ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଡାକ୍ତର। ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା ଆରମ୍ଭ କରିଛନ୍ତି । ଏହା ସହ ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କଲା ଜୁନିୟର ଡାକ୍ତର ଆସୋସିଏସନ । ସୁରକ୍ଷା ନ ମିଳିଲେ ଓପିଡି ସେବା ବନ୍ଦ କରିବାକୁ ଡାକ୍ତରମାନେ ଧମକ ଦେଇଥିବା ଜଣାପଡିଛି। ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ରାଜଧାନୀ ଭଳି ସ୍ଥାନରେ ଡାକ୍ତରମାନଙ୍କୁ ଆକ୍ରମଣ କରାଯାଉଛି । ଏଭଳି ଘଟଣା ବାରମ୍ବାର ଘଟୁଛି । ଡାକ୍ତରଙ୍କୁ ସୁରକ୍ଷା ଏବଂ ଡାକ୍ତରଖାନା ପରିସରରେ ସଶସ୍ତ୍ର ସୁରକ୍ଷାବଳ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ଚବିଶ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହୋଇଛି । ଅନ୍ୟପକ୍ଷରେ ଆକ୍ରମଣ ଘଟଣାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ବିନ୍ଦୁ ସାଗର ରାଉତଙ୍କୁ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି । ସୂଚନା ଯୋଗ୍ୟ; ଗତକାଲି ଅପରାହ୍ନରେ ଜଣେ ବ୍ୟକ୍ତିଙ୍କର ହାତ ଭାଙ୍ଗି ଯାଇଥିବାରୁ କ୍ୟାପିଟାଲ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗର ଓପିଡିକୁ ଆସିଥିଲେ । ମାତ୍ର ଓପିଡି ସମୟର ସମାପ୍ତ ହୋଇଥିବାରୁ ଡାକ୍ତର ଜନ୍ମେଞ୍ଜୟ ମିଶ୍ର ଆଶୁ ଚିକିତ୍ସା ବିଭାଗକୁ ଯିବାକୁ ପରାମର୍ଶ ଦେଇଥିଲେ । ରୋଗୀଙ୍କ ସମ୍ପର୍କୀୟ ଓପିଡିରେ ଚିକିତ୍ସା କରିବାକୁ ବାରମ୍ବାର ବାଧ୍ୟ କରିଥିଲେ । ଡାକ୍ତର ନ ଶୁଣିବାରୁ ସମ୍ପର୍କୀୟ ତଥା ଅଭିଯୁକ୍ତ ବିନ୍ଦୁ ସାଗର ରାଉତ ଡାକ୍ତରଙ୍କୁ ହେଲମେଟରେ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ । ଅନ୍ୟ ଜଣେ କର୍ମଚାରୀ ରତିକାନ୍ତ ବଳ ଧାଇଁ ଆସିବାରୁ ତାଙ୍କୁ ମଧ୍ୟ ହେଲମେଟରେ ବାଡ଼େଇ ମୁହଁ ଫଟାଇ ଦେଇଥିଲେ । Post navigation Raid Cattle Mafia: ଗୋରୁ ମାଫିଆ ଘରେ ପୋଲିସର ରେଡ Lenin alleges Mid-Day Ops: ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍: ଲେନିନ୍ ମହାନ୍ତି