ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ସ୍କୁଲ ପାଠ୍ୟକ୍ରମରେ ଗୁରୁତ୍ୱର ତ୍ରୁଟି ବିଷୟକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି ଭକ୍ତ ଦାସ କହିଛନ୍ତି, ଶିକ୍ଷାରେ ପ୍ରାଇମେରୀ ସ୍ତର ହେଉଛି ମୂଳଦୁଆ । ଏହିଠାରୁ ଭବିଷ୍ୟତର ପିଣ୍ଡପଡ଼େ ଓ ଏହି ମୂଳଦୁଆରୁ ଶିକ୍ଷାପ୍ରାପ୍ତ କରି ଓଡ଼ିଶାରୁ ଅନେକ ସୁନାମଧନ୍ୟ ବିଦ୍ୱାନ ରାଜ୍ୟଟେ ରଖିଛନ୍ତି । କିନ୍ତୁ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ତାଙ୍କ ବିଚାରଧାରାକୁ ଏନସିଇଆରଟି ଏବଂ ଓଡ଼ିଶାର ପାଠ୍ୟକ୍ରମରେ ଛାପୁଛନ୍ତି । ଓଡ଼ିଶା ଅସ୍ମିତା ନାମରେ ସରକାରକୁ ଆସିଥିବା ଦଳ ଅସ୍ମିତାର ହତ୍ୟା କରୁଛନ୍ତି । ପ୍ରଥମେ ଜଳ, ଜଙ୍ଗଲ, ଜମି ଏବଂ ଏଠାରେ ବସବାସ କରୁଥିବା ନିରୀହ ଆଦିବାସୀଙ୍କୁ ଧ୍ୱଂସ କରି ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପଙ୍ଗୁ କରିବାପାଇଁ ଉଦ୍ୟମ କରିଛନ୍ତି । ପାଠ୍ୟଖସଡ଼ା ତିଆରିବେଳେ ଓଡ଼ିଶାର ଗୁଣି ଜ୍ଞାନି ମାନଙ୍କୁ ଅଣଦେଖା କରାଯାଉଛି । କଥାରେ ଅଛି ଗୋଟିଏ ଦେଶକୁ ନିପାତ କରିବାକୁ ହେଲେ ଶିକ୍ଷାକୁ ନିପାତ କରିଦେଲେ ପରମାଣୁ ବୋମାର ଆବଶ୍ୟକତା ମଧ୍ୟ ନଥାଏ । ଯାହା ଜଣାଯାଉଛି ମୂଡ଼ମାନେ ଶାସନ ଗାଦିରେ ବସିଛନ୍ତି । ଦେଶ ଜାତି ପାଇଁ କିଛି ବଳିଦାନ ନାହିଁ । ଶିକ୍ଷା ସଂସ୍କୃତି କିଛି ନାହିଁ । ଏମାନେ ଦେଶର ଶିକ୍ଷା ବିଷୟରେ କଣ ଜାଣିବେ । ରାଜ୍ୟରେ ବୁଦ୍ଧିହୀନ ସରକାର ଚାଲିଛି । ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ୫୦ କୋଟି ଟଙ୍କା ପାଣିରେ ପଡ଼ିଗଲା । କୋର କମିଟିର ଅନୁଧ୍ୟାନ ବିନା ବହି ଛପା ହେଲା କେମିତି? ଯାହା ପ୍ରସ୍ତୁତ କରିବାକୁ ପ୍ରାୟ ତିନିବର୍ଷ ସମୟ ଲାଗେ ତାହା ୬ ମାସରେ ପ୍ରସ୍ତୁତ କଲେ କେମିତି? ଅପରାଧିଙ୍କୁ ଦଣ୍ଡିତ କରାଯାଉ, ଶିକ୍ଷାମନ୍ତ୍ରୀ କ୍ଷମା ମାଗନ୍ତୁ । ୧୬୭୮ ଗୋଟି ଭୂଲ ରାଜ୍ୟ ଶିକ୍ଷା ବିଭାଗ ପ୍ରତି ଉପହାସ । ଆଶ୍ଚର୍ଯ୍ୟର କଥା ଶିକ୍ଷାମନ୍ତ୍ରୀ ନିଜ ବିଧାନସଭା ମଧ୍ୟ ଚିହ୍ନିପାରିଲେ ନାହିଁ । ଡଙ୍ଗରିଆ ଆଦିବାସୀଙ୍କୁ ଡୋଙ୍ଗୋରିଆ ବନାନ ଭୁଲ । ପ୍ରଖ୍ୟାତ ନିୟମଗିରି ଲଢ଼େଇ ସାର ବିଶ୍ୱରେ ବିଦିତ । ଯେଉଁ ଲଢ଼େଇରେ ରାହୁଲ ଗାନ୍ଧୀ ନେତୃତ୍ୱ ନେଇଥିଲେ । ତାହା ଝାଡଖଣ୍ଡର ବୋଲି ଦର୍ଶାଯାଇଛି । ଏଭଳି ଶହ ଶହ ଭୁଲର ଲିଷ୍ଟ ସାମନାକୁ ଆସୁଛି । ସବୁଠାରୁ ପରିତାପର ବିଷୟ ଶିକ୍ଷାମନ୍ତ୍ରୀ ଏହି ଗୁରୁତ୍ୱର ଭୁଲକୁ ସ୍ୱୀକାର ନକରି ଓଲଟା ଶିକ୍ଷକମାନେ ସୁଧାରି ଶିକ୍ଷାଦାନ କରିବେ ବୋଲି ବକ୍ତବ୍ୟ ପ୍ରକାଶ କରୁଛନ୍ତି । ଏହାଠାରୁ ବଳି