ଓଡି଼ଆରେ ନେଣଦେଣର ଇଂରାଜୀ ପରିଭାଷାଟି ହେଲା କୁଇଡ୍  ପ୍ରୋ କ୍ୟୋ । ଅର୍ଥାତ କିଛି ବିନିମୟରେ କିଛି ପ୍ରାପ୍ତି । ମୋହନ ସରକାରଙ୍କ କ୍ଷେତ୍ରରେ ଏମିତି ଏକ ଅଭିଯୋଗ ଆସିଛି ସାମ୍ନାକୁ। ଅଭିଯୋଗଟି ସାଙ୍ଘାତିକ। ଏହା ସୂଚାଇ ଦେଉଛି ଯେ ଅମଲାତନ୍ତ୍ର କବଳରେ ପଢ଼ିସାରିଛନ୍ତି ସରକାର।

ଗତ କିଛି ମାସ ହେଲା ଏହି ଅମଲାତନ୍ତ୍ର ଯୋଗୁ ଡହଳବିକଳ ହେଉଛନ୍ତି ମୋହନ ସରକାର । ରଥଯାତ୍ରା ବିଭ୍ରାଟ ସତ୍ତ୍ୱେ ସୁପରିଚାଳନା ନିମନ୍ତେ ପ୍ରଶଂସା ଦାବି କରୁଛନ୍ତି ଡିଜିପି । ପୂର୍ବରୁ ନିର୍ଭୟରେ ଏସଂକ୍ରାନ୍ତ ରିପୋର୍ଟ ପ୍ରକାଶିତ ହୋଇସାରିଛି । ଓଏଏସ୍ ସଂଘର ବେଆଇନ ଆନ୍ଦୋଳନ ସତ୍ତ୍ୱେ ମୂଖ୍ୟ ସଚିବ ଯେଉଁ ଢଙ୍ଗରେ କାର୍ଯ୍ୟ କଲେ, ତାହା ମଧ୍ୟ ଚାରି ଆଡୁ ସମାଲୋଚନାର ବିନ୍ଦୁ ପାଲଟିଛି । ଆଜିର ପ୍ରସଙ୍ଗଟି ଭିନ୍ନ ।

ଗତ ଫେବ୍ରୁଆରୀରେ ଓଡ଼ିଶା ସରକାର ଦି କନଭର୍ଜେନ୍ସ ଫାଉଣ୍ଡେସନ (ଟିସିଏଫ୍) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କଲେ । ରାଜ୍ୟରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ ଏହି ବୁଝାମଣାପତ୍ରଟି ସ୍ୱାକ୍ଷରିତ ହୋଇଥିଲା। ଅଧିକ ନିଯୁକ୍ତି ସୃଷ୍ଟି ନିମନ୍ତେ କୌଶଳ ଯୋଗୁ କୃଷି ଉତ୍ପାଦିକତା ବୃଦ୍ଧି ପାଇବ, ଜୀବିକାରେ ଉନ୍ନତି ଘଟିବ ଏବଂ ମହିଳାଙ୍କ ପାଇଁ ନିରନ୍ତର ନିଯୁକ୍ତିକୁ ପ୍ରୋତ୍ସାହନ ମିଳିବ ।

ଏହି ବୁଝାମଣାପତ୍ର ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଟିସିଏଫ୍ ସିଇଓ ଆଶିଷ ଧୱନଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଥିଲା। ମୁଖ୍ୟ ସଚିବ ରାଜ୍ୟର ବିକାଶ ଏବଂ ନିଯୁକ୍ତି ବୃଦ୍ଧି ଦିଗରେ ଟିସିଏଫ୍ ଉପାଦେୟ ସମର୍ଥନ ଯୋଗାଇ ଦେବ ବୋଲି ଆଶା ପ୍ରକାଶ କରିଥିଲେ ।

