ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ଫସିଛନ୍ତି ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ । ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଏନ୍. ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ଅନ୍ୟମାନେ ହେଲେ ୟେଲା ଭେଙ୍କେଟେଶ୍ବର ରାଓ(କୋଣ୍ଡାବାବୁ), କେ. କ୍ରୀଷ୍ନା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ ପି.ଦିଲୀପ କୁମାର। କୋର୍ଟ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଶୁଣାଣି କରିଛନ୍ତି। ଦୀର୍ଘ ୧୪ ବର୍ଷ ତଳେ ରାୟଗଡ଼ାର ଆଦିବାସୀ ଯୁବ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । ୨୦୧୦, ଡିସେମ୍ବର ୧୫ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା । ମା ମଝିଘରିଆଣି ନିକଟରେ ଭାଗିରଥୀଙ୍କ ବାଇକ ପଡ଼ିଥିବାବେଳେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ତାଙ୍କ କୌଣସି ସନ୍ଧାନ ମିଳି ନ ଥିଲା । ଏହା ପରେ ପରିବାର ଲୋକ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶର ଏକ ନଦୀ ଡ୍ୟାମରୁ ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ଭାଗିରଥୀଙ୍କ ଅର୍ଦ୍ଧ ଦଗ୍ଧ ମରଶରୀର ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏଥିରେ ବିଜେଡ଼ି ନେତା ଏନ୍. ଭାସ୍କର ରାଓଙ୍କ ସମ୍ପୃକ୍ତି ଥିବା ନେଇ ଭାଗିରଥୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଆନ୍ଦୋଳନ ଯୋଗୁଁ ତତ୍କାଳୀନ ବିଜେଡ଼ି ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ । କିନ୍ତୁ ଭାସ୍କର ରାଓ ଜଣେ ଟାଣୁଆ ବିଜେଡ଼ି ନେତା ହୋଇଥିବାରୁ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । କ୍ରାଇମ ବ୍ରାଞ୍ଚ ସଠିକ ଭାବେ ତଦନ୍ତ କରୁ ନ ଥିବା ଅଭିଯୋଗରେ ଭାଗିରଥୀଙ୍କ ଭାଇ ଅଭିଯୋଗ କରିଥିଲେ । ମାମଲାର ସିବିଆଇ ତଦନ୍ତ ଦାବିରେ ସେ ଏ ନେଇ ୨୦୧୮ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜନାଥ ସିଂହଙ୍କୁ ଏକ ଦାବି ପତ୍ର ଦେଇଥିଲେ । Post navigation ଭରତପୁର ଥାନା ମାମଲା: କୋର୍ଟରେ ତଥ୍ୟ ଦାଖଲ କଲେ ରାଜ୍ୟ ସରକାର ଆମ୍ବ ଟାକୁଆ ପ୍ରସଙ୍ଗ ରେ ଜୟ ନାରାୟଣ ମିଶ୍ର ଙ୍କୁ ଘେରିଲା କଂଗ୍ରେସ