ଲଜ୍ୟାଜନକ କଥା କଣ ହୋଇଥାଇପାରେ । ଶିକ୍ଷକମାନେ ଜନଗଣନା ଠାରୁ ଆରମ୍ଭ କରି ସରକାରଙ୍କ ପ୍ରତ୍ୟେକ ଗଣନା କାର୍ଯ୍ୟ କରୁଛନ୍ତି । ଏମାନେ କେତେବେଳେ ପାଠ ପଢ଼ାଇବେ । ଶିକ୍ଷାରେ ଅଯୋଗ୍ୟଙ୍କୁ ଦାୟିତ୍ୱ ଦେଲେ ଶିକ୍ଷାର ହଜାରଗୁଣ କ୍ଷତି ହୁଏ । ବିଦ୍ୱାନ ଶିକ୍ଷକ, ଐତିହାସିକ, ଲେଖକ ଆଦିଙ୍କ ପରାମର୍ଶ ନେଇପାରିଥାନ୍ତେ । ଶାସକଙ୍କୁ ସଂସ୍କୃତି, ସଂହତି ବା ପରମ୍ପରା ବିଷୟରେ ଜଣାନାହିଁ । ପ୍ରକୃତରେ ଏମାନେ ଓଡ଼ିଶାର ମହାନ ସଂସ୍କୃତିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ମୁଖ୍ୟ ବିଷୟ ହେଲା ଏନସିଇଆରଟି ଓ ଓଡ଼ିଶା ଶିକ୍ଷା ବିଭାଗର ଛାପା ଦାୟିତ୍ୱ କେଉଁ ଏଜେନ୍ସି ଟେଣ୍ଡର ପାଇଛି । କେଉଁ ବିଜେପି ନେତାଙ୍କ ସହଯୋଗରେ ଏଜେନ୍ସି କାମ ପାଇଛି । ଏ ସବୁର ତଦନ୍ତ ହେଉ । ଏମାନେ କେବଳ ପଇସା ଉର୍ପାଜନରେ ବ୍ୟସ୍ତ । ତେଣୁ ଜନତାଙ୍କ ସେବା ପାଇଁ ସମୟ ନାହିଁ । ଏମାନେ ଚାହୁଁଛନ୍ତି ପିଲାଛୁଆ ମୁର୍ଖ ହୋଇ ବାହାରନ୍ତୁ । ମୁର୍ଖ ହୋଇ ବାହାରିଲେ ଚାକିରି ମାଗିବେ ନାହିଁ । ବିଜେପି ସରକାର ଶିକ୍ଷା ବିଭାଗକୁ ଏବଂ ପିଲାଛୁଆଙ୍କ ଭବିଷ୍ୟତକୁ ନଷ୍ଟ କରିବାପାଇଁ ଷଡଯନ୍ତ୍ର କରିଛି । ନିଟ୍ ପ୍ରଶ୍ନପତ୍ର ପ୍ରଘଟ, ସିବିଏସସି ମୂଲ୍ୟାୟନ ବିଭ୍ରାଟ ଓ ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ କୌଣସି ଟାରେ ସରକାରଙ୍କ କୌଣସି ମନ୍ତ୍ରୀ ଉତ୍ତର ଦାୟିତ୍ୱ ନେଉନାହାନ୍ତି କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ମଧୁବାବୁ, ଗୋପବନ୍ଧୁ ଆଦି ସମସ୍ତ ପ୍ରଥିତଯଶା ଗୁଣି ଜ୍ଞାନି ଓଡ଼ିଆ ସନ୍ତାନଙ୍କ ପ୍ରତି ଏକ ବଡ଼ ଅପମାନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିନିମନ୍ତେ କ୍ଷମା ମାଗିବା ଉଚିତ ବୋଲି ଭକ୍ତ ଦାସ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ର ନେତା ୟାସିର ନୱାଜ ଓ ଛାତ୍ର ନେତା ବିଭୁତିଭୂଷଣ ମହାପାତ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଏହି ଅକ୍ଷମଣୀୟ ତ୍ରୁଟିପାଇଁ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ସମ୍ମିଳନୀରେ ଅନ୍ୟମାନଙ୍କ ସହ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ । Post navigation TextBook Error Issue: ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା; ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ନବୀନ ପଟ୍ଟନାୟକ PM Modi, President Trump hold Bilateral Talks on G7 sidelines in France