bjp-takes-out-jan-akrosh-rally-in-odisha
ସଂସଦରେ ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇଲା ପରେ ରାଜ୍ୟ ବିଜେପିର ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଆଜି ଅନୁଷ୍ଠିତ ହୋଇଛି ।
 
ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା କଳା ପଟି ପିନ୍ଧି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ସହ ବିରୋଧୀ ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
 
ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବାଧାପ୍ରାପ୍ତ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧି ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତକତା କରିଛନ୍ତି । ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ବିରୋଧୀ ହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁଥିବାବେଳେ ବିରୋଧୀ ଦଳ ଗୁଡିକ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଏହାକୁ ବିଫଳ କରିଛନ୍ତି । ଏହା କେବଳ “ଏକ ବିଲ୍ ର ପରାଜୟ ନୁହେଁ, ବରଂ ମା’ ମାନଙ୍କ ସ୍ୱପ୍ନର ଭୃଣହତ୍ୟା” । ଏହା ମୋଦିଙ୍କ ପରାଜୟ ନୁହେଁ, ଦେଶର ସମଗ୍ର ମହିଳାଙ୍କ ପାଇଁ ଶକ୍ତ ଧକ୍କା । ବିଶେଷକରି କଂଗ୍ରେସ ଏବଂ ଅନ୍ୟ ବିରୋଧୀଦଳଗୁଡିକ କେବଳ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବାବେଳେ, ମୋଦି ସରକାର ସେମାନଙ୍କୁ ପ୍ରକୃତ ସଶକ୍ତିକରଣ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
 
ସେହିପରି, କଂଗ୍ରେସ ଓ ବିଜେଡି ଉଭୟ ମହିଳା ବିରୋଧୀ । ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେ ନାହିଁ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
 
ନାରୀମାନଙ୍କ ପାଇଁ ସଂସଦରେ ୧୭ ତାରିଖ ଦିନ ଯେଉଁ ଆଲୋଚନା ହୋଇଥିଲା, ତାହା ଦେଶର ଇତିହାସ ବଦଳିଥାନ୍ତା । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ବିଲକୁ ଅନୁମୋଦନ କରିବାକୁ ଦେଲେ ନାହିଁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାହୁଲ ଗାନ୍ଧୀ ଏବଂ ଅନ୍ୟଦଳ ଗୁଡିକ ଯେଉଁ ଉତ୍ସବ ପାଳନ କଲେ, ତାକୁ ଯେତେ ନିନ୍ଦା କଲେ କମ ହେବ ଏବଂ ଦେଶବାସୀ କେବେହେଲେ କ୍ଷମା ଦେବେ ନାହିଁ ।
 
ବିରୋଧୀ ଦଳଙ୍କ ମହିଳା ବିରୋଧୀ ଅଭିମୁଖ୍ୟ ବିରୋଧରେ ଆଜି ରାଜ୍ୟସ୍ତରୀୟ ପଦଯାତ୍ରା ହୋଇଛି । ଆଗାମୀ ଦିନରେ ଏହାକୁ ଜିଲ୍ଲା, ମଣ୍ଡଳ ଓ ବୁଥସ୍ତର ପର୍ଯ୍ୟନ୍ତ ନିଆଯିବ । ମହିଳାମାନଙ୍କୁ ସାମ୍ବିଧାନିକ ସମ୍ମାନ ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରୀ ରହିବ । ବିରୋଧୀମାନେ ବିଲ୍‌କୁ ପୁଣି ସମର୍ଥନ କରିବାକୁ ବାଧ୍ୟ ହେବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
 
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡଙ୍ଗୀ, ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା ନାୟକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *