୍ତି । ଏଭଳି ଭୟ ଏବଂ ଅସହାୟତାର ସଦ୍ୟତମ ଉଦାହରଣଟି ଏଠାରେ ଦିଆଯାଇପାରେ ।

ଡ. ନୃସିଂହ ଚରଣ ସାହୁ । ବରିଷ୍ଠ ବିଧାୟକ, ପରଜଙ୍ଗ । ମେଣ୍ଟ ଚର୍ଚ୍ଚା ଉପରେ ପ୍ରତିକି୍ରୟା ଦେବାକୁ ଯାଇ କହିଲେ, ମେଣ୍ଟ ନହେଲେ ବି ବିଜୁ ଜନତା ଦଳ ୧୧୦ ଆସନରେ ବିଜୟୀ ହେବ ।

ଯେଉଁ ଦଳ ଏକାକୀ ଲଢ଼ି ୧୧୦ ଆସନରେ ବିଜୟୀ ହେବ ବୋଲି ଦୃଢ଼ୋକ୍ତି କରିପାରୁଛି, ସେହି ଦଳ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବ କାହିଁକି? ବଡ଼ ଆଶ୍ଚର୍ଯ୍ୟର କଥା? ଭାଜପା ସଭାପତି ମନମୋହନ ସାମଲ ଶୁକ୍ରବାର ଦିଲ୍ଲୀରୁ ଫେରିବା ପରେ ପୁଣି ଥରେ ସ୍ପଷ୍ଟ କରିଦେଲେ ଯେ, ଦିଲ୍ଲୀରେ ମେଣ୍ଟ ଚର୍ଚ୍ଚା ହୋଇନାହିଁ । ଏହାସତ୍ତ୍ୱେ ମେଣ୍ଟ ଶବ୍ଦ ବିଜଦ ନେତାମାନଙ୍କ ମୁହଁରୁ ଶୁଣିବାକୁ କାହିଁକି ମିଳୁଛି? ଏହା ପୂର୍ବରୁ ସାମଲ ମେଣ୍ଟ ହେବ ନାହିଁ ବୋଲି କହିଥିଲେ । ଏହାର ଜବାବ ଦେବାକୁ ଯାଇ ବିଜଦ ମୁଖପାତ୍ର ଡ. ସସ୍ମିତ ପାତ୍ର ମେଣ୍ଟ ଭାଜପାର ପରିକଳ୍ପନା ବୋଲି କହିବା ଅବସରରେ ତାଙ୍କ ଦଳ ୧୧୭ ବିଧାନସଭା ଆସନରେ ବିଜୟୀ ହେବ ବୋଲି କହିଥିଲେ । ସପ୍ତାହକ ଭିତରେ ୭ ଖସେଇ ଦେଲେ ନୃସିଂହ!

ଡ. ସାହୁ ଆଉ ଏକ ସାଙ୍ଘାତିକ ତୁନ୍ଦରେ ଧରିଛନ୍ତି । ଏହାରି ଭିତରେ ଅଛି ମଞ୍ଜି । ‘ମେଣ୍ଟ ହେଲେ ବିଜଦରେ ବିଦ୍ରୋହ ହେବ ନାହିଁ । କେହି ଦଳ ଛାଡ଼ିଯିବେ ନାହିଁ ।’ ଏହା ସ୍ପଷ୍ଟ କରିଦେଉଛି ଯେ, ଭାରତୀୟ ଜନତା ପାର୍ଟି ନୁହେଁ ବିଜୁ ଜନତା ଦଳ ହିଁ ମେଣ୍ଟ ପାଇଁ ଆଗ୍ରାହୀ । ବିଦ୍ରୋହ ଆଶଙ୍କାରେ ଜର୍ଜରିତ ବିଜଦ ନେତୃତ୍ୱ ସେଥିପାଇଁ ମେଣ୍ଟ ପ୍ରଚାରକୁ ହାୱା ଦେବାରେ ଲାଗିଛନ୍ତି ।

ଭାଜପା ସଭାପତିଙ୍କ ପରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମର ଶନିବାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଦିଲ୍ଲୀ ବୈଠକରେ ମେଣ୍ଟ ଚର୍ଚ୍ଚା ହୋଇନାହିଁ । ଦଳ ସବୁ ଆସନରେ ପ୍ରାର୍ଥୀ ଦେବ । ଲୋକସଭାରେ ୧୬ ଏବଂ ବିଧାନସଭାରେ ୮୦ ଆସନ ଜିତିବ । ବିଜଦରୁ କେହି ମେଣ୍ଟ ପ୍ରସଙ୍ଗରେ ତାଙ୍କୁ ଭେଟିନାହାନ୍ତି । ସେମାନେ କାହାକୁ ଭେଟିଛନ୍ତି, ସେମାନଙ୍କୁ ପଚାରିବା ଦରକାର ।

