Odisha CM pays tributes to Poet Jayadev on his Birth Anniversary
ଆଜି ଜୟଦେବ ଜୟନ୍ତୀ ଅବସରରେ ଜନ୍ମପୀଠ କେନ୍ଦୁବିଲ୍ୱ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଏହି ଅବସରରେ ଜୟଦେବଙ୍କ ଗୀତଗୋବିନ୍ଦ କାଳିଦାସଙ୍କ ମେଘଦୂତ ସହିତ ସମକକ୍ଷ ବୋଲି ସେ କହିଛନ୍ତି ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ଜୟଦେବ ପୀଠକୁ ଏକ ଆଧ୍ୟାତ୍ମିକ ବିଶ୍ୱସ୍ତରୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
 
ଜୟଦେବ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ । ଏଥିରେ ଅନେକ ପ୍ରକାରର ଫୁଲ ବଗିଚା ଓ ୧୦ଟି କଇଁ ପୋଖରୀ ଏବଂ ବିଭିନ୍ନ ପ୍ରକାରର ଲତାଜାତୀୟ ଗଛର ବଗିଚା ସୃଷ୍ଟି କରାଯିବ । ଯେତେଦୂର ସମ୍ଭବ କବିଙ୍କ ସମୟର ପ୍ରାକୃତିକ ସୌନ୍ଦର୍ଯ୍ୟର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ କରାଯିବ।
 
ଏହା ସହିତ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଅନେକ ପ୍ରକଳ୍ପ ଘୋଷଣା କରିଥିଲେ। ଏଥିରେ ଏଣ୍ଟ୍ରାନ୍‍ସ ଗେଟ୍, ଦଶବତାର ପ୍ଲାଜା, ପଦ୍ମ ପୋଖରୀର ସୌନ୍ଦର୍ଯ୍ୟକରଣ, ବିଭିନ୍ନ କୁଞ୍ଜ’ର ବିକାଶ, କ୍ରାଫ୍‍ଟ ସପ୍, ଫୁଡ୍ କୋର୍ଟ ଆଦିର ବିକାଶ କରାଯିବ। ଏ ପୀଠକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱୟଂ ଆସିଛନ୍ତି । ତେଣୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଯାହା ଅର୍ଥ ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେବେ । ଏହାର ବିକାଶ ପାଇଁ ସଂସ୍କୃତି, ପର୍ଯ୍ୟଟନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଭାବେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
 
ସେଠାରେ ଉପସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପୀଠକୁ ବିକାଶ କରି ସେ ଏହାକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ରାଜ୍ୟର ସମସ୍ତ ମହାପୁରୁଷ ଓ ମହାମନୀଷୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମନସ୍ଥ କରିଛନ୍ତି ଏବଂ ସେହି ଅନୁସାରେ କାର୍ଯ୍ୟ କରୁଛନ୍ତି। ଏହି କ୍ରମରେ ଜୟଦେବଙ୍କ ଜନ୍ମପୀଠରେ ମଧ୍ୟ ଏହିଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
 
