କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସରକାର ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ କର୍ପୋରେସନ ଦ୍ବାରା ଆସିକା ତହସିଲ ଅଧୀନ ହରଡ଼ାପଦର ପଞ୍ଚାୟତ ଧୋବାଜି ମୌଜାର ୬୬ ଏକର ଜମି ଅଧିଗ୍ରହଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭପଟ୍ଟନାୟକ ୧୯୮୨ ମସିହାରେ ଦୈନିକ ୪୦୦ କିଲୋଗ୍ରାମ ସୂତା ଉତ୍ପାଦନ କ୍ଷମତା ଥିବା ଏହି ଶିଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ସୂତାକଳ ୧୯୮୬ ମସିହାରେ ପୁଣି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭପଟ୍ଟନାୟକ ଉଦଘାଟନ କରି କାର୍ଯ୍ୟକ୍ଷମ କରିଥିଲେ । ଏଥିରେ ବିଭିନ୍ନ ଗ୍ରାମରୁ ପୁରୁଷ ଓ ମହିଳା ଶ୍ରମିକ ଯୋଗ ଦେଇଥିଲେ । ଅନୁରୂପ ବାରିପଦା ଓ ସୋନପୁର ଠାରେ ମଧ୍ୟ ଆଇଡିସି (ଇଣ୍ଡଷ୍ଟ୍ରିଆଲ ଡେରେଇପମେଣ୍ଟ କର୍ପୋରେସନ) ଦ୍ବାରା ସୂତା ଉତ୍ପାଦନ କରି ଓଡ଼ିଶାରେ ସୂତା ଉତ୍ପାଦନ କରାଯାଇଥିଲା । ଏହା ବହୁବର୍ଷ ଧରି ଓଡ଼ିଶାର ଏକ ଲାଭଜନକ ଶିଳ୍ପ ରୂପେ ଖ୍ୟାତି ଅର୍ଜନ କରିଥିଲା ।

ପରବର୍ତ୍ତୀ ସମୟରେ ଏହି ଶିଳ୍ପରେ ଅଧିକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଏହା ଉତ୍ପାଦନ ଓ ଲାଭକ୍ଷେତ୍ରରେ ପରିଚାଳନା ଅପାରଗତା ଦେଖାଦେଲା। ଏହା ପରେ ପରେ ଶ୍ରମିକ ଅଶାନ୍ତି ଫଳରେ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଦୀର୍ଘ ୫ବର୍ଷ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ଏହି ସୂତାକଳ ଏକ ରୁଗ୍‌ଣ ଶିଳ୍ପ ରୂପେ ପଞ୍ଜିକରଣ ହେଲା। ଏହାକୁ ଭିଭିକରି ସରକାର ଏହାର ପୂନଃରୁଦ୍ଧାର ପରିବର୍ରେ ରାଜନୈତିକ ଚାପରେ କଲିକତାରେ ଜର୍ଜ ଡିଷ୍ଟ୍ରିବ୍ୟୁଟର ପ୍ରାଇଭେଟ ଲିମିଟେଡ ନାମକ ଏକ ଶିଳ୍ପପତିଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଶାଗ ମାଛ ଦରରେ ୨୦୦୬ ମସିହାରେ ଆସିକା ସମେତ ବାରିପଦା ଓ ସୋନପୁର ମିଲକୁ ନାମକୁ ମାତ୍ର ୧୬ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲେ ।

