ଆସିଲା ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ତାରିଖ। ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାରିଖ ଘୋଷଣା କରିଛନ୍ତି ।

ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଦିଆଯିବା ସହିତ, ଅନ୍ୟ ସମସ୍ତ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ।

ଆସାମରେ ଓ କେରଳରେ ୯ ଏପ୍ରିଲ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟ । ଏପ୍ରିଲ ୨୩ ଓ ୨୯ରେ ହେବ ନିର୍ବାଚନ । ତାମିଲନାଡୁରେ ୨୩ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ହେବ । ପଡୁଚେରୀରେ ଏପ୍ରିଲ ୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ମେ ୪ ତାରିଖରେ ଭୋଟ ଗଣିତ ହେବ ।

ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ଉପସ୍ଥିତିରେ ଜ୍ଞାନେଶ କୁମାର କହିଛନ୍ତି, ନିର୍ବାଚନ କମିସନ ଦଳ ଗତ କିଛି ସପ୍ତାହ ମଧ୍ୟରେ ଏହି ସମସ୍ତ ରାଜ୍ୟ ଗସ୍ତ କରିଥିଲା। ଫେବ୍ରୁଆରିରେ ଆସାମ, ତାମିଲନାଡୁ ଏବଂ ପୁଡୁଚେରୀ, ମାର୍ଚ୍ଚ ୬-୭ରେ କେରଳ ଏବଂ ମାର୍ଚ୍ଚ ୯-୧୦ରେ ପଶ୍ଚିମବଙ୍ଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ଭୋଟର ତାଲିକାରୁ କୌଣସି ଯୋଗ୍ୟ ଭୋଟର ବାଦ ନପଡ଼ିବା ଏବଂ ଭୋଟର ତାଲିକାରେ କୌଣସି ଅଯୋଗ୍ୟ ଭୋଟର ସାମିଲ ନହେବା ନିଶ୍ଚିତ କରିବା ପାଇଁ ସମ୍ବିଧାନର ଧାରା ୩୨୬ ଅନୁଯାୟୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *