ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ରାଜ୍ୟସରକାରଙ୍କ ମୁଖପତ୍ର “ପ୍ରଗତି ପ୍ରବାହ” ଉନ୍ମୋଚିତ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନ ତଥା ଆବାସିକ କାର୍ଯ୍ୟାଳୟ ଠାରେ ଉନ୍ମୋଚନ କରିଥିଲେ । ପ୍ରଗତି ପ୍ରବାହ, ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଏବଂ ଏହି ପୁସ୍ତିକାର ପ୍ରକାଶନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଧନ୍ୟବାଦ ଦେଇଥିଲେ । ସୂଚନା ଯୋଗ୍ୟଯେ, “ପ୍ରଗତି ପ୍ରବାହ” ର ଉନ୍ମୋଚନ ସମୟରେ ଝାରସୁଗୁଡା ଜିଲ୍ଲାର ଲଖନପୁର ଗ୍ରାମର ଜଣେ ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶି ମଧ୍ୟ ଉପସ୍ଥିତ ଥିଲେ । ଏହି ପୁସ୍ତିକାରେ ହୃଦାନନ୍ଦଙ୍କ ସଫଳ କାହାଣୀ ମଧ୍ୟ ଉଲ୍ଲେଖ ଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୃଦାନନ୍ଦ ବିଶିଙ୍କୁ ସମ୍ମାନିତ କରିବା ସହିତ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ଆଗକୁ କିଭଳି ଆହୁରି ସରକାରଙ୍କ ହିତାକାଂକ୍ଷୀ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପି.ଏମ କିଷାନ ଓ ‘ସିଏମ- କିଷାନ’ ମାଧ୍ୟମରେ ଆହୁରି ନିଜର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବିଶିଙ୍କୁ ସରକାରୀ ସହାୟତା ଓ ସବସିଡି ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି କୋଲ୍ଡ କୃଷି ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ପଷ୍ଟ କରିଥିଲେ । ଏଥିସହିତ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେଇ ନିଜର କୃଷି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଝାରସୁଗୁଡା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । Post navigation Suspension Controversy: ବିଜେଡି ଅଭିଯୋଗ ନେଇ ଉତ୍ତର ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର Bhakta Das In Rourkela: କଂଗ୍ରେସ ପାଇଁ କାର୍ଯ୍ୟ ନ କଲେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ – ଭକ୍ତ ଦାସ