ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ପୋଲିସ ଷ୍ଟେସନର ସହକାରୀ ସବ-ଇନ୍ସପେକ୍ଟର ଅରୂପା ନନ୍ଦ ଦାସ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ରାସ୍ତାପାର୍ଶ୍ୱରେ ଥିବା ଏକ ଢାବାର ମାଲିକଙ୍କ ଠାରୁ ମଦ ଦୋକାନ ଚଳାଇବା ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଥିଲେ। ଗିରଫ ପରେ ASIଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରାଯାଇଥିଲା । ଭୁବନେଶ୍ବର ଓ ବଡ଼ଗାଁ ଘରୁ ନଗଦ ୩ ଲକ୍ଷ ୩୧ ହଜାର ଟଙ୍କା ଜବତ ହୋଇଛି । ଏହା ସହ ଭିଏତନାମ ଓ ନେପାଳର ମୁଦ୍ରା ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଗତବର୍ଷ ମେ’ ମାସରେ ଭିଏତନାମ ବୁଲିବାକୁ ଯାଇଥିଲେ ଥାନା ବାବୁ ।

ସୂଚନା ମୁତାବିକ, ଗୁରୁବାର ସନ୍ଧ୍ୟାରେ ବଡ଼ଗାଁ ପୋଲିସ ଥାନାର ଏଏସ୍‌ଆଇ ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଢାବାମାଲିକଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ଏବଂ ତାଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏଏସ୍‌ଆଇ ଦାସ ତାଙ୍କୁ ୨୫,୦୦୦ ଟଙ୍କା ଲାଞ୍ଚ ନ ଦେଲେ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ ହୋଟେଲ ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ପୂର୍ବ ଯୋଜନା ମୁତାବକ ଗୁରୁବାର ହୋଟେଲ ମାଲିକଙ୍କଠାରୁ ଏଏସ୍‌ଆଇ ବଡଗାଁ ଥାନା ସମ୍ମୁଖରେ ଥିବା ଏକ ଚା’ ଦୋକାନ ନିକଟରେ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଏଏସ୍‌ଆଇଙ୍କୁ ଭିଜିଲାନ୍ସ ଅଧିକାରୀମାନେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାବୁ କରି ଗିରଫ କରିଛନ୍ତି। ତାଙ୍କ ନିକଟରୁ ସମସ୍ତ ୨୫,୦୦୦ ଟଙ୍କା ଜବତ କରାଯାଇଛି ଏବଂ ପ୍ରମାଣ ଭାବରେ ବିଧିବଦ୍ଧ ଭାବରେ ଜବତ କରାଯାଇଛି।

ଏଥିସହ ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ ୦୧/୨୦୨୬ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ASI ଅରୂପା ନନ୍ଦ ଦାସଙ୍କ ବିରୋଧରେ ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *