ରାଜ୍ୟରେ ୧୨୮୯ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ । ଅନ୍ଧାରରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ଦେଢ଼ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନାହିଁ । ୨୯୦ ଉଚ୍ଚ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ । ରାଜ୍ୟରେ ସମୁଦାୟ ସରକାରୀ ସ୍କୁଲ ସଂଖ୍ୟା ୪୮୫୨୨। ସେହିପରି ଶତାଧିକ ବିଦ୍ୟାଳୟରେ ନାହିଁ ଶୌଚାଳୟର ବ୍ୟବସ୍ଥା । ୧୧୪ଟି ସ୍କୁଲରେ ଶୌଚାଳୟ ନାହିଁ । ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ଉପଲବ୍ଧ ଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ ଯେ ରାଜ୍ୟର କେଉଁ ଜିଲ୍ଲାରେ ସମୁଦାୟ କେତେ ଗୋଟି ଏବଂ କେଉଁ କେଉଁ ବର୍ଗର ବିଦ୍ୟାଳୟରେ ଅଦ୍ୟାବଧି ଶୌଚାଳୟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ଇତ୍ୟାଦି ସୁବିଧା ନାହିଁ । ସେହିପରି ୨୦୨୪-୨୫ ଠାରୁ ଅଦ୍ୟାବଧି କେତେ ଗୋଟି ବିଦ୍ୟାଳୟରେ ଶୌଚାଳୟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ଇତ୍ୟାଦି ସୁବିଧା କରାଯାଇ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ତାର ସୂଚନା ପ୍ରଦାନ କରିବାକୁ କହିଥିଲେ । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଉତ୍ତରରେ କହିଛନ୍ତି ୨୦୨୪-୨୫ ବର୍ଷର ତଥ୍ୟ ଅନୁଯାୟୀ ରାଜ୍ୟର ମୋଟ ୧୫୮୯ଟି ବିଦ୍ୟାଳୟରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ନାହିଁ । ସେଥିମଧ୍ୟରୁ ୧୨୮୯ଟି ପ୍ରାଥମିକ ବିଦ୍ୟାଳୟ, ୨୯୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୦ଟି ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ନ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ସର୍ବାଧିକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରେ ୨୭୮ଟି ପ୍ରାଥମିକ ବିଦ୍ୟାଳୟରେ ଆଲୋକୀକରଣର ବ୍ୟବସ୍ଥା ନାହିଁ । ସେହିପରି ନବରଙ୍ଗରପୁରରେ ୨୨୭ଟି ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ନାହିଁ । ସେହିପରି ରାଜ୍ୟର ମୋଟ ୧୧୪ଟି ବିଦ୍ୟାଳୟରେ ଶୌଚାଳୟର ବ୍ୟବସ୍ଥା ନାହିଁ । ତନ୍ମଧ୍ୟରୁ ୮୬ଟି ପ୍ରାଥମିକ ବିଦ୍ୟାଳୟ, ୨୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨ଟି ମାଧ୍ୟମିକ ବିଦ୍ୟାଳୟ ଏବଂ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ଆଜି ଯାଏ କରାଯାଇ ନାହିଁ । ଶୌଚାଳୟ ଓ ବିଦ୍ୟୁତ ଯୋଗାଣ ସୁବିଧା ନ ଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୨୦୨୪-୨୫ ସମଗ୍ର ଶିକ୍ଷା ଯୋଜନାରେ ୬୭୯ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି । ଶୌଚାଳୟ ପାଇଁ ପ୍ରତି ବିଦ୍ୟାଳୟ ପିଛା ୪ ଲକ୍ଷ ୮୯ ହଜାର ଟଙ୍କା ଲେଖାଏଁ ମୋଟ ୫୮ଟି ବିଦ୍ୟାଳୟ ପାଇଁ ଅର୍ଥରାଶି ମଞ୍ଜୁର କରାଯାଇଛି । ସେହିପରି ବିଦ୍ୟୁତ ସଂଯୋଗୀକରଣ ପାଇଁ ପ୍ରତି ସ୍କୁଲ୍ ପିଛା ୬୫ ହଜାର ଟଙ୍କା ଲେଖାଏଁ ୬୦୯ଟି ବିଦ୍ୟାଳୟକ ପାଇଁ ଅର୍ଥ ମଞ୍ଜୁର ହୋଇଛି । Post navigation Adarsh Chit Fund Scam: ଆଦର୍ଶ ଚିଟଫଣ୍ଡ ଠକେଇ ଘଟଣା: ଭୁବନେଶ୍ୱର ଓ କଟକରେ ବଡ଼ ଧରଣର ଇଡିର ଚଢାଉ Supplementary Budget: ବିଧାନସଭାରେ ୧୭,୪୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