ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ଯୁଦ୍ଧ ଘୋଷଣା ।ଖୋଲା ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଥିବା ସୀମାରେ ପୁନର୍ବାର ସଂଘର୍ଷ ପରେ ଇସଲାମାବାଦ ଆଫଗାନିସ୍ତାନ ତାଲିବାନ ସରକାରଙ୍କ ବିରୁଦ୍ଧରେ “ଖୋଲା ଯୁଦ୍ଧ” ଘୋଷଣା କରିଛି। ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ବୋମାମାଡ଼ ଦେଖିବାକୁ ମିଳିଛି। କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଟାର୍ଗେଟକୁ ଆକ୍ରମଣ କରାଯାଇଛି ।

ଆଫଗାନିସ୍ତାନରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଟ୍ୱିଟରରେ ପୋଷ୍ଟ କରିଛନ୍ତି, ଆମର ଧୈର୍ଯ୍ୟ ସୀମା ଟପିଛି। ଏବେ ଆମ (ପାକିସ୍ତାନ) ଏବଂ ତୁମ (ଆଫଗାନିସ୍ତାନ) ମଧ୍ୟରେ ଏକ ଖୋଲା ଯୁଦ୍ଧ ଚାଲିଛି।

ତାଲିବାନ ସରକାର ମଧ୍ୟ ବିମାନ ଆକ୍ରମଣକୁ ନିଶ୍ଚିତ କରିଛନ୍ତି କିନ୍ତୁ କହିଛନ୍ତି ଯେ କୌଣସି କ୍ଷତି ହୋଇନାହିଁ। ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଟ୍ୱିଟରରେ କହିଛନ୍ତି, କାବୁଲ, କାନ୍ଦାହାର ଏବଂ ଅନ୍ୟାନ୍ୟ ପ୍ରଦେଶରେ ବିମାନ ଆକ୍ରମଣ ପରେ, କାନ୍ଦାହାର ଏବଂ ହେଲମାଣ୍ଡରୁ ପାକିସ୍ତାନୀ ସାମରିକ ସ୍ଥାନ ବିରୁଦ୍ଧରେ ପୁଣି ଏକ ବଡ଼ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନ ଉପରେ ଏକ ବଡ଼ ସାମରିକ ଅପରେସନ ଆରମ୍ଭ ହୋଇଛି । ଏହାର ନାମ ‘ଗଜବ ଇଲ ହକ’ ରହିଛି । ଆଫଗାନିସ୍ତାନ ପକ୍ଷରୁ ସୀମା ନିକଟରେ ବାରମ୍ବାର କରାଯାଉଥିବା ଆକ୍ରମଣର ପ୍ରତିଉତ୍ତରରେ ପାକିସ୍ତାନ ଏହି ଅଭିଯାନ ଆରମ୍ଭ କରିଛି । ଏହି ଅପରେସନରେ ୧୩୦ ଆଫଗାନୀ ତାଲିବାନଙ୍କୁ ନିପାତ କରିଛି ବୋଲି ପାକିସ୍ତାନ ଦାବି କରିଛି । ଆଫଗାନିସ୍ତାନ ତାଲିବାନ ପକ୍ଷରୁ ପାକିସ୍ତାନ ସୀମାର ବିଭିନ୍ନ ସ୍ଥାନରେ ଆକ୍ରମଣ ପରେ ଗୁରୁବାର ବିଳମ୍ବିତ ରାତ୍ରୀରେ ପାକିସ୍ତାନ ଏହ ଅପରେସନ ଲଞ୍ଚ କରିଛି । ସେହିପରି ୫୫ ପାକିସ୍ତାନୀ ସୈନିକ ମୃତ୍ୟୁ ନେଇ ଆଫଗାନିସ୍ତାନର ତାଲିବାନ ସରକାର ଦାବି କରିଛନ୍ତି।

ସୂଚନା ଯୋଗ୍ୟ; ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ପାକିସ୍ତାନୀ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଏବଂ ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନ ବାୟୁସେନା ଆଜି ରାତିରେ (୨୭ ଫେବୃଆରୀ, ୨୦୨୬) ‘ଗଜାବ ଲିଲ୍ ହକ୍’ ଅପରେସନ୍ ର ଅଂଶ ଭାବରେ ଆଫଗାନିସ୍ତାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତାଲିବାନ ସାମରିକ ସ୍ଥାନ ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି।

Leave a Reply

Your email address will not be published. Required fields are marked *