ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ବିଜେପିରେ ଯୋଗଦାନର କୌଣସି ପ୍ରଭାବ ପଡିବ ନାହିଁ ଓ ସୁବିଧାବାଦ ରାଜନୀତିର ଆଉ ଏକ ଉଦାହରଣ ସୃଷ୍ଟି କଲେ ବୋଲି ଆଜି ବିଜେଡି କହିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ସାଧାରଣ ସମ୍ପାଦିକା ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ୍ ମହାନ୍ତି, ସାଧାରଣ ସମ୍ପାଦିକା ରଂଜିତା ସାହୁ ଓ ରୀତାଞ୍ଜଳୀ ପ୍ରଧାନ ପ୍ରମୁଖ କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅମର ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ସହ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରି ରାଜନୈତିକ ପରିଚୟ ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ଚୋରି ବାବଦରେ ସମସ୍ତ ତଥ୍ୟ ସହ ନିର୍ବାଚନ କମିଶନ ନିକଟରେ ବିଜୁ ଜନତା ଦଳ ତରଫରୁ ଅଭିଯୋଗ ଦାୟର ହୋଇଥିଲା । ଯେଉଁଥିରେ ଅମର ପଟ୍ଟନାୟକ ପ୍ରମୁଖ ଭୂମିକା ନେଇଥିଲେ । ବର୍ତ୍ତମାନ ବିଜେପିରେ ସାମିଲ ହେଲା ପରେ ଭୋଟ ଚୋରି ସଂପର୍କରେ ଅମର ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ବିଜେଡି ଆଉ ମଧ୍ୟ କହିଛି ଅବସର ଗ୍ରହଣ କରିବା ପରେ ବିଜୁ ଜନତା ଦଳର ଆଦର୍ଶ ତଥା ନବୀନ ବାବୁଙ୍କ ନେତୃତ୍ୱକୁ ସର୍ବଦା ପ୍ରଶଂସା କରିଆସୁଥିବା ଅମର ପଟ୍ଟନାୟକ ବର୍ତ୍ତମାନ ରାଷ୍ଟ୍ର ନିର୍ମାଣ କରିବା ପାଇଁ ବିଜେପିରେ ଯୋଗ ଦେଲି କହିବା ହାସ୍ୟାସ୍ପଦ । ସାମାଜିକ ଗଣମାଧ୍ୟମରେ ପ୍ରତ୍ୟେକ ଦିନ ବିଜେପିର ଶୀର୍ଷ ନେତୃତ୍ୱ ତଥା ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଓ ଅପାରଗତାକୁ ଲୋକଲୋଚନକୁ ଆଣୁଥିବା ଶ୍ରୀ ପଟ୍ଟନାୟକ ଆଜି ହଠାତ ୟୁଟର୍ଣ୍ଣ ନେଇ ବିଜେପି ୱାସିନମେସିନ୍ରେ ପଶିବା ସୁବିଧାବାଦ ରାଜନୀତିର ଶ୍ରେଷ୍ଠ ଉଦାହରଣ । ଉପନିର୍ବାଚନ ପ୍ରଚାର ସକାଶେ ନବୀନ ପଟ୍ଟନାୟକ ନୂଆପଡାରେ ଥିବା ସମୟରେ ବିଜେପି ଅମର ପଟ୍ଟନାୟକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ସମୟ ଧାର୍ଯ୍ୟ କରିବା, ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ । ଯେଉଁଭଳି ଭାବେ ନୂଆପଡାବାସୀ ଆଜି ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଛନ୍ତି, ଏହାଦ୍ୱାରା ବିଜେପିର ଯୋଜନାବଦ୍ଧ ମିଶ୍ରଣ ଉଦ୍ୟମ ଫସରଫାଟିଛି ଓ ଉପନିର୍ବାଚନରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଡ. ମହାନ୍ତି କହିଛନ୍ତି । Post navigation Pitabas Panda: ପୀତବାସ ପଣ୍ଡା ହତ୍ୟା ମାମଲା; ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ SI Exam Scam: ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଜେଏମ୍ଏଫ୍ସି କୋର୍ଟରେ ହାଜର ହେଲେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି