ପାଟକୁରା ଓ ଚମ୍ପୁଆ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିବା ନିଷ୍ପତ୍ତି ନବୀନ ପଟନାୟକଙ୍କର ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ଥିଲା । କାହାଣୀ ତାଙ୍କର । ଚରିତ୍ରମାନେ ତାଙ୍କର । କେଉଁ ଚରିତ୍ର କେଉଁ ସଂଳାପ କହିବେ ତାହା ମଧ୍ୟ ନବୀନ ପଟନାୟକଙ୍କର । କିନ୍ତୁ ନେପଥ୍ୟ କାହାଣୀକାର ଆଉ ଜଣେ କିଏ ? କିଏ ସେହି ବିଜଦର ଅଦୃଶ୍ୟ ଖଳନାୟକ ?

୧୫ ତାରିଖ ଗୁରୁବାର । ସଭାପତି ନବୀନ ପଟନାୟକ ନେତାମାନଙ୍କର ବୈଠକ ଡାକିଲେ । କିନ୍ତୁ ମଜାର କଥା ହେଉଛି ଏହା ବିଜଦର ରାଜନୈତିକ ବ୍ୟାପାର କମିଟିର ନୁହେଁ । ଉଚିତ ଲାଗିଥାନ୍ତା ଯେ ଏକ ବଡ଼ ରାଜନୈତିକ ନିଷ୍ପତ୍ତି ନେବା ପୂର୍ବରୁ ସଭାପତି ପିଏସି ସଦସ୍ୟଙ୍କ ବୈଠକ ଡାକିଥାନ୍ତେ । ସବୁ ବିଷୟ ଆଲୋଚନା ହୋଇଥାନ୍ତା। ବିଜଦର ପିଏସି ସଦସ୍ୟମାନେ ହେଲେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାଣ୍ଡି, ଟୁକୁନୀ ସାହୁ, ସସ୍ମିତ ପାତ୍ର ଏବଂ ସନ୍ତୁପ୍ତ ମିଶ୍ର । ଏମାନଙ୍କ ଭିତରୁ କିଏ ଥିଲେ ଗୁରୁବାରର ସେହି ପ୍ରାୟୋଜିତ ବୈଠକରେ ?

କିନ୍ତୁ ଚରିତ୍ର ଚୟନ ମଧ୍ୟ ରହସ୍ୟଜନକ। ଆଗରୁ ସଂଳାପ ବୁଝାଇ ଦିଆଯାଇଛି । ନବୀନ ବାବୁ କଦାପି ଏଭଳି ସଂଳାପ ବାଣ୍ଟିବେ ନାହିଁ । ତାହା ତାଙ୍କର ଚରିତ୍ର ଉପଯୋଗୀ ମଧ୍ୟ ନୁହେଁ । ତେବେ ପାତ୍ର ମାନଙ୍କୁ ଷଡ଼ଯନ୍ତ୍ର କାହାଣୀର ସଂଳାପ ବୁଝାଇଥିବା ବ୍ୟକ୍ତିଟି କିଏ ? କେଉଁ ହାରୁ ନେତା କି ? ସେହି ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶରେ ଏହି ହାରୁ ନେତା ସଂଳାପ ବାଣ୍ଟିଛନ୍ତି ବୋଲି ଦଳରେ ଚର୍ଚ୍ଚା ହେଉଛି।

ସଭାପତି ନବୀନ ପଟନାୟକ ବୈଠକ ଡାକିଲେ । ସାମାନ୍ୟ ହାନିଲାଭ ପଚାରିବା ପରେ ପୋଷା ଓ ଘୋଷା ଶୁଆ ପରି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏକ ପ୍ରସ୍ତାବ ଦେଲେ । ଦଳରେ ଯେଉଁ ମାନେ ଶୃଙ୍ଖଳା ଭଙ୍ଗ କରୁଛନ୍ତି, ସେମାନଙ୍କ ବିରୋଧରେ ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରସ୍ତାବକୁ ସମର୍ଥନ କଲେ। ଏହି ଧୃବ ସାହୁ ଗୁରୁବାର ଦିନ ଦୋହରିଆରେ ବିଜୟ ମହାପାତ୍ରଙ୍କୁ ଭେଟିଥିଲେ।

କାହାଣୀର ଦ୍ବିତୀୟ ଅଙ୍କ। କେଉଁ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ? ସଂଗେସଂଗେ ଚରିତ୍ରମାନଙ୍କ ଭିତରୁ ଜଣେ ସନାତନ ମହାକୁଡ଼ଙ୍କ ନାମ ଉଲ୍ଲେଖ କଲେ । ସେହି ଅଭିଯୋଗ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବସାଉଠା କରିଛନ୍ତି । ସଭାପତି ଓକେ କରିଦେଲେ । ତାପରେ ଅନ୍ୟ କିଛି ନେତାଙ୍କ ନାମ ଆସିଲା । ବଦ୍ରି ପାତ୍ର, ଭୁପିନ୍ଦର ସିଂ ଏବଂ ଅରବିନ୍ଦ ମହାପାତ୍ର । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ଅରବିନ୍ଦଙ୍କ ନାମକୁ ନେଇ ଆପରି ଉଠାଇଲେ। ସେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁନାହାନ୍ତି ।

