ବିଜୁ ଯୁବ ଜନତା ଦଳ ଆଗକୁ ‘ବେକାରୀ ଯୁବ ସମ୍ମିଳନୀ’ କରିବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସାହୁ କହିଥିଲେ, ରାଜ୍ୟରେ ବେକାରୀ ବେରୋଜଗାରୀ ଆଜି ଚରମ ସୀମାରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ କୌଣସି ଯୁବ ନୀତି ନାହିଁ କି ଯୁବବର୍ଗର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ରୋଡ଼ମ୍ୟାପ ନାହିଁ । ରାଜ୍ୟ ସରକାରଙ୍କ କୌଣସି ଯୁବ ନୀତି ନାହିଁ କି ଯୁବବର୍ଗର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ରୋଡ଼ମ୍ୟାପ ନାହିଁ । ସାହୁ କହିଥିଲେ, ଗୋଟିଏ ପଟେ ରାଜ୍ୟ ସରକାର ନିଶାମୁକ୍ତ ଭାରତ ନାରା ଦେଇ ଗଣଦୌଡ ଆୟୋଜନ କରାଯାଇଛି, କିନ୍ତୁ ଅପରପକ୍ଷରେ ସରକାର ଗତକାଲି ରାଜ୍ୟରେ ବନ୍ଦ ହୋଇଥିବା ପ୍ରାୟ ୭୦ଟି ମଦ ଦୋକାନ ଖୋଲିବ ବୋଲି ସୂଚନା ଦେଇଛନ୍ତି । ଏଗୁଡିକ, ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ନିକଟରେ ଥିବାରୁ ବିଜେଡି ସରକାର ଏଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ, ବର୍ତ୍ତମାନର ବିଜେପି ସରକାର ଏହାକୁ ପୁଣିଥରେ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସରକାରଙ୍କ ଦୋମୁହାଁ ଚରିତ୍ରକୁ ପଦାରେ ପକାଇବା ସହିତ ନିଶାମୁକ୍ତ ଭାରତ ଗଠନର ନାରା କେବଳ ଏକ ପ୍ରହସନ ବୋଲି ସ୍ପଷ୍ଟ ହେଉଛି । ବିଜେପି ସରକାର ଆସିବା ପରେ ଓଡ଼ିଶାର ଯୁବପିଢ଼ି ‘ଉଡ଼ତା ପଞ୍ଜାବ’ ରାସ୍ତାରେ ଯାଇ ନିଶାକୁ ଆପଣାଇଲେଣି । ଯେଉଁ ସମୟରେ ଯୁବକମାନେ ଅବହେଳିତ ଏବଂ ଅନିଶ୍ଚିତ ଭବିଷ୍ୟତର ନୈରାଶ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି, ସେଭଳି ସମୟରେ ‘ନିଶା ମୁକ୍ତି’ ଗଣଦୌଡ଼ ହାସ୍ୟାସ୍ପଦ ଏବଂ ମରୀଚିକା ପଛରେ ଧାଇଁବା ଭଳି । ଏ ଦୋମୁହାଁ ସରକାର ସେପଟେ ୭୦ ମଦ ଦେକାନ ପୁନଃ ଖୋଲିବା ଦିଗରେ ମାତିଛନ୍ତି, ଯାହା ପୂର୍ବ ସରକାରରେ ବନ୍ଦ ଥିଲା । ଶିକ୍ଷାନୁଷ୍ଠାନ ଏବଂ ଦେବାଳୟ ଭଳି ସ୍ଥାନ ନିକଟରେ ଏମାନେ ମଦ ଦୋକାନ ଖୋଲିବେ, ଇଏ ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ପରି ଅବସ୍ଥା । ସାହୁ କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ବିଜେପି ତାର ନିର୍ବାଚନୀ ଇସ୍ତାହାରରେ, ଦେଢ ଲକ୍ଷ ଖାଲିଥିବା ସରକାରୀ ଚାକିରୀକୁ ଦୁଇ ବର୍ଷରେ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଗତ ପନ୍ଦର ମାସରେ ରାଜ୍ୟ ସରକାର ୫୭,୦୦୦ ପଦବୀ ପୂରଣ କଲେଣି ବୋଲି ବାହାସ୍ଫୋଟ ମାରୁଛନ୍ତି । କିନ୍ତୁ, ବାସ୍ତବରେ ଏହି ପନ୍ଦର ମାସରେ ଦିଆଯାଇଥିବା ନିଯୁକ୍ତି ଗୁଡିକର ନିଯୁକ୍ତି ପ୍ରକ୍ରିୟା ନବୀନ ସରକାରଙ୍କ ସମୟରେ ହୋଇଥିଲା । କେବଳ ନିଯୁକ୍ତି ପତ୍ର ବିତରଣ କରି ଏଥିରୁ ବାହାବା ନେବାକୁ ସରକାର ଚେଷ୍ଟା କରୁଛନ୍ତି । ନିଯୁକ୍ତି ପାଇଁ ସରକାରଙ୍କ ତରଫରୁ କରାଯାଉଥିବା ସମସ୍ତ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ଗତ ପନ୍ଦର ମାସରେ ପନ୍ଦରଟି ପରୀକ୍ଷାରେ ମହାବିଭ୍ରାଟ ଦେଖିବାକୁ ମିଳିଛି । ରାଜ୍ୟ ସରକାର ରାଜ୍ୟରେ ୧୬ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ବୋଲି ଦାବି କରିଥିଲେ । କିନ୍ତୁ, ଆଜି ଗୋଟିଏ ବି ପ୍ରକଳ୍ପର ଗ୍ରାଉଣ୍ଡିଙ୍ଗ ହୋଇ ପାରି ନଥିବା ବେଳେ, ପୂର୍ବରୁ ଚୁକ୍ତିବଦ୍ଧ ଥିବା ଅନେକ କମ୍ପାନୀ ଓଡିଶା ଛାଡ଼ୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି । ସେହିପରି ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶା କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ହାସଲ କରିଥିଲା । କିନ୍ତୁ, ଏବେ କ୍ରୀଡା କ୍ଷେତ୍ରରେ ଓଡିଶା ପଛକୁ ଚାଲି ଯାଇଛି, ଯାହା ଯୁବବର୍ଗକୁ ନିରାଶ କରିଛି । ପର୍ଯ୍ୟଟନ କ୍ଷେତ୍ରରେ ନବୀନଙ୍କ ନେତୃତ୍ୱରେ ଓଡିଶା ଆଗକୁ ଯାଇଥିଲା, କିନ୍ତୁ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାକୁ ନେଇ ଆମେରିକା ତାଙ୍କ ଦେଶର ଲୋକଙ୍କୁ ଓଡିଶା ଆସିବାକୁ ବାରଣ କରିଛି । ଏହାଯୋଗୁ, ଓଡିଶାକୁ ପର୍ଯ୍ୟଟକ ଆଗମନରେ ହ୍ରାସ ପାଇଛି ଓ ପର୍ଯ୍ୟଟକଙ୍କ ମାଧ୍ୟମରେ ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ପାଇଛି । ପୂର୍ବ ସରକାର ସମୟର ନିଯୁକ୍ତିକୁ କେବଳ ନାମ ବଦଳାଇ ବାହାବା ନେଉଛନ୍ତି ବିଜେପି ସରକାର । ୨ ବର୍ଷ ଭିତରେ ଦେଢ଼ ଲକ୍ଷ ଚାକିରି ଦେବେ କହିଥିଲେ । ଏ ସରକାରର ଯଦି ଦମ୍ ଅଛି କେତେ ବିଜ୍ଞପ୍ତି ଜାରି ହୋଇଛି ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଚିନ୍ମୟ ସାହୁ କହିଛନ୍ତି । Post navigation “ନିଶାମୁକ୍ତ ଭାରତ ଅଭିଯାନ” ସଂକଳ୍ପ ନେଇ ଭୁବନେଶ୍ୱରରେ ଆୟୋଜିତ ‘ନମୋ ଯୁବ ରନ୍’ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଆଜି ପବିତ୍ର ମହାଳୟା; ଦିଆଯାଉଛି ପୂର୍ବପୁରୁଷଙ୍କୁ ପିଣ୍ଡଦାନ