ଅପ୍ରିଲ୍ ୧୫ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ । ପୁରୀ ସ୍ଥିତ ମଦର ପବ୍ଲିକ୍ ସ୍କୁଲର ଛାତ୍ରୀ ଟିନା ଓ ଭୁବନେଶ୍ବର KV-1 ର ଛାତ୍ରୀ ଆଲିଶା ବିଶ୍ବାଳ ମୋଟ ୫୦୦ରୁ ୫୦୦ ମାର୍କ ରଖି ଓଡ଼ିଶା ସମେତ ସାରା ଦେଶରେ ଟପର୍ ହୋଇଛନ୍ତି । ଅନ୍ୟପଟେ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ ରୁ ୫୦୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳଙ୍କୁ ମୋର ଅଶେଷ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ମାଧ୍ୟମରେ ମେଧାବୀ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଆଜି ଯେତେବେଳେ ଆମେ ‘ନାରୀଶକ୍ତି’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ, ସେତିକିବେଳେ ଓଡ଼ିଶାର ଝିଅମାନଙ୍କର ଏହି ଅସାଧାରଣ ସଫଳତା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଏହି ସଫଳତା ପ୍ରମାଣ କରୁଛି ଯେ ସୁଯୋଗ ମିଳିଲେ ଆମ ଝିଅମାନେ ଆକାଶ ଛୁଇଁପାରିବେ। ଏହା ହିଁ ‘ନାରୀଶକ୍ତି ବନ୍ଦନ’ର ପ୍ରକୃତ ପ୍ରତିଫଳନ। ଉଭୟ କୃତୀ ଛାତ୍ରୀଙ୍କ ସମେତ ସମସ୍ତ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ସୂଚନା ଯୋଗ୍ୟ; ଚଳିତ ବର୍ଷ ଦେଶର ୮ ହଜାର ୭୫ଟି ପରୀକ୍ଷା କେନ୍ଦ୍ରରେ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ତାମଧ୍ୟରୁ ୨୫ ଲକ୍ଷରୁ ଅଧିକ ପିଲା ଦେଇଥିଲେ ପରୀକ୍ଷା। ଓଡ଼ିଶାରେ ପରୀକ୍ଷା ଦେବାକୁ ୭୪୧ ବିଦ୍ୟାଳୟର ୬୫ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬୪ ହଜାର ୯୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୦ ହଜାର ୭୮୮ ଜଣ ପାସ୍ କରିଛନ୍ତି । ପାସ୍ହାର ୯୩.୬୬% ହୋଇଛି । Post navigation Heat Wave Warning: ଆଗାମୀ ୨ ଦିନରେ ତାପମାତ୍ରା ବଢିବା ସମ୍ଭାବନା; ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି Minor Girl Assaulted: କୋଣାର୍କରେ ଲଜ୍ୟା; ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