ଆସନ୍ତାକାଲି ଭାରତ ବନ୍ଦ ରହିବ । ଦେଶର ୧୦ଟି ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ରର ନୀତି ବିରୋଧରେ ଆସନ୍ତାକାଲି ୧୦ ରୁ ଅଧିକ ବାଣିଜ୍ୟ ଏବଂ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ତେଣୁ ଫେବୃଆରୀ ୧୨ ତାରିଖରେ ଓଡ଼ିଶାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇପାରେ ବୋଲି ଜଣାପଡିଛି। ଆସନ୍ତାକାଲି ବ୍ୟାଙ୍କ ସେବା, ସରକାରୀ କାର୍ଯ୍ୟକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ପରିବହନ ସେବା ଏବଂ ବଜାର ଗୁରୁତର ଭାବେ ପ୍ରଭାବିତ ହେବାର ଅନୁମାନ କରାଯାଉଛି ।

ନୂତନ ଭାବରେ ପ୍ରଚଳିତ ଚାରୋଟି ଶ୍ରମ ସଂହିତା ପ୍ରତ୍ୟାହାର ଦାବି କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଗୁଡ଼ିକ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଥିବାରୁ ଫେବୃଆରୀ ୧୨ ତାରିଖରେ ସାରା ଓଡ଼ିଶାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ଧର୍ମଘଟକୁ ଅନେକ କୃଷକ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି।

ପ୍ରମୁଖ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାସ୍ତା ଅବରୋଧ କରିବାର ସମ୍ଭାବନା ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଓଡ଼ିଶାରେ କଂଗ୍ରେସ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଦେଇଛି । ଏହା ସହ ସିପିଆଇ(ଏମ୍), ସିପିଆଇ, ସିପିଆଇ(ଏମ୍ଏଲ୍) ଲିବରେସନ ଏବଂ ଫରୱାର୍ଡ ବ୍ଲକ୍ ସମେତ ବାମପନ୍ଥୀ ଦଳଗୁଡ଼ିକ ଏହି ଧର୍ମଘଟକୁ ସମର୍ଥନ କରିଛନ୍ତି। ବନ୍ଦ ଡାକରା ଯୋଗୁଁ ବ୍ୟାଙ୍କ୍ ସେବା ପ୍ରଭାବିତ ହୋଇପାରେ । ତତସହିତ ପରିବହନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଗୁରୁତର ପ୍ରଭାବିତ ହୋଇପାରନ୍ତି । ବିଶେଷ କରି ସହରାଞ୍ଚଳରେ ବନ୍ଦର ପ୍ରଭାବ ରହିପାରେ । ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ସମସ୍ତ ମେଡ଼ିକାଲ ଖୋଲା ରହିବ।

କେନ୍ଦ୍ର ସରକାର ନୂତନ ଶ୍ରମ ଆଇନକୁ ବିରୋଧ କରି ଆନ୍ଦୋଳନର ଡାକରା ଦିଆଯାଇଛି । ଏହି ନୂତନ ଶ୍ରମ ଆଇନ ଦ୍ୱାରା କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେବା ସହିତ ନିଯୁକ୍ତି ସୁରକ୍ଷା ମଧ୍ୟ ହ୍ରାସ ପାଇବ । ଏହା କର୍ମଚାରୀଙ୍କୁ ନିଯୁକ୍ତି ଏବଂ ବହିଷ୍କାର କରିବାକୁ ନିଯୁକ୍ତିଦାତାଙ୍କୁ ଅଧିକ ସହାୟକ ହେବ । ତତ ସହିତ କର୍ମଚାରୀଙ୍କ ଦରମା ଏବଂ ସାମାଜିକ ସୁରକ୍ଷାକୁ ନେଇ ଅଭିଯୋଗ କରିଛନ୍ତି । ଆଇଏନଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ସେୱା, ଏଆଇସିସିଟିୟୁ, ଏଲପିଏଫ୍ ଏବଂ ୟୁଟିୟୁସି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଟ୍ରେଡ୍ ୟୁନିଅନର ଏହି ବନ୍ଦ ଡାକରାକୁ କୃଷକ ସଂଘ ମଧ୍ୟ ସମର୍ଥନ ଜଣାଇଛି । ବନ୍ଦ ପାଳନରେ ୩୦ କୋଟିରୁ ଉର୍ଦ୍ଧ୍ୱ ଶ୍ରମିକ ସାମିଲ ହେବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *