ଆଜି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଛି ଭାଷା ଆନ୍ଦୋଳନ, ଓଡ଼ିଶା । ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ଭାଷା ଆଇନ ଖିଲାପ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଣି କଳାପତାକା ଅଭିଯାନ ଆରମ୍ଭ କରିବାକୁ ‘ଭାଷା ଆନ୍ଦୋଳନ, ଓଡ଼ିଶା’ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯୋଗ୍ୟ ଯେ ଏତାଦୃଶ ଦାବି ନେଇ ୨୦୧୬ ମସିହା ଏପ୍ରିଲ ୧୩ ତାରିଖ ଠାରୁ ୨୦୧୮ ମସିହା ସେପ୍ଟେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮୭୮ ଦିନ ଧରି କଳାପତାକା ଅଭିଯାନ ଚାଲିଥିଲା । ଏଥିରେ ରାଜ୍ୟର ବୁଦ୍ଧିଜୀବୀ, ରାଜନେତା, କଳାକାର, ଲେଖକ ଏବଂ ବିଶିଷ୍ଟ ଚିନ୍ତକମାନେ ଯୋଗଦେଇଥିଲେ । ଓଡ଼ିଆ ଭାଷା ଓ ଆନ୍ଦୋଳନର ଗମ୍ଭୀରତାକୁ ଅନୁଭବ କରି ତତ୍କାଳୀନ ସରକାର ବିଧାନସଭାରେ ‘ଭାଷା ଆଇନ-୧୯୫୪’ରେ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ । ତିନିଥର ସଂଶୋଧନ କଲାପରେ ସଂଶୋଧିତ ଭାଷା ଆଇନ – ୨୦୧୮ (ଦ୍ୱିତୀୟ) ବିଧାନସଭାରେ ପାରିତ ହେବାପରେ ଏକମାତ୍ର ଓଡ଼ିଆ ଭାଷା ହିଁ ‘ରାଜ୍ୟ ସରକାରୀ ଭାଷା’ ଭାବେ ଆଇନଗତ ସ୍ୱୀକୃତି ପାଇଲା ଏବଂ ତଦନୁଯାୟୀ ୨୦୧୯ ମସିହା ଅଗଷ୍ଟ ୧୭ ତାରିଖରେ ରାଜପତ୍ର ମାଧ୍ୟମରେ ନିୟମାବଳୀ ପ୍ରକାଶ ପାଇଥିଲା । ସେହି ଦିନଠାରୁ ଓଡ଼ିଆ ଭାଷା ହିଁ ଏକମାତ୍ର ସରକାରୀ ଭାଷା ଏବଂ ସରକାରୀ କର୍ମଚାରୀ ଏହାର ଖିଲାପ କଲେ ସେମାନଙ୍କ ବିରୁଦ୍ଧରେ ସରକାରୀ କର୍ମଚାରୀ ଦଣ୍ଡବିଧି-୧୯୬୨ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବାର ଆଇନଗତ ଭାବେ କ୍ଷମତାପ୍ରାପ୍ତ ହେଲେ । ମାତ୍ର ପରିତାପର ବିଷୟ ଯେ, ଚଳିତ ସରକାର ୨୦୨୪ ମସିହା ଅଗଷ୍ଟ ୨୭ ତାରିଖରେ ଅଧିସୂଚନାରେ ମାଧ୍ୟମରେ ସମସ୍ତ ସରକାରୀ କାର୍ଯ୍ୟ ଉଭୟ ଓଡ଼ିଆ ଓ ଇରାଜୀ ଭାଷାରେ ନିଷ୍ପାଦନ ପାଇଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଓଡ଼ିଆ ଭାଷାର ବିଲୋପ ପାଇଁ ସରକାର ଏବଂ ପ୍ରଶାସନିକ ସ୍ତରରେ ନିଆଯାଇଥିବା ପଦକ୍ଷେପକୁ ତୀବ୍ର ବିରୋଧ କରାଯାଇଛି । ୨୦୨୪ର ଏହି ଅଧିସୂଚନା ପ୍ରତ୍ୟାହାର କରାଯାଇ ଓଡ଼ିଆ ଭାଷାର ବାଧ୍ୟତାମୂଳକ ନିଷ୍ପାଦନା ପାଇଁ ଦୃଢ଼ ଦାବି କରାଯାଇଛି । ଆସନ୍ତା ଉତ୍କଳ ଦିବସ (୨୦୨୬ ମସିହା ଏପ୍ରିଲ ଏକ ତାରିଖ) ପୂର୍ବରୁ ଯଦି ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ବିଧି ବ୍ୟବସ୍ଥା କଡାକଡି ପାଳନ ପାଇଁ ସରକାର ଯଦି ପ୍ରକ୍ରିୟା ଆରମ୍ଭ ନକରନ୍ତି, ତେବେ ୨୦୧୬ ମସିହାରେ ଆରମ୍ଭ କରାଯାଇଥିବା କଳାପତାକା ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟ ପୁନର୍ବାର ଚଳିତ ବର୍ଷ ଏପ୍ରିଲ ୧୪ ତାରିଖ (ଓଡ଼ିଆ ନୂତନବର୍ଷ ୨୦୨୬) ଠାରୁ ଆରମ୍ଭ କରାଯିବ । ଏହି କଳାପତାକା ଅଭିଯାନ ବିଧାନସଭା ସମ୍ମୁଖରେ ଥିବା ଭାଷା ଆଇନ ପ୍ରଣେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଠାରୁ ଲୋକ ଭବନ ସମ୍ମୁଖସ୍ଥ ଓଡ଼ିଶା