ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion Organization) ତରଫରୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିବା ସହିତ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଉଲ୍ଲେଖଯୋଗ୍ୟ ସଫଳତା । ସୂଚନାଯୋଗ୍ୟ ଯେ, ସମୁଦାୟ ୩୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ । ଓଡ଼ିଶା ସାମଗ୍ରୀକ ପ୍ରଦର୍ଶନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଏହି ସଫଳତା ହାସଲ କରିଛି । କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଓଡ଼ିଶା ଏହି ପୁରସ୍କାର ପାଇବା ସହିତ ଏଥରକୁ ମିଶାଇ ଦୁଇ ଥର ଗୋଲ୍ଡ ମେଡାଲ ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ରାଜ୍ୟ ସରକାରଙ୍କର ୯ଟି ବିଭାଗର ୨୬ଟି ଷ୍ଟଲ ସ୍ଥାନୀତ ହୋଇଥିଲା । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଏବଂ ଏକ୍ ଭାରତ ଶ୍ରେଷ୍ଠ ଭାରତର ଆଭିମୁଖ୍ୟକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୨ ତାରିଖରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶା ମଣ୍ଡପ ବୁଲି ଦେଖିବା ସହିତ ଓଡ଼ିଶାର କଳା, ଐତିହ୍ୟ ଓ ପରମ୍ପରା ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । Post navigation Odisha Assembly: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ବିଧାନସଭା ଆଗମନ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ Public Grievance Redressal: ରାଜ୍ୟରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସ୍ଥାଣୁ ପାଲଟିଛି: ବିଜେଡି