ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ୍ ଓ ନ୍ୟାୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାଓ ମେଘଓ୍ୱାଲ କହିଛନ୍ତି ଦେଶର ଆଇନ୍ ଅଦାଲତମାନଙ୍କରେ ଏବେ ୫କୋଟି ୬୪ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି । ଏଥିମଧ୍ୟରେ ସୁପ୍ରିମକୋର୍ଟରେ ୯୬,୦୨୪ଟି ଓ ବିଭିନ୍ନ ହାଇକୋର୍ଟରେ ୬୪ଲକ୍ଷ ୭୨ ହଜାରରୁ ଅଧିକ ମାମଲା ଅନ୍ତର୍ଭୁକ୍ତ । ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଆନୁଯାୟୀ ଓଡ଼ିଶା ହାଇକୋର୍ଟରେ ୧୬.୦୭.୨୦୨୬ ସୁଦ୍ଧା ୧,୬୯,୩୨୦ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିମଧ୍ୟରୁ ୩୭୬ଟି ୩୦ ବର୍ଷରୁ, ୭୦୩୫ଟି ୨୦ ବର୍ଷରୁ ଓ ୩୮,୮୬୬ଟି ୧୦ ବର୍ଷରୁ ଅଧିକ ପୁରୁଣା ଥିବାବେଳେ ୬୯,୬୮୪ଟି ୫ ବର୍ଷରୁ ଅଧିକ ପୁରୁଣା । ସେହିଭଳି ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟଗୁଡ଼ିକରେ ଏହି ସମୟ ସୁଦ୍ଧା ମୋଟ ୧୮,୬୮,୩୨୩ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିମଧ୍ୟରୁ ୪୪୪୧ଟି ୩୦ ବର୍ଷରୁ ଅଧିକ ପୁରୁଣା। ଏହାଛଡ଼ା ଓଡ଼ିଶାର ୪୫,୩୩୩ଟି ୨୦ ବର୍ଷ ତଳର, ୩,୦୭, ୨୧୬ଟି ୧୦ବର୍ଷ ତଳର ଓ ୭,୬୬,୧୭୭ଟି ମାମଲା ୫ବର୍ଷରୁ ଅଧିକ ଧରି ବିଚାର ପ୍ରତୀକ୍ଷାରେ ରହିଛି। ସୁପ୍ରିମକୋର୍ଟରେ ବିଚାର ପ୍ରତୀକ୍ଷାରେ ଥିବା ୯୬,୦୨୪ଟି ମାମଲା ମଧ୍ୟରୁ ୨୪,୬୧୧ଟି ୫ ବର୍ଷରୁ ଅଧିକ ପୁରୁଣା ହୋଇଥିବାବେଳେ ୧୦,୦୯୪ଟି ୧୦ବର୍ଷରୁ ଅଧିକ, ୫୫୮ଟି ୨୦ ବର୍ଷରୁ ଅଧିକ ଓ ୨୬ଟି ୩୦ ବର୍ଷରୁ ଅଧିକ ପୁରୁଣା । ଦେଶର ୨୫ଟି ହାଇକୋର୍ଟ ମଧ୍ୟରୁ ସର୍ବାଧିକ ୧୨, ୨୮,୩୫୩ଟି ମାମଲା ଆହ୍ଲାବାଦ୍ ହାଇକୋର୍ଟରେ ବିଚାର ପାଇଁ ଥିବାବେଳେ ୬,୫୭, ୮୧୩ଟି ବମ୍ବେ ହାଇକୋର୍ଟ, ୬, ୯୬,୩୪୮ଟି ରାଜସ୍ଥାନ ହାଇକୋର୍ଟ, ୫, ୬୭, ୮୧୪ଟି ମାଡ୍ରାସ ହାଇକୋର୍ଟ ଓ ୪,୯୦,୩୬୩ଟି ମଧ୍ୟ ପ୍ରଦେଶ ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ରହିଛି। ହାଇକୋର୍ଟଗୁଡ଼ିକରେ ୮୦,୬୬୦ଟି ମାମଲା ୩୦ବର୍ଷରୁ ଊର୍ଦ୍ଧ୍ଵ ଧରି ବିଚାର ପ୍ରତୀକ୍ଷାରେ ଥିବାବେଳେ ୪,୫୨,୧୫୨ଟି ୨୦ ବର୍ଷର, ୧୬,୧୪, ୬୫୭ଟି ୧୦ ବର୍ଷର ଓ ୨୯, ୭୫, ୧୬୧ଟି ୫ ବର୍ଷରୁ ଅଧିକ ପୁରୁଣା ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । ବିଭିନ୍ନ କାରଣରୁ ଆଇନ୍ ଅଦାଲତଗୁଡ଼ିକରେ ମାମଲା ପଡ଼ିରହିଥିବାବେଳେ ଏଗୁଡ଼ିକର ଫଇସଲା ବିଚାର ବ୍ୟବସ୍ଥା ଉପରେ ନିର୍ଭର କରେ । ତେବେ କେନ୍ଦ୍ର ସରକାର ମାମଲା ଗୁଡ଼ିକର ତ୍ବରିତ ଫଇସଲା ସହିତ ବକେୟା ମାମଲାର ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଏଥିଲାଗି ୭,୨୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ମାମଲାର ବିଚାର ପାଇଁ ଫାଷ୍ଟଗ୍ରୀକ୍ ସ୍ୱତନ୍ତ୍ର କୋର୍ଟମାନ ସ୍ଥାପନ କରାଯାଉଛି। ଏହାଛଡ଼ା ପୁରୁଣା ମାମଲାର ଫଇସଲା ଲାଗି ହାଇକୋର୍ଟ ଓ ଜିଲ୍ଲା କୋର୍ଟ ସ୍ତରରେ ତଦାରଖ କମିଟିମାନ ଗଠନ କରାଯାଇଛି। ମାମଲାଗୁଡ଼ିକର ବିକଳ୍ପ ସମାଧାନ ପାଇଁ ମଧ୍ୟ ବ୍ୟବସ୍ଥା ନିଆଯାଉଛି । ଏହାଛଡ଼ା ଲୋକ ଅଦାଲତ ମାଧ୍ଯମରେ ବି ତ୍ବରିତ ଫଇସଲା ଲାଗି ପଦକ୍ଷେପ ନିଆଯାଉଥିବା କଥା ମନ୍ତ୍ରୀ ମେଘଓ୍ୱାଲ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। Post navigation Odisha Plus 2 Admission Phase-2 Merit List Out; Ravenshaw Records Highest Cut-Off In All Streams Vaibhav Suryavanshi Scores Maiden International T20 Half-Century