ପହଲଗାମ ଆକ୍ରମଣ ପରେ ପ୍ରଥମଥର ଲାଗି କଥା ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦି। ଫୋନ୍ ମାଧ୍ୟମରେ ୩୫ ମିନିଟ୍ କଥା ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରୀ । ସେ କହିଛନ୍ତି ପହଲଗାମ ଆତଙ୍କୀ ଆକ୍ରମଣ ଲାଗି ଶୋକ ପ୍ରକାଶ କରିଥିଲେ ଟ୍ରମ୍ପ ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବାରେ ଭାରତକୁ ସମର୍ଥନ ମଧ୍ୟ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଅପରେସନ ସିନ୍ଦୂର ବିଷୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବିସ୍ତୃତ ଭାବରେ କଥା ହୋଇଥିଲେ। ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ସହ ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ପ୍ରସଙ୍ଗ ବିଷୟରେ କଥା ହୋଇଥିଲେ। ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର ଏବେ ବି ଚାଲିଛି। କାନାଡାରେ ଜି-୭ ଶିଖର ସମ୍ମିଳନୀ ସମୟରେ ତାଙ୍କର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବାର ଥିଲା। କିନ୍ତୁ ଟ୍ରମ୍ପ ପୂର୍ବରୁ ଚାଲିଯାଇଥିଲେ। ସେଥିପାଇଁ ଦୁହେଁ ଫୋନରେ କଥା ହୋଇଥିଲେ।କଥାବାର୍ତ୍ତା ସମୟରେ ମୋଦୀ ଟ୍ରମ୍ପଙ୍କୁ ଭାରତ ଆସିବାକୁ ଅନୁରୋଧ କରିଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ସେ ଭାରତ ଆସିବାକୁ ଆଗ୍ରହୀ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ୩୫ ମିନିଟ୍ କଥା ହୋଇଥିଲେ। ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଆଉ ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମରେ, କୌଣସି ସମୟରେ, କୌଣସି ସ୍ତରରେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ଦ୍ୱାରା ମଧ୍ୟସ୍ଥତା ଭଳି ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇନାହିଁ। ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ବିଷୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା, ଉଭୟ ସେନାର ବିଦ୍ୟମାନ ଚ୍ୟାନେଲ ମାଧ୍ୟମରେ ଏବଂ ପାକିସ୍ତାନର ଅନୁରୋଧରେ। Post navigation ଭୁବନେଶ୍ବର ରେଳ ଷ୍ଟେସନରେ ୮ ଗୁଣ ବଢିଲା ପାର୍କିଂ ଫି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