କବି ଜୟଦେବଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପବିତ୍ର ଅକ୍ଷୟ ତୃତୀୟା ତଥା ଜୟଦେବ ଜୟନ୍ତୀ ଅବସରରେ କବିଙ୍କ ଜନ୍ମସ୍ଥାନ କେନ୍ଦୁବିଲ୍ୱ ବା କେନ୍ଦୁଲି ଗ୍ରାମକୁ ଆସିବା ତାଙ୍କ ପାଇଁ ଅତ୍ୟନ୍ତ ଖୁସି, ଆନନ୍ଦ ଓ ସୌଭାଗ୍ୟର ବିଷୟ ।
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୟଦେବ କେବଳ ଯେ ଗୀତ ଗୋବିନ୍ଦ ପାଇଁ ପୂଜ୍ୟ, ତାହା ନୁହେଁ; ଏ ଦେଶ ଯେଉଁ କେତେଜଣ ମହାନ ଶାସ୍ତ୍ରୀୟ ସଂସ୍କୃତ କବିଙ୍କୁ ଜନ୍ମ ଦେଇଛି, ସେମାନଙ୍କ ସହିତ ଜୟଦେବ ସମକକ୍ଷ । ଅଶ୍ଵଘୋଷ, ଭାସ, କାଳିଦାସ, ଭର୍ତ୍ତୃହରିଙ୍କ ଠାରୁ ଆରମ୍ଭ କରି ବିଲହନ ଓ ଶ୍ରୀହର୍ଷ ପ୍ରମୁଖ ଶାସ୍ତ୍ରୀୟ ସଂସ୍କୃତ କବି ଥିଲେ। ଏହି କ୍ରମରେ ଶେଷ ହେଉଛନ୍ତି ଜୟଦେବ । ତାଙ୍କର ଏହି କୃତି, କାଳିଦାସଙ୍କ ମେଘଦୂତଙ୍କ ସହିତ ସମକକ୍ଷ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।
ସେ କହିଥିଲେ ଯେ, ଭାରତର ପ୍ରଥମ ଆଞ୍ଚଳିକ ଭାଷାଭିତ୍ତିକ ଗ୍ରନ୍ଥ ଭାବେ ସ୍ୱୀକୃତ ଓଡ଼ିଆ ଭାଷାରେ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ଓ ବଳରାମ ଦାସଙ୍କ ଦାଣ୍ଡୀ ରାମାୟଣ ରଚନାର ବହୁ ପୂର୍ବରୁ ଓଡ଼ିଆ କବି ଜୟଦେବଙ୍କ ‘ଗୀତଗୋବିନ୍ଦ’, ସଂସ୍କୃତ ଭାଷାରେ ଏକ ଅନନ୍ୟ ଅମୂଲ୍ୟ କୃତି ଏବଂ ଏହା ସର୍ବଭାରତୀୟ ସ୍ତରରେ ଆଦୃତ । ଗୀତଗୋବିନ୍ଦ ଆମ ଆଧ୍ୟାତ୍ମିକ ଅସ୍ମିତାର ଏକ ନିଦର୍ଶନ ବୋଲି ସେ କହିଥିଲେ ।
 
ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷମାନଙ୍କରୁ ଜଣାଯାଏ, ଅତୀତରେ ଏହି କେନ୍ଦୁଲି ଗ୍ରାମ ବୈଷ୍ଣବ ସଂସ୍କୃତିର ଏକ ମହାନ କେନ୍ଦ୍ରସ୍ଥଳୀ ଥିଲା ବୋଲି ମତ ଦେଇ ସେ କହିଥିଲେ ଯେ, ଏଠାରୁ ମିଳିଥିବା ମାଧବ ମୂର୍ତ୍ତିମାନଙ୍କରୁ ମାଧବ ଉପାସନାର ସ୍ପଷ୍ଟ ସୂଚନା ମିଳିଥାଏ । ନିଆଳିଠାରେ ଅବସ୍ଥିତ ମାଧବ ମନ୍ଦିର ଜୟଦେବ ସ୍ଵାମୀଙ୍କ ଉପାସନା ପୀଠ ଥିଲା ବୋଲି ଜନଶ୍ରୁତି ରହିଛି ।
 
ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ଜନ୍ମ ଓ ତାଙ୍କ ଜୀବନୀ ସହିତ ଜଡ଼ିତ ଅନେକ କାହାଣୀ ଓ ଲୋକକଥା ବର୍ଣ୍ଣନା କରିଥିଲେ ।
Odisha CM pays tributes to Poet Jayadev on his Birth Anniversary
 
‘ଗୀତଗୋବିନ୍ଦ’ ଶ୍ରୀଜଗନ୍ନାଥଙ୍କୁ, ଶ୍ରୀକୃଷ୍ଣଙ୍କୁ ନିବେଦିତ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଜଗନ୍ନାଥ ହେଉଛନ୍ତି ଭକ୍ତିର ଠାକୁର । ସେ ଭଜନ କୀର୍ତ୍ତନ ପ୍ରିୟ। ସେ ଭାବବିନୋଦିଆ। ପ୍ରିୟ ଭଜନରେ ଭଗବାନ ପ୍ରସନ୍ନ ହୁଅନ୍ତି । ସେଥିପାଇଁ ଶ୍ରୀ ମନ୍ଦିରରେ ଗୀତଗୋବିନ୍ଦ ସେବା ଲାଗି ହୁଏ।
 
‘ଗୀତଗୋବିନ୍ଦ’ ଯୋଗୁ ଜୟଦେବଙ୍କୁ ମହାକବିର ମର୍ଯ୍ୟାଦା ମିଳିଛି ବୋଲି ମତ ଦେଇ ସେ କହିଲେ ଯେ, ‘ଗୀତଗୋବିନ୍ଦ’ ହେଉଛି ପ୍ରେମ, ଭକ୍ତି, ଶୃଙ୍ଗାର ଓ ଭାବମୟତାର କାବ୍ୟ । ରାଧାକୃଷ୍ଣଙ୍କର ଶାଶ୍ୱତ ଲୀଳାକୁ ନେଇ ଏହି କାବ୍ୟ ରଚିତ ହୋଇଛି । ‘ଗୀତଗୋବିନ୍ଦ’ ହେଉଛି ଜଗନ୍ନାଥଙ୍କୁ ସମର୍ପିତ ଭକ୍ତି ଓ ଭାବର ମହାକାବ୍ୟ । ଏହା ଆମର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟ ତଥା ପରମ୍ପରାକୁ ପରିପୁଷ୍ଟ କରିଛି ବୋଲି ସେ କହିଥିଲେ।
 
