ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ନୂତନ ବିଧାନସଭା ଓ ଲୋକସେବା ଭବନ ନିର୍ମାଣ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର ଆବଶ୍ୟକତାକୁ ନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ରାଜ୍ୟବାସୀ ସରକାରଙ୍କ ବିରୋଧରେ ଆକ୍ରୋଶ ଶିଖର ଛୁଇଁଥିବାରୁ, ଏଥିରୁ ନଜର ହଟାଇବା ପାଇଁ ସରକାର ଏଭଳି ଭେଳିକି ପ୍ରକଳ୍ପ ସାମ୍ନାକୁ ଆଣିଛନ୍ତି ବୋଲି ବିଜେଡି କହିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜ୍ୟ ବିଜେପି ସରକାର ନିଜର ବିଫଳତାକୁ ଲୁଚାଇବା ଉଦେ୍ଦଶ୍ୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବୋଲି କହିଥିଲେ । ଗୌତମବୁଦ୍ଧ ଦାସ କହିଥିଲେ, କୃଷକମାନଙ୍କୁ ୮୦୦ ଟଙ୍କା ବୋନସ୍ ଦେବାକୁ ସରକାର ମନା କଲା ବେଳେ ୩,୬୨୩ କୋଟିରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ବଜେଟରେ ପ୍ରାବଧାନ ହୋଇଛି କି ନାହିଁ, ସେନେଇ କୌଣସି ସ୍ପଷ୍ଟତା ନାହିଁ । ପୂର୍ବରୁ ଏହି ପ୍ରକଳ୍ପ ସମ୍ୱନ୍ଧରେ ସମ୍ୟକ ସୂଚନା ମଧ୍ୟ ନଥିଲା । ବିଭିନ୍ନ କ୍ଷେତ୍ରରେ ବିଫଳତା ଯୋଗୁଁ ରାଜ୍ୟ ସରକାରଙ୍କ ବିରୋଧରେ ଜନ ଆକ୍ରୋଶ ବୃଦ୍ଧି ପାଉଥିବାରୁ, ଏଥିରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଏଭଳି ଭେଳିକି ପ୍ରକଳ୍ପକୁ ରୂପ ଦେଇଛନ୍ତି । ରାଜ୍ୟ ସରକାର ଯେଉଁ ଡିଲିମିଟେସନ କଥା ଉଲ୍ଲେଖ କରି ବିଧାନସଭା ସିଟ୍ ସଂଖ୍ୟା ୨୦୦କୁ ବୃଦ୍ଧି ପାଇପାରେ ବୋଲି କହୁଛନ୍ତି, ସେନେଇ କୌଣସି ସ୍ପଷ୍ଟତା ଆସିନାହିଁ । ଜନଗଣନା ଶେଷ ହେବା ପରେ ଡିଲିମିଟେସନ କାର୍ଯ୍ୟ ଆରମ୍ଭ ହେବ । ତେଣୁ ଯେ ପର୍ଯ୍ୟନ୍ତ ଡିଲିମିଟେସନ ହୋଇନାହିଁ, ସେପର୍ଯ୍ୟନ୍ତ ବିଧାନସଭାର ଆସନ ସଂଖ୍ୟା ବଢିବ କି କମିବ କହି ହେବନାହିଁ । ତେଣୁ ରାଜ୍ୟ ସରକାରଙ୍କ ସିଟ୍ ବଢିବା ଯୁକ୍ତି ଗ୍ରହଣୀୟ ନୁହେଁ । ରାଜ୍ୟ ସରକାର କେବଳ ନିଜର ବିଫଳତା ଉପରୁ ନଜର ହଟାଇବା ପାଇଁ ଏହି ପ୍ରକଳ୍ପକୁ ଆୟୁଧ କରିଛନ୍ତି । ଶ୍ରୀ ଦାସ କହିଥିଲେ, ଗତ ୧୮ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଥିବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଇଛି । ଏହି ୧୮ ମାସରେ ସ୍ୱଚ୍ଛଳ ଓଡିଶାର ଆର୍ଥିକ ଶୃଙ୍ଖଳାକୁ ବିଗିଡ଼େଇବା ପରେ ଓଡିଶା ଗୋଟିଏ ଋଣଗ୍ରସ୍ତ ରାଜ୍ୟରେ ପରିଣତ ହେବାକୁ ଯାଉଛି । ୨୦୨୪ ମସିହାରେ ନବୀନ ସରକାର କ୍ଷମତାରୁ ଯିବା ସମୟରେ ରାଜ୍ୟର ଋଣ ଭାର ୭୮,୦୦୦ କୋଟି ଟଙ୍କା ଥିଲାବେଳେ ବିଜେପି ସରକାର ମାତ୍ର ଗତ ଦେଢ଼ ବର୍ଷରେ ୯୧,୦୦୦ କୋଟି ଟଙ୍କା ଋଣ କରି ସାରିଲେଣି । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ କ୍ଷମତାକୁ ଆସିଥିବା ବେଳେ କେନ୍ଦ୍ରରୁ ଅନୁଦାନ ୧୮.