ଉପ-ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିଦେଲା । ପ୍ରାୟତଃ କେହି ଅନୁମାନ କରିନଥିଲେ ଯେ, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ବାଛିବ ଉପ-ରାଷ୍ଟ୍ରପତି ପଦ ପାଇଁ । ତାଙ୍କ ନାଁ ଘୋଷଣା ହେବା ମାତ୍ରେ ସେ ସସ୍ତ୍ରୀକ ଯାଇ ମୁମ୍ବାଇରେ ସିଦ୍ଧି ବିନାୟକଙ୍କ ଦର୍ଶନ କରିଚନ୍ତି। ସେ ତାମିଲନାଡୁର ଲୋକ। ଦି’ଥର ଲୋକସଭାକୁ ନିର୍ବାଚିତ ହେଇଚନ୍ତି। ତେଲଙ୍ଗାନା ଓ ଝାରଖଣ୍ଡର ରାଜ୍ୟପାଳ ବି ଥିଲେ । ଏଇଠୁ ଜଣାପଡ଼ୁଚି ଯେ, ଯିଏ ଝାରଖଣ୍ଡର ରାଜ୍ୟପାଳ ହେବେ ତାଙ୍କୁ କିଛି ନା କିଛି ବଡ଼ ପଦବୀ ମିଳିବ। ରାଷ୍ଟ୍ରପତି ନହେଲେ ଉପ-ରାଷ୍ଟ୍ରପତି ।

ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରି ବଡ଼ ଗୋଟି ପଦ୍ମ ହାଇକମାଣ୍ଡ ଖେଳି ଦେଇଚନ୍ତି । ସେ ହେଲେ ଓବିସି । ଆସିଚନ୍ତି ତାମିଲନାଡୁରୁ । ଏଣୁ ସେଠିକା ଡିଏମକେ କ’ଣ କରିବ ? ନିଜ ରାଜ୍ୟର ରାଧାକ୍ରିଷ୍ଣନଙ୍କୁ ବିରୋଧ କରିବ କି ? ବଡ଼ ଅଡ଼ୁଆ । ଲାଗୁଚି ଏଥିପାଇଁ ଷ୍ଟାଲିନଙ୍କୁ ଦିମାକ ଲଗାଇବାକୁ ପଡ଼ିବ । ଆଗକୁ ଇଲେକସନ ଅଛି। ରାଧାକ୍ରିଷ୍ଣନଙ୍କୁ ବିରୋଧ କଲେ ଅନେକ କଥା ଉଠିପାରେ ।

କିନ୍ତୁ ସବୁଠୁ ବଡ଼ ଅଡୁଆରେ ତ ଶଙ୍ଖ ଦଳ । ସେ ଦଳ କଥା ନକହିଲେ ଭଲ । ଦଳରେ କେହି ନହେଇ ବି ପାଣ୍ଡିଆନ କହିଲେଣି ଦଳର ନେତାମାନଙ୍କୁ ବାଡେଇ ଭଗେଇ ଦେବେ । ଭାଇଙ୍କୁ କ‌ହି ସସ୍ପେଣ୍ଡ କରିଦେବେ । ପାଣ୍ଡିଆନ ବି ଆସିଚନ୍ତି ତାମିଲନାଡ଼ୁରୁ । ରାଧାକ୍ରିଷ୍ଣନ ବି ତାମିଲନାଡୁର । ଏଣୁ ଦଳର ଅଘୋଷିତ ସର୍ବେ ସର୍ବ ବାବୁ ପାଣ୍ଡିଆନ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇପାରିବେ କି ? ଭାରି ଅଡୁଆରେ ପକାଇ ଦେଲେ ମୋଦୀ ।

କିଛିଦିନ ତଳେ ମହେଶ ସାହୁ କହିଥିଲେ ଯେ, ଏଥର ଉପ-ରାଷ୍ଟ୍ରପତି ନିର୍ବାଚନରେ ଶଙ୍ଖ ଦଳ ପଦ୍ମ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ । ବିରୋଧ କରିବ । କାହାଠାରୁ ନିର୍ଦ୍ଦେଶ ପାଇ ମହେଶ ଏମିତି କହିଲେ ଜଣାନାହିଁ । କିନ୍ତୁ ଏବେ ଦଳ କରିବ କ’ଣ ? ରାଧାକୃଷ୍ଣ ଭଜନ ନକରି ତାଙ୍କୁ ବିରୋଧ କଲେ ଦଳ ତ ଭାଙ୍ଗିବା ଅବସ୍ଥାକୁ ପଳାଇବ। ନବୀନ ବାବୁ ତ ନିଷ୍ପତ୍ତି ନେବା ଅବସ୍ଥାରେ ନାହାଁନ୍ତି। ଏବେ ଡାକ୍ତରଖାନାରେ ଭର୍ତ୍ତି । ଚଳପ୍ରଚଳ ଶକ୍ତି କମିଗଲାଣି। କାହାକୁ ଭେଟିବା ପ୍ରଶ୍ନ ଉଠୁନାହିଁ। ଏମିତିରେ ଯାହା ନିଷ୍ପତ୍ତି ନେବେ ଦଳରେ କେହି ନହେଇ ବି ପାଣ୍ଡିଆନ ବାବୁ । ପାଣ୍ଡିଆନ ବାବୁଙ୍କ ସାହାସ ଅଛି କି ଏଭଳି ଅବସ୍ଥାରେ ଏନଡିଏକୁ ଖୋଲା ବିରୋଧ କରିବେ ? ଯଦି ଶଙ୍ଖ ଦଳ ଏନଡିଏକୁ ସମର୍ଥନ କରେ ତେବେ ମହେଶ ବାବୁ କରିବେ କ’ଣ ? ରାଗିକରି ଦଳ ଛାଡି ଦେଇପାରିବେ କି ? ଦେଖାଯାଉ କ’ଣ ହଉଚି ଶଙ୍ଖ ଦଳରେ।

Leave a Reply

Your email address will not be published. Required fields are marked *