ଜୟଦେବଙ୍କ କୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ବୋଲି ମତ ଦେଇ ସେ କହିଲେ ଯେ, ‘ଗୀତଗୋବିନ୍ଦ’ ବିଭିନ୍ନ ବିଦେଶୀ ଭାଷାରେ ଯଥା- ଫରାସୀ, ଜର୍ମାନ, କୋରିୟାନ୍, ଜାପାନୀ ଓ ଇଂରାଜୀରେ ଅନୁବାଦ ହୋଇଛି । ଫଳରେ, ଏହା ସାରା ପୃଥ‌ିବୀର ସାହିତ୍ୟ-ରସିକ ଓ ଗବେଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଗୀତଗୋବିନ୍ଦରେ ଅଛି ଭକ୍ତି, ଭାବମୟତା ଓ ସଙ୍ଗୀତମୟତା। ଫଳରେ, ଏହା କେବଳ ଲୋକପ୍ରିୟ ହୋଇନାହିଁ ବରଂ ଅନ୍ୟମାନଙ୍କ ଦ୍ଵାରା ବ୍ୟବହାର ଓ ପରିବେଷଣ ମଧ୍ୟ କରାଯାଉଛି ।
 
ଓଡ଼ିଆ ସାହିତ୍ୟରେ ‘ଗୀତଗୋବିନ୍ଦ’ର ଯଥେଷ୍ଟ ପ୍ରଭାବ ପଡ଼ିଛି ବୋଲି ମତ ଦେଇ ସେ କହିଲେ ଯେ, ଓଡ଼ିଆ ଭାଷାରେ ପ୍ରଥମେ ଧରଣୀଧର ଦାସ ଏହାର ଅନୁବାଦ କରିଥିଲେ । ପରେ ଏହାର ଅନୁବାଦ ଉଦ୍ଧବ ଦାସ, ବାସୁଦେବ ମିଶ୍ର, ଜଗନ୍ନାଥ ମିଶ୍ର ଓ ଅନନ୍ତ ରଥ, ବାଣୀଭୂଷଣ ଇତ୍ୟାଦି ପଣ୍ଡିତ କରିଛନ୍ତି ।
 
ସେହିପରି ଆମ ଭାଷାରେ ବୃନ୍ଦାବନ ଦାସଙ୍କ ‘ରସବାରିଧି’, ଦୀନକୃଷ୍ଣ ଦାସଙ୍କ ‘ଅମୃତସାଗର’, ବଜରୀ ଦାସଙ୍କ ‘ଅର୍ଥଗୋବିନ୍ଦ’, ପିଣ୍ଡିକ ଶ୍ରୀଚନ୍ଦନଙ୍କ ‘ବସନ୍ତରାସ’ ଓ ଶ୍ୟାମସୁନ୍ଦର ଭଞ୍ଜଙ୍କ ‘ବସନ୍ତ କ୍ରୀଡ଼ା ସମୁଜ୍ଜ୍ବଳ ରସବତୀ’ ଇତ୍ୟାଦି ଗ୍ରନ୍ଥ ମଧ୍ୟ ଜୟଦେବଙ୍କ ‘ଗୀତଗୋବିନ୍ଦ’ର ପ୍ରଭାବରେ ରଚନା କରାଯାଇଛି ବୋଲି କୁହାଯାଏ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।
‘ଗୀତଗୋବିନ୍ଦ’ ବ୍ୟତୀତ ଜୟଦେବ, ଦଶାବତାର ସ୍ତୋତ୍ର ରଚନା କରି ପ୍ରସିଦ୍ଧ ହୋଇଛନ୍ତି। ଏହି ଦଶାବତାର ସ୍ତୋତ୍ର ମଧ୍ୟ ସମଗ୍ର ବିଶ୍ଵରେ ଆଦୃତ । ବେଦ ଓ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ଜୟଦେବ ପ୍ରବୀଣ ଥିଲେ ବୋଲି ସେ କହିଥିଲେ ।

By Nirvay

Leave a Reply

Your email address will not be published. Required fields are marked *