ନିର୍ମାତା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ପାଞ୍ଚ ଘଟିକା ବେଳେ ଆରମ୍ଭ କରିବାକୁ ଭାଷା ଆନ୍ଦୋଳନ, ଓଡିଶା ବାଧ୍ୟ ହେବ । ଭାଷା ଆନ୍ଦୋଳନ ପ୍ରାୟ ୧୮ ଦାବି ଉପସ୍ଥାପନା କରିଛି । ସେହି ଦାବି ଗୁଡିକ ଭିତରେ ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ୨୦୧୯ ମସିହାରେ ଲାଗୁ ହୋଇଥିବା ନିୟମାବଳୀକୁ କଡା କଡ଼ି ପାଳନ କରାଯାଉ, ସମସ୍ତ ସ୍କୁଲ ଗୁଡିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ବାଧ୍ୟତାମୂଳକ କରାଯାଉ, ୨୦୦ ମାର୍କ ର Elective ପ୍ରକ୍ରିୟାଟି ବାଦ ଦିଆଯାଉ । ଏପରିକି ଓଡ଼ିଆ ବିଏଡ଼, ଏମେଡ଼ ପ୍ରଶିକ୍ଷଣ ଦିଆଯାଉ, ଭାଷା ପ୍ରତିଷ୍ଠାନ ମାଧ୍ୟମରେ ସରକାରୀ କର୍ମଚାରୀଙ୍କୁ ନିୟମିତ ଭାବେ ସଠିକ ଉପାୟ ତଥା ଭରଚୁଆଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉ, ବିଜେପି ସଂକଳ୍ପ ପତ୍ରରେ ରାଜ୍ୟ ସଂଗ୍ରହାଳୟରୁ ୨୦ ହଜାର ପାଣ୍ଡୁଲିପି ଓ ୫୦ ହଜାର କଳାକୃତି ନିଖୋଜର ଉଧାର ଏବଂ କାର୍ଯ୍ୟନୁଷ୍ଠାନ, ଉତ୍କଳ ସମ୍ମିଳନୀ ର ହୃତଗୌରବ ଫେରେଇ ଅଣାଯାଉ । ସୀମାବର୍ତୀ ଜିଲ୍ଲା ଗୁଡିକରେ ବିଧି ମୁତାବକ ଓଡ଼ିଆ ଜିଲ୍ଲାପାଳ ନିଯୁକ୍ତି, ବ୍ରହ୍ମପୁର ଠାରେ ଥିବା ଓଡ଼ିଶା ଗଠନର ଏନ୍ତୁଡିଶାଳ “ଉତ୍କଳ ଆଶ୍ରମ”କୁ ଐତିହ୍ୟସ୍ଥଳୀର ମାନ୍ୟତା ଦେଇ ସରକାର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ, ଷ୍ଟାଚ୍ୟୁ ଅଫ ୟୂନିଟ୍ ଶୈଳୀରେ ସୁଭାଷଚନ୍ଦ୍ର ବୋଷ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସୂଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉ, ‘ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରକୁ ସ୍ବୟଂଶାସିତ କରିବା, ଓଡିଶା ବିଧାନସଭାର ସଭା ଗୃହରେ “ବନ୍ଦେ ଉତ୍କଳ ଜନନୀ” ଗାନ, ଓଡ଼ିଆ ଭାଷା ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ଗୁଡିକୁ ଆନୁଷଙ୍ଗିକ ସହାୟତା ଓ ଏଥି ସହିତ ସମ୍ପୃକ୍ତ ସାମ୍ବାଦିକ ମାନଙ୍କୁ ଅନ୍ୟ ରାଜ୍ୟ ଭଳି ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରାଯାଉ । ଅସ୍ମିତା ପରିପ୍ରେକ୍ଷୀରେ ଏହି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡିକ ଆସନ୍ତା ଉତ୍କଳ ଦିବସ ପୂର୍ବରୁ ପୁରଣ ନେଇ ପଦକ୍ଷେପ ନନେଲେ ସମଗ୍ର ରାଜ୍ୟରେ ଭାଷା ଆନ୍ଦୋଳନ ପକ୍ଷରୁ କଳାପତାକା ପ୍ରତିବାଦ ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଭାଷା ଆନ୍ଦୋଳନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଇଂ ଚକ୍ରଧର ମହାନ୍ତ, ସଭାପତି ଜାନକୀଶ ବଡ଼ପଣ୍ଡା, ଆବାହକ ପବିତ୍ର ମହାରଥା, ଉପ ସଭାପତି ନବ କିଶୋର ପ୍ରଧାନ, ଉପ ସଭାପତି ସାଗର ଶତପଥୀ, ଉପ ସଭାପତି ସାରଦା ପ୍ରସାଦ ମହାପାତ୍ର ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଆବାହକ ପବିତ୍ର ମହାରଥା ଜଣାଇଛନ୍ତି । Post navigation LPG Available In Odisha: ରାଜ୍ୟରେ ଅଭାବ ନାହିଁ ରନ୍ଧନ ଗ୍ୟାସ: ମୁଖ୍ୟ ଶାସନ ସଚିବ