ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଲଞ୍ଚ ହେଲା ଆକ୍ସିଅମ୍ -୪ ମିଶନ। ଶେଷରେ ମହାକାଶକୁ ଯାତ୍ରା କଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଆକ୍ସିଅମ୍-୪ର ମିଶନ ପାଇଲଟ ଅଛନ୍ତି ଶୁଭାଂଶୁ ଶୁକ୍ଳା । ଦିନ ୧୨ଟା ୧ରେ ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଶୁଭାଂଶୁଙ୍କ ସହ ୩ ମହାକାଶଚାରୀ ଅନ୍ତରୀକ୍ଷ ଯାତ୍ରା କରିଛନ୍ତି ।

ସ୍ପେସଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରରୁ ଅନ୍ତରୀକ୍ଷକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ୩ ମହାକାଶଚାରୀ । ଏହା ସେହି ଐତିହାସିକ ସ୍ଥାନ ଯେଉଁଠାରୁ ୧୯୬୯ ମସିହାରେ ଆପୋଲୋ-୧୧ ମିଶନ ଅନ୍ତର୍ଗତ ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଉଡ଼ିଥିଲେ। ଏହି ମିଶନରେ ଭାରତ, ଆମେରିକା, ପୋଲାଣ୍ଡ୍ ଓ ହଙ୍ଗେରୀର ୪ ମହାକାଶଚାରୀ ସାମିଲ ହୋଇଛନ୍ତି । ୪ ଦଶନ୍ଧିରେ ଭାରତ, ପୋଲାଣ୍ଡ୍ ଓ ହଙ୍ଗେରୀର ପ୍ରଥମ ମହାକାଶ ଅଭିଯାନ ହୋଇଛି । ଆମେରିକାର ପେଗି ହ୍ବିଟସନ୍, ହଙ୍ଗେରୀର ଟିବୋର୍ କାପୁ, ପୋଲାଣ୍ଡର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ଏହି ଐତିହାସିକ ଯାତ୍ରା କରିଛନ୍ତି ।

ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଡକିଂ ପାଇଁ ଟାର୍ଗେଟ ରଖାଯାଇଛି । ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା । ଏବେ ସମସ୍ତଙ୍କ ନଜର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ଉପରେ ରହିଛି । ଏହି ଐତିହାସିକ ଉଡ଼ାଣ ଭାରତର ବୈଜ୍ଞାନିକ କ୍ଷମତାର ପ୍ରତୀକ।

ତେବେ ଏହା ହେଉଛି ଆକ୍ସିଅମ ୪, ନାସା ଓ ସ୍ପେସ୍ଏକ୍ସର ମିଳିତ ମିସନ । ପୂର୍ବରୁ ୬ ଥର ମିସନ ବାତିଲ କରାଯାଇଥିଲା । କେବେ ଯାନ୍ତ୍ରିକ ତ୍ରୁଟି ତ ପୁଣି କେବେ ଖରାପ ପାଣିପାଗ ପାଇଁ ମିସନ ପୂର୍ବରୁ ବାତିଲ କରାଯାଇଥିଲା । ଆଜି ଏହା ଉତକ୍ଷେପଣ ହୋଇଛି । ନାସା, ଅକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ୍ଏକ୍ସର ମିଳିତ ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି।

 

Leave a Reply

Your email address will not be published. Required fields are marked *