ପ୍ଲେବ୍ୟାକ୍ ସିଙ୍ଗରରୁ ଅବସର ଘୋଷଣା କରିଛନ୍ତି ବଲିଉଡ୍ର ଲୋକପ୍ରିୟ ଗାୟକ ଅରିଜିତ ସିଂହ। ମଙ୍ଗଳବାର ସୋସିଆଲ ମିଡିଆରେ ସେ ଏହା ସୂଚନା ଦେଇଛନ୍ତି। ଏବେ ଆଉ କେହି ପ୍ଲେବ୍ୟାକ୍ ଗୀତରେ ଅରିଜିତଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିବ ନାହିଁ। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ଆଉ କୌଣସି ପ୍ଲେବ୍ୟାକ୍ ସିଙ୍ଗର ଭାବେ କୌଣସି ପ୍ରୋଜେକ୍ଟ ନେବେ ନାହିଁ। ଏଠାରେ ଯାତ୍ରା ଶେଷ କରୁଛି। ତଥାପି, ଅରିଜିତ ସିଂହ ସ୍ପଷ୍ଟ କରିଛନ୍ତି ଯେ ସେ ସଂଗୀତ ନିର୍ମାଣ ବନ୍ଦ କରିବେ ନାହିଁ। ଅରିଜିତ ସିଂହ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, “ହେଲୋ, ଆପଣମାନଙ୍କୁ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା। ବର୍ଷ ବର୍ଷ ଧରି ଆପଣଙ୍କ ସ୍ନେହ ଓ ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ସମସ୍ତଙ୍କୁ ଘୋଷଣା କରୁଛି ଯେ ମୁଁ ଆଉ ପ୍ଲେବ୍ୟାକ୍ ଗାୟକ ଭାବରେ କୌଣସି କାର୍ଯ୍ୟ ଗ୍ରହଣ କରିବି ନାହିଁ। ମୁଁ ଏଥିରୁ ଅବସର ନେଉଛି। ଏହା ଏକ ସୁନ୍ଦର ଯାତ୍ରା ରହିଛି। ଅରିଜିତ ସିଂହଙ୍କ ଏହି ଘୋଷଣାରେ ପ୍ରଶଂସକଙ୍କ ମହଲରେ ଦୁଃଖର ଲହରି ଖେଳି ଯାଇଛି। ଅରିଜିତ ସିଂହ ସଂପ୍ରତି ଭାରତୀୟ ସଙ୍ଗୀତ ଜଗତର ସବୁଠୁ ବଡ଼ ନାମ। ତାଙ୍କର ସ୍ଵର କେବଳ ରୋମାଣ୍ଟିକରେ ସୀମିତ ନ ଥିଲା ବରଂ, ବେଦନା, ସୁଫି ଓ ଦେଶଭକ୍ତି ସଙ୍ଗୀତରେ ସେ ନିଜର ସ୍ଵତନ୍ତ୍ର ଛାପ ଛାଡ଼ିଥିଲେ। ଫିଲ୍ମ ‘ଆଶିକି-୨’ର ଗୀତ ‘ତୁମ ହି ହୋ’ ଅରିଜିତଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ହିନ୍ଦୀ ସହିତ ବଙ୍ଗାଳି, ତାମିଲ, ତେଲୁଗୁ, ମରାଠି ଓ କନ୍ନଡ଼ରେ ମଧ୍ୟ ଗୀତ ଗାଇଛନ୍ତି। ଏହି ଖ୍ୟାତାନାମା ଗାୟକ ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଫିଲ୍ମରେ ନିଜର ସ୍ଵର ଦେଇଛନ୍ତି। ସେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଫିଲ୍ମଫେୟାର ଆଓ୍ଵାର୍ଡ୍ସ ସମେତ ଅନେକ ବଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସ୍ପୋଟିଫାଏ, ୟୁଟ୍ୟୁବ ଓ ଅନ୍ୟ ମ୍ୟୁଜିକ ପ୍ଲାଟଫର୍ମରେ ସେ ଦୁନିଆର ସବୁଠୁ ଶୁଣାଯାଉଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ସାମିଲ୍। Post navigation President Murmu’s Puri Visit: ଫେବୃୟାରୀ ୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଶ୍ୱେତଗଙ୍ଗାରେ କରିବେ ପିଣ୍ଡଦାନ Odisha Bandh On January 28: ଓଡ଼ିଶା ବନ୍ଦ ଡାକରା ନେଇ ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