ପାଣି ପାଇଁ ସ୍କୁଲ ଛୁଟି । ୧୨୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଠାକୁରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ । ଏପରି ଜଳକଷ୍ଟ ଦେଖାଦେଇଛି ଖୋଦ କରଞ୍ଜିଆ ବିଧାୟକଙ୍କ ନିଜ ବ୍ଳକରେ।

ଠାକୁରମୁଣ୍ଡା ବ୍ଳକ ସାତକୋଶିଆ ଠାରେ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅବସ୍ଥା ଏବେ ନକହିବା ଭଲ । ଏହି ବିଦ୍ୟାଳୟ ୨୦୨୪ ମସିହା ଅକ୍ଟୋବର ୨ ତାରିଖ ଦିନ ଉଦଘାଟନ ହୋଇଥିଲା । ବିଦ୍ୟାଳୟରେ ପ୍ରଥମ ବର୍ଷ ଷଷ୍ଠ ଶ୍ରେଣୀରେ ୬୦ ଜଣ ଛାତ୍ରଙ୍କୁ ଉକ୍ତ ସ୍କୁଲରେ ଆଡ଼ମିଶନ କରାଯାଇଥିଲା। ହେଲେ ନୂତନ ଭାବରେ ନିର୍ମାଣ ହେଉଥିବା ବିଦ୍ୟାଳୟର କିଛି କାର୍ଯ୍ୟ ବାକି ଥିବାରୁ ଆଡ଼ମିଶନ ହୋଇଥିବା ୬୦ ଜଣ ଛାତ୍ରଙ୍କୁ ଉଦଳା ଠାରେ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟରେ ରଖାଯାଇ ସେଠାରେ ପିଲାମାନଙ୍କୁ ପାଠପଢା ଯାଉଥିଲା ।

ପରବର୍ତ୍ତୀ ବର୍ଷ ମଧ୍ୟ ୬୦ ଜଣଙ୍କୁ ଆଡ଼ମିସନ ଦିଆଯାଇଥିଲା। ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ମିଶାଇ ମୋଟ ୧୨୦ ଜଣ ଛାତ୍ର ଉଦଳା ଏକଲବ୍ୟ ଆବାସିକ ବିଦ୍ୟାଳୟରେ ରହି ଅଧ୍ୟୟନ କରୁଥିଲେ । କିନ୍ତୁ ୨ ବର୍ଷ ପରେ ଏହି ୧୨୦ ଜଣ ଛାତ୍ରଙ୍କୁ ଆଡ଼ମିଶନ ହୋଇଥିବା ନିଜ ବିଦ୍ୟାଳୟ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ାଇବାକୁ ଉଦଳା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରୁ ସ୍ଥାନାନ୍ତର ହୋଇ ଆସିଥିବା ଏହି ୧୨୦ ଜଣ ଛାତ୍ର ଏବେ ନିଜ ଏକଲବ୍ୟ ଆବାସିକ ବିଦ୍ୟାଳୟ ସାତକୋଶିଆ ଠାରେ ନଥିବା ଜଣାପଡ଼ିଛି।

ଏହି ଛାତ୍ର ମାନେ ଏବେ କେଉଁଠାରେ ରହି ଅଧ୍ୟୟନ କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବିଷୟରେ ଏକଲବ୍ୟ ଆଦର୍ଶ ସ୍କୁଲର ପ୍ରିନ୍ସପାଲ ପ୍ରଶାନ୍ତ କୁମାରଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟ ପରିସରରେ ପାଣି ସମସ୍ୟା ଥିବାରୁ ଛାତ୍ର ଛାତ୍ରୀଙ୍କୁ ତାଙ୍କ ଘରକୁ ପଠାଇ ଦେଇଛନ୍ତି । ଏ ବିଷୟରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦେଇଥିବା ପ୍ରକାଶ କରିଥିଲେ । ଠାକୁରମୁଣ୍ଡା ବିଡିଓ ସପ୍ଲେଶ୍ବର ବେହେରାଙ୍କୁ ପଚାରିବାରୁ ସେ ଜାଣି ନାହାନ୍ତି ବୋଲି କହିଥିଲେ । କରଞ୍ଜିଆ ପିଏଆଇଟିଡିଏ ଚିତ୍ତରଞ୍ଜନ ମହାନ୍ତଙ୍କୁ ପଚାରିବାରୁ ସେ କହିଲେ ଏବେ ସ୍କୁଲ ବିଷୟରେ ଆମେ ବୁଝୁନୁ ।

ତେବେ ଏଠାରେ ପ୍ରଶ୍ନ ଉଠେ କି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ କାହାକୁ ଜଣାଇ ଏପରି ୧୨୦ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳୁଛନ୍ତି। ବର୍ତ୍ତମାନ ପରୀକ୍ଷା ଦେବାର ସମୟ ଆସିଥିବା ବେଳେ ସ୍କୁଲ ବନ୍ଦ କରିବା କେତେଦୂର ଯୁକ୍ତି ଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କରଞ୍ଜିଆ ବିଧାୟକଙ୍କ ନିଜସ ବ୍ଲକରେ ଗତ ୧୪ ଦିନ ହେଲା ପାଣି ପାଇଁ ସ୍କୁଲରେ ତାଲା ପଡିବା ଘଟଣାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ କରି ତୁରନ୍ତ ସ୍କୁଲ ନଖୋଲିଲେ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *