ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ଦଳରୁ ନିଲମ୍ବନ କରିବା ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକଙ୍କ ପାଇଁ ବଡ଼ ଅଡୁଆ ପରିସ୍ଥିତି ସୃଷ୍ଟି କରି ସାରିଲାଣି । ୨୪ ବର୍ଷର ଶାସନ ସମୟରେ ସେ ଅନେକ ନେତାଙ୍କୁ ଦଳରୁ ବା ବହିଷ୍କାର କରିଛନ୍ତି । ହେଲେ କେବେ ଅରବିନ୍ଦଙ୍କୁ ନିଲମ୍ବନ ପରେ ଯେଉଁ ପ୍ରତିକ୍ରିୟା ଓ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦେଖିବାକୁ ମିଳିନଥିଲା। ଆଉ ପରିସ୍ଥିତି କାରଣରୁ ପ୍ରଥମଥର ପାଇଁ ନବୀନଙ୍କୁ ନବୀନ ନିବାସ ବାରଣ୍ଡାକୁ ଆସି କାହିଁକି ନିଲମ୍ବନ କରାଗଲା ତା’ର ସ୍ପଷ୍ଟ ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା । ହେଲେ ଏବେ ଆହୁରି ବଡ଼ ଅଡୁଆ ସୃଷ୍ଟି ହୋଇଛି । କାରଣ ଅରବିନ୍ଦ ନବୀନଙ୍କୁ ଖୋଲା ଚାଲେଞ୍ଜ କରିଛନ୍ତି, ବିତର୍କକୁ ଆସିବା ପାଇଁ ଆହ୍ବାନ ଦେଇଛନ୍ତି ଦଳକୁ। ପ୍ରଥମେ ଅରବିନ୍ଦଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଲା। ଦସ୍ତଖତ କରିଥିଲେ ସଭାପତି ନବୀନ ପଟନାୟକ। ତା’ ପରେ କିଛି ନେତା କହିଲେ ସେ ବିଶ୍ଵାସଘାତ କରିଛନ୍ତି । ଏତିକିରେ ସରିଲା ନାହିଁ, ପୁଣି କୁହାଗଲା ମିଡ୍ ଡେ’ ଅପରେସନ କରୁଥିଲେ ଅରବିନ୍ଦ । ଆଉ ବୁଧବାର ନବୀନ ପଟନାୟକ କହିଲେନି ନିଜ ନିର୍ବାଚନ ମଣ୍ଡଳୀରେ ସେ ଭଲ କାମ କରୁନଥିଲେ ତେଣୁ ତାଙ୍କୁ ନିଲମ୍ବନ କରାଗଲା । ଏହା ବଡ଼ ହାସ୍ୟାସ୍ପଦ କଥା ଥିଲା। ଏବେ ଖୋଲାଖୋଲି ମୁହାଁମୁହିଁ ହେବାକୁ ଆଗେଇ ଆସିଛନ୍ତି ଅରବିନ୍ଦ । କହିଛନ୍ତି ଯେ ମୋ’ ନାଁରେ ଅଭିଯୋଗ ଏତିକି ଅଛି ନା ଆଉ ଅଛି ? ମୁଁ ଜାଣିବା ଦରକାର । ନବୀନ ବାବୁଙ୍କୁ କିଏ କ’ଣ ତଥ୍ୟ ଦେଉଛି ତାହା ମୁଁ ଜାଣିନି ହେଲେ ପାଟକୁରାବାସୀଙ୍କ ସମର୍ଥନ ମୋ’ ସହ ରହିଛି । ମୁଁ ଯଦି କୌଣସି ଭୁଲ୍ କରିଛି ତେବେ ଗଣମାଧ୍ଯମ ସାମ୍ନାରେ ଖୋଲା ବିତର୍କକୁ ଆସିବା ପାଇଁ ଚାଲେଞ୍ଜ ଦେଉଛି । ପୂର୍ବରୁ ଅରବିନ୍ଦ କହିଥିଲେ ନିଲମ୍ବନ ପ୍ରସଙ୍ଗ ନେଇ ମୁଁ ନବୀନ ପଟନାୟକଙ୍କୁ ଭେଟିବି । ବୁଧବାର