ଆଜି ପବିତ୍ର ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ଜମିଲାଣି ଭକ୍ତଙ୍କ ଗହଳି। ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଛନ୍ତି। ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ପାଳନ କରାଯାଏ ଏହି ମହାଶିବରାତ୍ରୀ । ଏହି ପବିତ୍ର ଦିନ ସାରା ଦେଶରେ ଭକ୍ତମାନେ ମହାଦେବଙ୍କ ଆରାଧନା କରିଥାନ୍ତି । ସକାଳରୁ ରାତି ପର୍ଯ୍ୟନ୍ତ ଉଜାଗ ରହି ଶିବଙ୍କୁ ପୂଜା କରିବାର ପରମ୍ପରା ରହିଛି । ଏହି ପବିତ୍ର ଦିନରେ ଶିବ ଭକ୍ତଙ୍କ ସହ ମହାଦେବଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଲୋକ ଉପବାସ ରଖିଥାନ୍ତି । ଶିବଲିଙ୍ଗ ଉପରେ ବେଲପତ୍ର, ଫୁଲ ଆଦି ଚଢ଼ାଇ ମହାଦେବଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଏହା ସହ କ୍ଷୀର ଜଳ ମଧ୍ୟ ଅର୍ପଣ କରିଥାନ୍ତି । ଅନ୍ୟପଟେ ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜରେ ସୁରକ୍ଷା ପାଇଁ ୪୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସିସିଟିଭିରେ ଛାଉଣୀ ହୋଇଛି ମନ୍ଦିର । ପୌରାଣିକ କଥାବସ୍ତୁ ଅନୁଯାୟୀ, ଯେତେବେଳେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଦେଇଥିଲେ । ଏହାପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ମଧ୍ୟ ପାଳନ କରାଯାଏ । ଅଖଣ୍ଡ ଦୀପ ଜାଳି ରାତିରେ ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ । ଶିବଭକ୍ତ ମାନେ ଆଜିର ଦିନରେ ଉପବାସ ରହିଥାନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହିଥାନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଶିବରାତ୍ରିରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ । ବିଳମ୍ବିତ ରାତିରେ ମହାଦୀପ ଉଠିବା ପରେ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ । ଶିବରାତ୍ରିକୁ ଭକ୍ତି ଏବଂ ନିଷ୍ଠାର ସହ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । Post navigation Birth Anniversary of Lalatendu Bidyadhar Mohapatra: ଲଲାଟେନ୍ଦୁ ମହାପାତ୍ର (ଲୁଲୁ) ଙ୍କ ୬୨ତମ ଜନ୍ମ ଦିବସ ପାଳିତ India Vs Pakistan Match: ଆଜି ଟ୍ବେଣ୍ଟି-୨୦ ବିଶ୍ବକପ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