ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ଜନତା ପାର୍ଟିର ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଏକ ବିଶେଷ ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପାର୍ଟୀର ସାଂଗଠନିକ କାର୍ଯ୍ୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି । ବୈଠକ ସଂପର୍କରେ ସୁଚନା ଦେଇ ତ୍ରିପାଠୀ କହିଛନ୍ତି ଯେ, ବୈଠକରେ ବିଶେଷ କରି ପାର୍ଟିର ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା, ବୁଥ୍ ଠାରୁ ଆରମ୍ଭ କରି ଜିଲ୍ଲା କମିଟି ଗଠନ, ମଣ୍ଡଳ କମିଟି ଓ ବିଭିନ୍ନ ମୋର୍ଚ୍ଚା କମିଟି ଗଠନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସମସ୍ତ କାର୍ଯ୍ୟକୁ ତୁରନ୍ତ କିପରି ସମାପ୍ତ କରାଯିବ ତାର ଯୋଜନା ପ୍ରସ୍ତୁତ କରାଗଲା । ସେହିପରି ଗରିବମାନଙ୍କ କଲ୍ୟାଣ ଓ ଉତଥାନ ପାଇଁ “ଭିବି-ଜି-ରାମ୍ଜି” ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ କରାଯିବାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଭାରତୀୟ ଜନତା ପାର୍ଟି ଏକ ରାଜନୈତିକ ଦଳ ଏବଂ ସବୁବେଳେ ନିର୍ବାଚନ ପାଇଁ ପୂର୍ବ ଓ ପୂର୍ଣ୍ଣ ପ୍ରସ୍ତୁତ ଥାଏ । ସେହି ଆଧାରରେ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ନିର୍ବାଚନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା କରାଯାଇଛି ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି । Post navigation Violation of Forest Right Act: କଂଗ୍ରେସ ର ଜଙ୍ଗଲ ଆଇନ ଅଧିକାର ପଦଯାତ୍ରା: ଜଗତସିଂହପୁରରେ ବିରୋଧର ସ୍ୱର