୧୯% କମିଗଲା । ନବୀନ ସରକାରଙ୍କ ସମୟରେ ୪,୪୭୪ କୋଟି ଟଙ୍କାରେ ଏମ୍ସ ପ୍ଲସ ପ୍ରକଳ୍ପର ପ୍ରାୟ ୩୦% କାର୍ଯ୍ୟ ଶେଷ ହୋଇ ସାରିଥିଲା । ବିଜେପି କ୍ଷମତାକୁ ଆସିବା ପରେ ଏ ପ୍ରକଳ୍ପ କାମ ଆଗେଇ ପାରୁନାହିଁ । ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଆଗେଇବା ପରିବର୍ତ୍ତେ ନୂତନ ବିଧାନସଭା ଓ ଲୋକସେବା ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରୁଛନ୍ତି । କେଉଁଟା ପ୍ରାଥମିକତା ହେବା କଥା, ତାହା ଓଡ଼ିଶାବାସୀ ବିଚାର କରିବେ । କୃଷକ ମାନଙ୍କ ସମସ୍ୟାକୁ ସମାଧାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପଲୁ୍ୟସନ ସାର୍ଟିଫିକେଟକୁ ନେଇ ଆଜି ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଏହି ସବୁ ବିଫଳତା ଉପରୁ ନଜର ହଟାଇବା ପାଇଁ ଡିଲିମିଟେସନ ନାଁରେ ପ୍ରହସନ କରୁଛନ୍ତି । ଡ଼ ଲେନିନ ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ପ୍ରାଥମିକତା କ’ଣ । ୮ ଲକ୍ଷ ନୂଆ ହିତାଧିକାରୀ ମଧୁବାବୁ ପେନସନ ଅପେକ୍ଷାରେ, ୧୨ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ଅପେକ୍ଷାରେ, ୬ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି । ରାଜ୍ୟ ବ୍ୟାପୀ ଶିକ୍ଷକ, ଡକ୍ଟର ଓ ଅଙ୍ଗନବାଡି କର୍ମୀ ନିଜ ଦରମା ବଢାଇବା ପାଇଁ ବହୁ ଦିନରୁ ଆନେ୍ଦାଳନ କରୁଛନ୍ତି । ରାଜ୍ୟରେ ଠିକ୍ ସମୟରେ ହିତାଧିକାରୀଙ୍କୁ ରାସନ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯାଉନାହିଁ । ଅନ୍ୱେଷା ଯୋଜନାରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗତ ୫ ମାସ ହେଲା କୌଣସି ଆର୍ଥିକ ସହାୟତା ଦିଆଯାଉନାହିଁ । ଏ ସବୁ ସମସ୍ୟାର ସମାଧାନ ନକରି, ଜନସାଧାରଣ ନିତିଦିନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନକୁ ପ୍ରାଥମିକତା ନଦେଇ ରାଜ୍ୟ ସରକାର ନୂଆ ବିଧାନସଭା ଓ ଲୋକସେବା ଭବନ ନିର୍ମାଣର ଭେଳିକି ଦେଖାଉଛନ୍ତି । ବିଲ୍ଡିଂ ନିର୍ମାଣ କରି କେବଳ ପିସି ହାତେଇବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ପ୍ରକଳ୍ପର ଆବଶ୍ୟକତା ବର୍ତ୍ତମାନ ସମୟରେ ଆଦୌ ନାହିଁ । କେବଳ ସରକାର ନିଜକୁ ସଂକଟରୁ ଉଦ୍ଧାର କରିବା ପାଇଁ ଏଭଳି ଭେଳିକି, କରୁଛନ୍ତି । Post navigation Investors’ Meet: କୋଲକାତାରେ ହେବ ଦୁଇ ଦିନିଆ ଇନଭେଷ୍ଟର ମିଟ୍; ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Communal Violence In Sundargarh: ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