ନବୀନ ବାବୁ ବାହାରକୁ ଆସି କହିବା ପରେ ତାଙ୍କୁ ଆଉ ଭେଟିବାର କୌଣସି ଆବଶ୍ୟକତା ନାହିଁ । ନିଲମ୍ବନ ପ୍ରସଙ୍ଗରେ ବାପା ବିଜୟ ମହାପାତ୍ରଙ୍କ ନାମ ସାମ୍ନାକୁ ଆସୁଥିବା ନେଇ କ୍ଷୁବ୍ଧ ହୋଇଛନ୍ତି ଅରବିନ୍ଦ। ସେ କହିଛନ୍ତି ଯେ ରାଜନୀତିରେ ବାପା ତାଙ୍କ ବାଟରେ, ମୁଁ ମୋ’ ବାଟରେ । ଅଯଥା ବାପାଙ୍କୁ ଟଣା ନ ଯାଉ । ଗତ ଡିସେମ୍ବର ମାସରେ ବିଧାନସଭା ଅଧିବେଶନ ସମୟରେ ନବୀନ ବାବୁଙ୍କୁ ମୁଁ ଭେଟିଥିଲି । ସେ ମୋତେ ପଚାରିଥିଲେ ବାପା କିପରି ଅଛନ୍ତି । କାହିଁ ସେତେବେଳେ ତ ନବୀନ ବାବୁ ମତେ କିଛି କହିନଥିଲେ । ସେ ଆଉ ଏକ ବଡ଼ ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି ମୁଁ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀଙ୍କୁ ହରାଇଲି ବୋଲି କୁହାଯାଉଛି । ଯଦି ଏହା ସତ ତେବେ ରାଜ୍ୟର ବାକି ୨୦ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜଦ ପ୍ରାର୍ଥୀଙ୍କୁ କିଏ ହରାଇଲା ? ମହାକାଳପଡ଼ାରେ ସାଂସଦ ପ୍ରାର୍ଥୀ ସବୁଠୁ କମ୍ ଭୋଟ୍ ପାଇଥିଲେ । ତା’ହେଲେ ମହାକାଳପଡ଼ାରେ କିଏ ଷଡ଼ ଯନ୍ତ୍ର କରିଥିଲା ? ଅରବିନ୍ଦ କହିଛନ୍ତି ମୋ’ ନାଁରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଉଦେଶ୍ୟ ପ୍ରଣୋଦିତ । ମୋ’ ବିରୋଧରେ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ମୁଁ ଅନୁଭବ କରୁଛି । କାରଣ ବାରମ୍ବାର ମୋ’ ବିରୋଧରେ ବଦଳୁଛି ଅଭିଯୋଗ। ଏଥିସହ ସେ ପ୍ରଶ୍ନ କରିଛନ୍ତି କାହିଁକି ମତେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇନଥିଲା ? ମୁଁ ପାଟକୁରାରେ ପିସି ସଂସ୍କୃତିକୁ ବନ୍ଦ କରିଥିଲି । ଏବେ ମୁଁ ଆହ୍ବାନ ଦେଉଛି ଆସନ୍ତୁ ମୋ’ ସହ ଗଣମାଧ୍ଯମ ସାମ୍ନାରେ ଖୋଲା ବିତର୍କରେ ଭାଗ ନିଅନ୍ତି । Post navigation Mahanadi Water Issue: ମହାନଦୀ ସମସ୍ୟା ପାଇଁ ବିଜେଡି ଦାୟୀ: ସୁରେଶ ପୂଜାରୀ Ama Bus Accident In Bhubaneswar: ଜନପଥରେ ବାଇକ୍କୁ ଧକ୍କା ଦେଲା ଆମ ବସ୍; ଭାଙ୍ଗିଲେ ଦେଲେ ୩ଟି ଆମ ବସ୍