କ୍ରୋସ୍ତ ହୋଇପଡ଼ିଲେ ସଭାପତି ନବୀନ ପଟନାୟକ। ଏଥର ସିଧାସଳଖ ଦୋଷ ବାପା ବିଜୟ ମହାପାତ୍ରଙ୍କ ଉପରେ । ୧୯୯୫ରେ ସେ ମୋ ବାପାଙ୍କୁ ହରାଇଥିଲେ। ତେଣୁ ପୁଅକୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ବତି ପେଲା ପାରିଷଦମାନେ ଆଉ କ’ଣ ବା କହିଥାନ୍ତେ ? ବଦ୍ରି ଓ ଭୁପେନ୍ଦ୍ର ନାମ କୁଆଡ଼େ ଗଲା । ସଂଗେସଂଗେ କେବଳ ସନାତନ ଓ ଅରବିନ୍ଦଙ୍କ ନାମରେ ନିଲମ୍ବନ ଆଦେଶ ଜାରି ହେଲା।

ଅର୍ଥାତ କେବଳ ଏହି ଦୁଇଜଣଙ୍କୁ ନିଲମ୍ବନ କରିବା ପାଇଁ ଷଡ଼ଯନ୍ତ୍ରର କାହାଣୀ ରଚିଥିଲେ ନବୀନ ପଟନାୟକ। ଅନ୍ୟ ପାତ୍ରମାନେ କେବଳ ପୋଷା ଶୁଆର ଦାୟିତ୍ଵ ନିର୍ବାହ କରିଥିଲେ । ବାପା ବିଜୟ ମହାପାତ୍ର ଯଦି ୧୯୯୫ରେ ନବୀନଙ୍କ ବାପା ବିଜୁ ବାବୁଙ୍କୁ ହରାଇଥିଲେ ବୋଲି ନବୀନ ଏବେବି ଭାବୁଛନ୍ତି, ତେବେ ୨୦୨୪ ନିର୍ବାଚନ ପୂର୍ବରୁ କାହିଁକି ବିଜୟଙ୍କ ପୁଅ ଅରବିନ୍ଦଙ୍କୁ ଆଣିଥିଲେ, ଟିକଟ ଦେଇଥିଲେ ?

ସେହି ସମୟର ଚିତ୍ର ବୋଧହୁଏ ଓଡ଼ିଶାବାସୀ ଭୁଲି ନଥିବେ। ଅରବିନ୍ଦ ନବୀନ ନିବାସରେ ନବୀନଙ୍କ ଚରଣ ସ୍ପର୍ଶ କରିଥିଲେ । ନବୀନ ଆଶୀର୍ବାଦ ଦେବା ସହ ବିଜୟଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ମଧ୍ୟ ଦେଇଥିଲେ। ଏହା ସେତେବେଳେ ଏକ ପୈଶାଚିକ ଆନନ୍ଦ (ସ୍ୟାଡିଷ୍ଟିକ୍ ପ୍ଲେଜର) ଥିଲା। ଏବେ ଅରବିନ୍ଦଙ୍କୁ ଦଳ ବିରୋଧୀ ଦର୍ଶାଇ ନିଲମ୍ବନ କରି ସେଭଳି ପୈଶାଚିକ ଆନନ୍ଦ ପାଇଲେ ନବୀନ ବାବୁ ।

ଯଦି ଜନତା ସରକାରର ୧୯୯୫ ପରାଜୟ ପାଇଁ ବିଜୟ ମହାପାତ୍ର ଦାୟୀ, ତେବେ ୨୦୨୪ରେ ବିଜୁ ଜନତା ଦଳ ସରକାରର ପରାଜୟ ପାଇଁ କାହାକୁ ଦାୟୀ କରନ୍ତି ନବୀନ ପଟନାୟକ ? ଯାହାଙ୍କର ରାଜନୀତି ଷଡ଼ଯନ୍ତ୍ରରୁ ଆରମ୍ଭ, ସେଭଳି ବ୍ୟକ୍ତି ଯିବାଆସିବା ବେଳରେ ଷଡ଼ଯନ୍ତ୍ରକୁ କେମିତି ବା ଭୁଲିଯାଇ ପାରିବେ ?

Leave a Reply

Your email address will not be published. Required fields are marked *