ପରେ ପୁଣି ୨୦୦୭ରୁ ଏହା ବାଲାଜି ସୂତାଜଳ ନାମକ ଏକ ଘରେଇ କମ୍ପାନିକୁ ପରିଚାଳନା ଦାୟିତ୍ବ ଦିଆ ଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ କପା ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବା ପରିବର୍ତ୍ତେ ବାହାର ରାଜ୍ୟରୁ ଅଧିକ ମୂଲ୍ୟଦେଇ କପା ଆମଦାନି କରାଗଲା। ଫଳରେ ଶିଳ୍ପ କ୍ଷତି ଆଡ଼କୁ ମୁହାଁଇଲା । ପ୍ରଥମେ କିଛି ଶ୍ରମିକଙ୍କୁ ସତଃପ୍ରବୃତ ଭାବରେ ଅବସର ନେବାକୁ କୁହାଗଲା ଓ ପରେ କିଛି ଶ୍ରମିକଙ୍କୁ ଛଟେଇ କରିଦିଆଗଲା। ଆଉ ୨୦୧୩ ମସିହାର ଫାଇଲିନ ପରେ ଅଧିକ କ୍ଷତି ହୋଇଥିବା ଦର୍ଶାଇ ବନ୍ଦକରି ଦିଆଯାଇଛି। ସେହି ସମୟରେ ଯେଉଁ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ ଅବସ୍ଥା ଏବେ ଦୟନୀୟ। ସୂତାକଳର ପଛପଟେ ସେହି ସମୟରେ ମିଳିଥିବା ରଙ୍ଗା କ୍ୱାର୍ଟରରେ ଏବେ ବି ସେମାନେ ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି । ପୁଣି ସୂତାକଳ ଚାଲିବା ଆଶାରେ ଏବେବି ଚାହିଁ ରହିଛନ୍ତି ପୁରୁଣା କର୍ମଚାରୀ ।

ଏପଟେ କୋଟିକୋଟି ଟଙ୍କାରେ ନିର୍ମାଣ ହୋଇଥିବା କୋଠାବାଡ଼ି ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। କଳକବଜା ସହ ଯନ୍ତ୍ରପାତି ସବୁ ମାଟିରେ ମିସିଲାଣି । କେତେକ ଲୋକ ସୂତାକଳର ଜମି ମଧ୍ଯ ଜବରଦଖଲ କରିବସିଲେଣି। କେବଳ କାରଖାନାର ରକ୍ଷଣାବେକ୍ଷଣ ପାଇ ୬ ଜଣ ସୁରକ୍ଷାକର୍ମୀ ଓ ଜଣେ ଅଫିସର ଏବେ ଅଛନ୍ତି । ଗଞ୍ଜାମର କୁଶଳି ଶ୍ରମିକ ଅନ୍ୟ ରାଜ୍ୟକୁ ସୂତାକଳରେ କାମ କରିବାକୁ ଯାଉଥିବା ବେଳେ ଏହି ସୂତାକଳଟି ପୁନରୁଦ୍ଦାର ହେଲେ ଲୋକେ କର୍ମନିଯୁକ୍ତି ପାଇ ପାରନ୍ତେ ।

ପ୍ରକାଶଥାଉକି, ୨୦୨୪ ନିର୍ବାଚନରେ ବିଜେପି ସାଂସଦ ତଥା କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜୋରଦସ ଏହି ସୂତାକଳ ଚାଲୁ କରିବା ପାଇଁ ନିର୍ବାଚନ ପ୍ରତିଶୃତି ଦେବା ସହ କୋଭିଡ ସମୟରେ ସୁରତରୁ ଫେରିଥିବା ଦାଦନଙ୍କୁ ଏଠି ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶୃତି ପ୍ରଭାବରେ ଆସିକା ଓ ଗଞ୍ଜାମ ଜିଲ୍ଲାରେ ସ୍ଥାନୀୟ ଯୁବକ ଓ ସୁରଟ ଫେରନ୍ତା ଦାଦନ ଶ୍ରମିକମାନେ ବିଜେପିକୁ ଭୋଟ ଦେଇ ଜିତାଇଥିଲେ । ବର୍ତ୍ତମାନ ଆସିକା ସାଂସଦ, ବିଧାୟକ ବିଜେପିରୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନର ୧୬ମାସ ବିତିଯାଇଥିଲେ ମଧ୍ୟ ଏହି ସୂତାକଳ ଖୋଲିବା ପାଇଁ ସରକାର କିମ୍ବା ବିଧାୟକ ନାମ ଧରୁନାହାନ୍ତି । ଏହା ବିଡ଼ମ୍ବନାର ବିଷୟ।

Leave a Reply

Your email address will not be published. Required fields are marked *