ବିଜଦର ଭିକେ ପାଣ୍ଡିଆନ ଏବଂ ପ୍ରଣବପ୍ରକାଶ ଦାସ ଭଡ଼ା ବିମାନ କରି ୬ ତାରିଖ ଦିନ ଦିଲ୍ଲୀ ଗଲେ । ୭ ତାରିଖ ଦିନ ସକାଳେ ଭୁବନେଶ୍ୱର ବାହୁଡ଼ି ଆସିଲେ । ସେମାନେ ଭେଟିଲେ କାହାକୁ? ନିଜର କୌଣସି ଶୁଭାକାଂକ୍ଷୀ ଏବଂ ପିଏମ୍‌ଓ ସହ ସମ୍ପର୍କ ରଖିଥିବା ନେତାଙ୍କୁ ଭେଟି ନାହାନ୍ତି ତ? ସେମାନେ ଶାହାଙ୍କୁ ଭେଟିଥିଲେ କି? ଯଦି ଭେଟିଛନ୍ତି, ତେବେ ଏସମ୍ପର୍କରେ ସ୍ପଷ୍ଟ କରିଦେଉ ନାହାନ୍ତି କାହିଁକି? ଭାଜପା ନେତାମାନେ ଲଜ୍ଜିତ ହୋଇଯିବେ । ଏହା ନକରି କିମ୍ବା ମେଣ୍ଟ ଗୁଜବକୁ ଖନ୍ଦନ ନକରିବାଦ୍ୱାରା ବିଜଦ ନେତୃତ୍ୱ ମେଣ୍ଟ ପାଇଁ ଖୁବ ବ୍ୟାକୁଳ ବୋଲି ଓଡ଼ିଶାବାସୀଙ୍କୁ ଜଣାଇ ଦେଇସାରିଲାଣି । ଭାଜପା ନେତାମାନେ ଏପରିକି ନିର୍ବାଚନ ପ୍ରଭାରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ସେମାନେ କେହି ମେଣ୍ଟ ପାଇଁ ଆଗ୍ରହୀ ନୁହନ୍ତି ।

ହାଇକମାନ୍ଦଙ୍କ ସହ ଏ ବ୍ୟାପାରରେ ଆଲୋଚନା ହୋଇନାହିଁ ।
ବିଜଦ ନେତୃତ୍ୱର ଅସହାୟତାକୁ ଶନିବାର ଖୁବ ଛିଗୁଲାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଛନ୍ତି, ଯଦି ଦମ ଅଛି ତେବେ ଛାତି ବାଡ଼େଇ ବିଜଦ କହିଦେଉ ଯେ ଏକାକୀ ଲଢ଼ିବ । ଦମ ଅଛି ତ କହୁ ଯେ, ସାହସ ନାହିଁ ବୋଲି ମେଣ୍ଟ ପାଇଁ ଆମେ ବ୍ୟାକୁଳ । ଏକଥା ପ୍ରଦୀପ ଏହି ପ୍ରତିନିଧିଙ୍କୁ କହିଲା ବେଳେ ଏକଥା ମଧ୍ୟ ଦୋହରାଇଛନ୍ତି ଯେ ଏକାକୀ ଲଢ଼ିଲେ ହାରିବା ଭୟ ବିଜଦର ବଡ଼ ନେତାଙ୍କୁ ବିଚଳିତ କରିପକାଇଲାଣି ।

ବଡ଼ ଆଶ୍ଚର୍ଯ୍ୟର କଥା । ମନମୋହନ ଦୁଇଥର ମେଣ୍ଟ ହେଉ ନାହିଁ ବୋଲି କହିଲେ । ନିର୍ବାଚନ ପ୍ରଭାରୀ ବିଜୟପାଲ ମଧ୍ୟ ସେହି କଥା ଦୋହରାଇଲେ । ପାଣ୍ଡିଆନଙ୍କ ଆଖିର କଣ୍ଟା ପାଣିଗ୍ରାହୀ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଲେ । ଅଥଚ ପାଣ୍ଡିଆନ କିମ୍ବା ଦଳର କୌଣସି ବରିଷ୍ଠ ନେତା କହିପାରୁ ନାହାନ୍ତି ଯେ, ବିଜଦ ମେଣ୍ଟ ଚାହେଁ ନାହିଁ । ଏକାକୀ ଲଢ଼ିଲେ ମଧ୍ୟ ଓଡ଼ିଶାରେ ସରକାର ଗଠନ କରିବ । ଯେଉଁ ଆତ୍ମବିଶ୍ୱାସର ସହ ଭାଜପା ନେତାମାନେ କହୁଛନ୍ତି, ତାହାର ଅଭାବ ବିଜଦ ପାଖରେ ଏତେ କାହିଁକି? ନୃସିଂହ ସାହୁଙ୍କ କଥାରୁ ଖିଅଟିଏ ଧରିହେଉଛି । ବିଦ୍ରୋହ ଭୟ ସାଙ୍ଗକୁ ଆତ୍ମବିଶ୍ୱାସର ଅଭାବ ।

ଭାଜପା ଅପେକ୍ଷା ବିଜଦ ମେଣ୍ଟକୁ ଅଧିକ ଭରସା କରୁଛି । ଭାଜପାଠାରୁ ଅଧିକ ଭୟଭୀତ ବିଜଦ । ନହେଲେ ପାଣ୍ଡିଆନ ଏବଂ ପ୍ରଣବ ଦିଲ୍ଲୀ ଯିବାପରେ ମଧ୍ୟ ଦଳ ଆନୁଷ୍ଠାନିକ ଭାବେ କାହିଁକି ଘୋଷଣା କରିପାରୁ ନାହିଁ ଯେ, ଶାହାଙ୍କ ସହ ବୈଠକ ପରେ ଆମେ ଏନ୍‌ଡିଏରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛୁ । ୨୪ ବର୍ଷର ଦଳ ଏତେ ଉପହାର, ଅର୍ଥଦାନ ପରେ ବି ଏକାକୀ ଲଢ଼ିବା ପାଇଁ ସାହସ ଜୁଟାଇ ନପାରିବା ଅଷ୍ଟମ ଆଶ୍ଚର୍ଯ୍ୟ ଛଡ଼ା କ’ଣ ହୋଇପାରେ? କିଛି ଅଜଣା ଭୟ ବେଶୀ ଚିନ୍ତାରେ ପକାଇ ଦେଇଛି କି ନବୀନ ଏବଂ ପାଣ୍ଡିଆନଙ୍କୁ?

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *