ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ, ଓଡ଼ିଆ ଅସ୍ମିତାର ନାରା ଦେଇ ରାଜ୍ୟରେ ସରକାରକୁ ଆସିଥିବା ବିଜେପି ସମ୍ଭବତଃ ଓଡ଼ିଆ ଭାଷା ଠିକ ଭାବରେ ବୁଝିପାରୁ ନାହିଁ । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କାର ଭାଉଚର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ ପାଇବା ପରେ, ରାଜ୍ୟର ପ୍ରତ୍ୟେକ ମହିଳା ନୁହେଁ ବରଂ କିଛି କିଛି ମହିଳା ଏହି ଯୋଜନାରୁ ଲାଭ ପାଇବେ ବୋଲି ଜଣା ପଡିଛି । ପ୍ରତ୍ୟେକ ମହିଳାର ଅର୍ଥ କ’ଣ କିଛି କିଛି ମହିଳା ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ ।

ବିଜେପିର ନେତାମାନେ ଠିକଭାବେ ଓଡ଼ିଆ ଭାଷାକୁ ବୁଝିପାରୁ ନାହାନ୍ତି ନବୁଝି ପାରିବାର ଅଭିନୟ କରୁଛନ୍ତି । ତା ଛଡା ଏହି ପଚାଶ ହଜାର ଟଙ୍କା ଦୁଇ ବର୍ଷରେ ନୁହେଁ ବରଂ ପାଞ୍ଚ ବର୍ଷରେ ପ୍ରଦାନ କରାଯିବ ବୋଲି କୁହାଯାଇଛି । ବିଜେପିର ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ରାଜ୍ୟର ମହିଳାମାନେ ଅନେକ ଆଶା ବାନ୍ଧିଥିଲେ ଯାହା ପଚାଶ ହଜାର ଟଙ୍କା ପାଇଲେ ପୂରଣ ହୋଇଥାନ୍ତା । କିନ୍ତୁ ଏସଓପି ଆସିବା ପରେ ଅଧିକାଂଶ ମହିଳା ଏଥିରୁ ବଞ୍ଚିତ ହେବେ ବୋଲି ଜାଣି ନିରାଶ ହୋଇଛନ୍ତି। ତେଣୁ ସୁଭଦ୍ରା ଯୋଜନା ଏକ ପ୍ରବଂଚନା ଓ ଜୁମଲାରେ ପରିଣତ ହୋଇଛି ବୋଲି ଶ୍ରୀମତୀ ଛୁରିଆ କହିଥିଲେ ।

ସେ ଆହୁରି କହିଥିଲେ, ଏସଓପିରେ କୁହାଯାଇଛି ଯେ କେବଳ ୨୧ ବର୍ଷରୁ ୬୦ ବର୍ଷର ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ। ସ୍ଵାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠୁଛି ଯେ ୧୮ ବର୍ଷରେ ନାଗରିକର ଅଧିକାର ମିଳୁଥିବା ବେଳେ ୧୮ରୁ ୨୦ ବର୍ଷର ମହିଳା ମାନଙ୍କୁ କେଉଁ କାରଣରୁ ଏହି ଯୋଜନାରେ ସାମିଲ କରାଯାଇନାହିଁ । ଏହି ବୟସରେ ମହିଳା ମାନେ ପ୍ରାୟତଃ କଲେଜ‌ରେ ପଢୁଥାନ୍ତି ଓ ସେମାନଙ୍କ ନିଜ ଖର୍ଚ୍ଚ ପାଇଁ ଅର୍ଥର ଆବଶ୍ୟକ ଥାଏ । କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ସରକାରଙ୍କ ଦ୍ଵାରା ନୂଆ ଓ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ଅନୁଦାନକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ଅନ୍ୟପଟରେ, ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ନ କରିବା କାରଣରୁ ସେମାନେ ଉଭୟ ପଟରୁ କ୍ଷତି ସହିବାକୁ ପଡ଼ୁଛି । ସେହିପରି, ଷାଠିଏ ବର୍ଷରୁ ଉଦ୍ଧ ମହିଳା ମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରୁ ବଞ୍ଚିତ କରିବା ସେମାନେ ମଧ୍ୟ ବିଜେପି ସରକାରଙ୍କ ଦ୍ଵାରା ପ୍ରତାରଣାର ଶିକାର ହୋଇଛନ୍ତି । ଅପରପକ୍ଷରେ ଯେଉଁ ମହିଳା ମାନେ ଜାତୀୟ ଖାଦ୍ୟ ସୁରକ୍ଷା ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଛନ୍ତି ଓ ସେମାନଙ୍କ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ, ସେମାନଙ୍କ ପରିବାରର କେବଳ ଜଣେ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ, ଯାହା ପରିବାରର ଅନ୍ୟ ମହିଳା ମାନଙ୍କ ପ୍ରତି ପ୍ରତାରଣା ସଦୃଶ୍ୟ ।

ସେହିପରି, ଯେଉଁ ମହିଳା ମାନଙ୍କ ବୟସ ୫୭ ରୁ ୫୯ ବର୍ଷ ଭିତରେ ରହିଛି, ସେମାନେ ଏହି ଯୋଜନାରୁ ପୁରାମାତ୍ରାରେ ଲାଭ ପାଇପାରିବେ ନାହିଁ। ସୁଭଦ୍ରା ଯୋଜନା ମାଧ୍ୟମରେ ଗୋଲାପୀ ପ୍ରତିଶ୍ରୁତି ଦେଇ ମହିଳା ମାନଙ୍କ ଭୋଟ ହାସଲ କରି ସରକାରକୁ ଆସିବା ପରେ ରାଜ୍ୟର ଅଧିକାଂଶ ମହିଳାଙ୍କୁ ଏଥିରୁ ବଞ୍ଚିତ କରିବାକୁ ଯାଉଛି ବୋଲି ଏହାର ଏସଓପିରୁ ସ୍ପଷ୍ଟ ହେଉଛି । ମହିଳା ମାନେ ହେଲେ, ମା ଦୁର୍ଗା, ମା କାଳୀ ଓ ମା ସରସ୍ଵତୀର ରୂପ। ତେଣୁ ସେମାନେ ଏହାର ଉଚିତ ଜବାବ ଦେବେ। ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଏଥିରେ ସାମିଲ ନ କଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଓ ପ୍ରତ୍ୟେକ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ଛୁରିଆ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ।

 

 

Leave a Reply

Your email address will not be published. Required fields are marked *