ରାଜ୍ୟରେ ବଢ଼ିବ ସ୍ବାସ୍ଥ୍ୟ ବୀମା ପରିସର। ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁଥିବା ବେଳେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ବିଜେପି। ତେବେ ବଡ କଥା ହେଉଛି ଆଗକୁ ଆୟୁଷ୍ମାନ ଭାରତ ଲାଗୁ ହେବ ନା BSKY ଜାରି ରହିବ ସେ ନେଇ ଚର୍ଚ୍ଚା ଚାଲିଛି।

ରାଜ୍ୟରେ ଛାଇ ରହିଛି ସ୍ବାସ୍ଥ୍ୟ ବୀମା ପ୍ରସଙ୍ଗ। BSKY ଏବଂ ଆୟୁଷ୍ମାନ ଭାରତକୁ ନେଇ ଚର୍ଚ୍ଚା ହେଉଛି। ଆଗକୁ ଆୟୁଷ୍ମାନ ଭାରତ ଲାଗୁ ହେବ ନା ଜାରି ରହିବ BSKY ? ଏହାମଧ୍ୟ କୁହାଯାଉଛି ଯେ ସ୍ବାସ୍ଥ୍ୟ ସୁରକ୍ଷାର ପରିସୀମା ବୃଦ୍ଧି ନେଇ ଯୋଜନା ଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଦୁଇ ଯୋଜନାକୁ ତର୍ଜମା କରି ପଦକ୍ଷେପ ନିଆଯିବ। ତେବେ ଆଗାମୀ ସମୟରେ ସ୍ବାସ୍ଥ୍ୟ ସୁରକ୍ଷାର ପରିସୀମା ବୃଦ୍ଧି ନେଇ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ରାଜ୍ୟରେ ଯଦି ଆୟୁଷ୍ମାନ ଭାରତ ଲାଗୁ ହେବ ଏହାର ମାପଦଣ୍ଡ ଅନୁସାରେ ୬୩ ଲକ୍ଷ ପରିବାର ସୁବିଧା ପାଇବେ। କିନ୍ତୁ BSKYରେ ଉପକୃତ ହେଉଛନ୍ତି ୧ କୋଟି ୩ ଲକ୍ଷ ପରିବାର। ବାର୍ଷିକ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ମହିଳାଙ୍କ ପାଇଁ ମିଳୁଛି ଅତିରିକ୍ତ ୫ ଲକ୍ଷର ଚିକିତ୍ସା ସୁବିଧା।

ଦୁଇ ଯୋଜନାର ମାପଦଣ୍ଡ ଭିନ୍ନ ଥିବାରୁ ଗୋଟିଏ ଯୋଜନା ଚାଲିଲେ ବାଦ ପଡ଼ିବେ ଅନେକ ହିତାଧିକାରୀ। ତେଣୁ ଏହି ଦୁଇ ଯୋଜନାକୁ ମିଶାଇ ଆଗାମୀ ଦିନରେ ବଡ ଯୋଜନା ଆଣିପାରନ୍ତି ସରକାର। ଖୁବଶୀଘ୍ର ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି। ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହିତ ବିଚାର ବିମର୍ଷ ପରେ ପ୍ରକ୍ରିୟା ଆରମ୍ଭ ହେବ। ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା। ଆୟୁଷ୍ମାନ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ହୋଇଥିବାରୁ ଦୁଇ ଯୋଜନାକୁ ତର୍ଜମା କରି ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *