ପୁଣି ବିବାଦରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ।ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜନୈକ ମହିଳା ଖଣ୍ଡପଡା ଏସଡିପିଓଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଛନ୍ତି । ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରମାଣ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦେଇସାରିଥିଲେ ମଧ୍ୟ ଏଯାଏଁ ପୀଡିତାଙ୍କୁ ନ୍ୟାୟ ମିଳିପାରିନାହିଁ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି ଏ ନେଇ କହିଛନ୍ତି, ଡବଲ ଇଂଜିନ ସରକାରରେ ଦିନ ଦିନକୁ ନାରୀ ନିର୍ଯାତନା ବୃଦ୍ଧି ପାଉଥିଲା ବେଳେ ପୋଲିସ ଦ୍ୱାରା ଜଣେ ମହିଳା ଯୌନ ନିର୍ଯାତନା ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ । ଥାନାକୁ ଯାଇଥିବା ମହିଳା ଜଣକ ଖଣ୍ଡପଡା ଏସଡିପିଓଙ୍କ ଦ୍ୱାରା ବାରମ୍ବାର ଯୌନ ନିର୍ଯାତନାର ଶୀକାର ହେବାର ସମସ୍ତ ପ୍ରମାଣ ଗଣମାଧ୍ୟମ ଆଗରେ ଦେଇଥିଲେ ସୁଦ୍ଧା ସରକାର କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିବା, ଓଡିଶା ପୋଲିସ ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।

ଗୃହ ବିଭାଗର ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହିଳା ସଶକ୍ତିକରଣ ପାଇଁ ଡିଣ୍ଡିମ ପିଟୁଥିବା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏଭଳି ଘଟଣାରେ ସମ୍ବେଦନହୀନ ହୋଇପାରୁଛନ୍ତି କିପରି? ନ୍ୟାୟ ନମିଳିଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ସେ ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଉଦ୍ବେଗଜନକ । ସଂପୃକ୍ତ ପୋଲିସ ଅଧିକାରୀ କାହା ଛତ୍ରଛାୟାରେ ସୁରକ୍ଷିତ ଅଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ପୀଡିତାଙ୍କୁ ନ୍ୟାୟ ନମିଳିଲେ ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବ । ତୁରନ୍ତ ଖଣ୍ଡପଡା ଏସଡିପିଓଙ୍କୁ ଗିରଫ କରି ଏଭଳି ଘୃଣ୍ୟ କାର୍ଯ୍ୟରେ ସଂପୃକ୍ତି ଲାଗି ତାଙ୍କୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରିଛି ।

Leave a Reply

Your email address will not be published. Required fields are marked *