ଟିସିଏଫ୍ ଏବଂ ଉଦୈତି ଫାଉଣ୍ଡେସନ ପରସ୍ପର ସହ ଜଡ଼ିତ । ଟିସିଏଫ୍‌ର ଆଉ ଏକ ଶାଖା ଉଦୈତି । ଆଶିଷ ଓ ମନୀଷା ଧାୱନ ଟିସିଏଫ୍ ଫାଉଣ୍ଡର । ଉଦୈତି ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ କାର୍ଯ୍ୟ କରୁଛି ।

କିନ୍ତୁ ବିବାଦର ବିନ୍ଦୁଟି ହେଲା ଉଦୈତି ପରାମର୍ଶଦାତା ବୋର୍ଡ଼ର ସଦସ୍ୟା ହେଲେ ଆରତୀ ଆହୁଜା । ଆରତୀ ହେଉଛନ୍ତି ଭାରତ ସରକାରଙ୍କ ପୂର୍ବତନ ଶ୍ରମ ଓ ନିଯୁକ୍ତି ସଚିବ। ଆରତୀଙ୍କ ବଡ଼ ପରିଚୟ ହେଲା ସେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସହଧର୍ମିଣୀ। ଉଦୈତି ମହିଳା ନିଯୁକ୍ତି ସଶକ୍ତିକରଣ ବ୍ୟାପାରରେ ୩ଟି ରାଜ୍ୟ ସରକାରଙ୍କ ସହିତ କାର୍ଯ୍ୟ କରୁଛି । ମହାରାଷ୍ଟ୍ର, ଓଡ଼ିଶା ଏବଂ ଉତ୍ତରପ୍ରଦେଶ। ଟିସିଏଫ୍ ଓ ଉଦୈତି ଅଭିନ୍ନ।

ପ୍ରଶ୍ନ ଉଠୁଛି, ରାଜ୍ୟ ମୁଖ୍ୟ ସଚିବଙ୍କ ପତ୍ନୀ ଯେଉଁ ଏନ୍‌ଜିଓ ସହ ଜଡ଼ିତ ସେହି ଏନ୍‌ଜିଓ ସହ ଓଡ଼ିଶା ସରକାର ବୁଝାମଣାପତ୍ର ସ୍ବାକ୍ଷର କରିବା କେତେଦୂର ଯୁକ୍ତିସଂଗତ ? ନିଜେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି ତୃତୀୟ ପକ୍ଷ ଆଉଟ୍‌ସୋସିଂକୁ ନେଇ । ସଂରଚନାତ୍ମକ ଷ୍ଟ୍ରାଟେଜୀ ପାଇଁ କ’ଣ ବିନିମୟରେ ଟିସିଏଫ୍ ସହ ରାଜିନାମା ସ୍ବାକ୍ଷରିତ ହୋଇଛି ? ଯେଉଁ ସଂସ୍ଥା ସହ ଆରତୀଙ୍କ ସମ୍ପର୍କ ଅଛି ସେହି ସଂସ୍ଥା ସହ ରାଜିନାମା ବିବାଦ ସୃଷ୍ଟି କରିବ ନାହିଁ କି ? ଉଦୈତି ୱେବ୍‌ସାଇଟ୍‌ରେ ପରିଷ୍କାର ଉଲ୍ଲେଖ ଅଛି ଯେ ଏହି ସଂସ୍ଥାଟି ଓଡ଼ିଶା ସରକାରଙ୍କ ସହିତ କାର୍ଯ୍ୟ କରୁଛି।

ନୀତି ଓ ନିୟତ ଠିକ ନରହିଲେ ବିବାଦ ଅଲବତ ସୃଷ୍ଟି ହେବ । ମନୋଜଙ୍କୁ ନେଇ ମୋହନ ଅଡ଼ୁଆରେ ପଡ଼ିଲେ କେହି ବିସ୍ମିତ ହେବେ ନାହିଁ।

Leave a Reply

Your email address will not be published. Required fields are marked *