ଆଉ ୨ ଦିନ ବଢ଼ିଲା ନ୍ୟାୟ ସଂହିତା ପ୍ରଦର୍ଶନୀ । ଉଦ୍‌ଯାପନୀ ଉତ୍ସବରେ ୨ ଦିନ ଅବଧି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୬ରୁ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ନୂଆ ଆଇନ ନ୍ୟାୟ ସଂହିତା ପ୍ରଦର୍ଶନୀ । ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନୀକୁ ଦୁଇ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହା ଆସନ୍ତା ୧୨ ତାରିଖ ଯାଏ ଜାରି ରହିବ ।

ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ଏହି ସୂଚନାପ୍ରଦ ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ନୂତନ ଅପରାଧିକ ନ୍ୟାୟିକ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା। ବିଶେଷ କରି ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଥିବା ପୁରୁଣା ବ୍ରିଟିଶ କାଳର ଆଇନ ବଦଳରେ ନୂତନ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ଏଠାରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିଟି ଷ୍ଟଲ୍ ବୁଲି ଦେଖିବା ସହ ବରିଷ୍ଠ ପୋଲିସ ଅଧିକାରୀ, ଫରେନସିକ୍ ବିଶେଷଜ୍ଞ ଏବଂ ଆଇନଜୀବୀମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାର ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟାରେ ଆଧୁନିକ ଜ୍ଞାନକୌଶଳ, ଫରେନସିକ୍ ଉପକରଣ ଏବଂ ଡିଜିଟାଲ୍ ମାଧ୍ୟମର ବ୍ୟବହାର କିଭଳି କରାଯାଉଛି, ତାହାର ସେ ସମୀକ୍ଷା କରିଥିଲେ।

ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ନାଗରିକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଯେଉଁ ସଂକଳ୍ପ ରହିଛି, ତାହାର ଶ୍ରେଷ୍ଠ ପ୍ରମାଣ ହେଉଛି ଏହି ଭାରତୀୟ ନ୍ୟାୟ ସଂହିତା। ଏହି ପ୍ରଦର୍ଶନୀ ସାଧାରଣ ଲୋକଙ୍କୁ ଏହି ନୂଆ ଆଇନର କାର୍ଯ୍ୟକାରିତା ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନ କରିବାରେ ଏକ ଉତ୍ତମ ପଦକ୍ଷେପ । ଏହି ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ।

Leave a Reply

Your email address will not be published. Required fields are marked *