ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଢାକାର ପୂର୍ବତନ ପୋଲିସ ମୁଖ୍ୟ ସମେତ ୩ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । ୨୦୨୪ରେ ଶେଖ ହସିନା ସରକାର ବିରୁଦ୍ଧରେ ହୋଇଥିବା ବିକ୍ଷୋଭରେ ୬ ଜଣ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ କୋର୍ଟ ପୂର୍ବତନ ପୋଲିସ ଅଧିକାରୀ ଓ କାର୍ୟ୍ୟରତ ପୋଲିସ ଅଧିକାରୀଙ୍କୁ ସୋମବାର ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ୫ ଜଣ ପୋଲିସଙ୍କୁ ଭିନ୍ନ ଭିନ୍ନ କାରାବାସ ଦଣ୍ଡ ମିଳିଛି । ଫେବ୍ରୁଆରୀ ୧୨ ବାଂଲାଦେଶ ନିର୍ବାଚନ ପୂର୍ବରୁ ଆସିଲା ରାୟ। ସୂଚନା ଯୋଗ୍ୟ; ବାଂଲାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ର ବିଚାରପତି ଏମଡି ଗୋଲାମ ମର୍ତୁଜା ମଜୁମଦାର, ବିଚାରପତି ମହମ୍ମଦ ଶୈଫୁଲ ଆଲମ ମହମୁଦ ଏବଂ ବିଚାରପତି ମୋହିତୁଲ ହକ ଅନମ ଚୌଧୁରୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଢାକା ମେଟ୍ରୋପଲିଟାନ୍ ପୋଲିସ କମିଶନର ହବିବୁର ରେହମାନ, ପୂର୍ବତନ ଯୁଗ୍ମ କମିଶନର ସୁଦିପ କୁମାର ଚକ୍ରବର୍ତ୍ତ ଏବଂ ରମ୍ନା ଜୋନର ପୂର୍ବତନ ଅତିରିକ୍ତ ଉପାୟୁକ୍ତ ଶାହ ଆଲମ ମହମ୍ମଦ ଅଖତୁର ଇସଲାମଙ୍କ ବିରୋଦ୍ଧରେ ଏପରି ରାୟ ଶୁଣାଇଛନ୍ତି । ସେହିପରି ଅନ୍ୟ ୫ ଜଣ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦଣ୍ଡରେ ଦଣ୍ଡିତ କରିଛନ୍ତି । ରମ୍ନା ଜୋନର ସହକାରୀ କମିଶନର ମହମ୍ମଦ ଇମ୍ରୁଲଙ୍କୁ ୬ ବର୍ଷ, ଶାହବାଗ ଥାନା ଇସ୍ପେକ୍ଟର ମହମ୍ମଦ ଅର୍ଶଦ ହୋସେନଙ୍କୁ ୪ ବର୍ଷ, କନଷ୍ଟେବଳ ମହମ୍ମଦ ସୁଜନ ମିଆ, ମହମ୍ମଦ ହୁସେନ୍ ଇମନ ଏବଂ ମହମ୍ମଦ ନସିରୁଲ ଇସଲାମଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏମାନେ ଏବେବି ପୋଲିସ ହେପାଜତରେ ରହିଛନ୍ତି । କୋର୍ଟ ୨୬ ଜଣ ସାକ୍ଷୀ ଏବଂ ୨୩ ଟି କାର୍ଯ୍ୟ ଦିବସରେ ଶୁଶାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି । ବିଚାରପତି ଏମଡି ଗୋଲାମ ମର୍ତୁଜା ମଜୁମଦାର ଶୁଣାଣିରେ କହିଛନ୍ତି ଯେ ପୋଲିସ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ଖୋଲା ଗୁଳିଚାଳନା କରିଥିବା ପ୍ରମାଣିତ ହୋଇଛି । ହବିବୁର ରେହମାନ ଗୁଳି ଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ । Post navigation Khandagiri Jatra Guidelines: ଖଣ୍ଡଗିରି ଯାତ୍ରା ପାଇଁ ପୋଲିସର ୧୪ ନିୟମ; ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍ Adivasi Mela 2026: ଆଜିଠୁ ଆରମ୍ଭ ଆଦିବାସୀ ମେଳା; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