ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମାଲକାନଗିରି ଦିଦାୟୀ ସମ୍ପ୍ରଦାୟର କୁମାରୀ ଚମ୍ପା ରାସ୍ପେଦାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କୁମାରୀ ଚମ୍ପାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାଙ୍କୁ ଏକ ଲାପ୍ଟପ୍ ଉପହାର ଦେଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଚମ୍ପାଙ୍କୁ ଆଶୀର୍ବାଦ କରି ଆଗକୁ ଆହୁରି ଭଲ ପାଠ ପଢ଼ିବାକୁ କହିଥିଲେ । ଭଲ ପାଠପଢ଼ି, ଭଲ ଡାକ୍ତର ହୋଇ, ଲୋକଙ୍କ ସେବା କରିପାରିଲେ ତାହା ହେବ ଜୀବନର ସାର୍ଥକତା ହେବ ବୋଲି ମୁଖ୍ୟମନ୍ତ୍ରୀ ଚମ୍ପାକୁ ଉପଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ତାଙ୍କର ସାରା ଜୀବନ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି କୃତଜ୍ଞତା ପ୍ରକାଶ କରି ଚମ୍ପା କହିଥିଲେ । ସୂଚନାଯୋଗ୍ୟ ଯେ, କୁମାରୀ ଚମ୍ପା ହେଉଛନ୍ତି ପିଭିଟିଜି ଦିଦାୟୀ ବର୍ଗର ତଥା ମାଲକାନଗିରି ଜିଲ୍ଲା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ପ୍ରଥମ ଛାତ୍ରୀ । ୨୦୨୫-ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୁମାରୀ ଚମ୍ପା ଚିତ୍ରକୋଣ୍ଡା ଏସ୍.ଏସ୍.ଡି ସ୍କୁଲରୁ ଦଶମ ଶ୍ରେଣୀ ଓ ଗୋବିନ୍ଦପାଲି ହାୟର ସେକେଣ୍ଡାରୀ ଏସ୍.ଏସ୍.ଡି ସ୍କୁଲରୁ ଯୁକ୍ତ ଦୁଇ ପାସ୍ କରିଛନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୁମାରୀ ଚମ୍ପା ବର୍ତ୍ତମାନ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ପାଠ ପଢ଼ିବେ । Post navigation ଜାତି ପ୍ରମାଣପତ୍ର କେଳେଙ୍କାରୀ ମାମଲା; ମୁକେଶ ମହାଲିଙ୍ଗଙ୍କ ବିରୁଦ୍ଧରେ ଗର୍ଜିଲା କଂଗ୍ରେସ ‘ଆମ ଶାସନ’ ହେଉଛି ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ: ବିଜେଡି