ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ । ଦୀଘା ମନ୍ଦିର ବିବାଦ ପରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏହି ନିଲମ୍ବନ ସମୟ ଭିତରେ, ଦାସମହାପାତ୍ର କୌଣସି ସେବାପୂଜାରେ ସାମିଲ ହୋଇପାରିବେ ନାହିଁ କିମ୍ବା ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ଏଥି ସହିତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ ଆଦେଶ ଜରିଆରେ ସ୍ପଷ୍ଟ କରାଯାଇଛି ଯେ, ନିଲମ୍ବନ ଅବଧି ସମୟରେ ଦଇତାପତି କିମ୍ବା ଅନ୍ୟ ନିଯୋଗର କୌଣସି ସେବକଙ୍କୁ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କିମ୍ବା ଧମକଚମକ କରି ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ । ଏପରି କଲେ, ନିଲମ୍ବନ ଅବଧିକୁ ବର୍ଦ୍ଧିତ କରାଯାଇ, ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଲମ୍ବନ ତଥା ପରବର୍ତ୍ତୀ ସମୟରେ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ/ ପାଉଣା/ ପୁରସ୍କାର ରଦ୍ଦ କରାଯିବ ବା ସ୍ଥଗିତ ରଖାଯିବ ବୋଲି ମଧ୍ୟ ଆଦେଶରେ କୁହାଯାଇଛି । ସୂଚନା ଯୋଗ୍ୟ; ଦୀଘା ଜଗନ୍ନାଥ ମନ୍ଦିରରେ ନବକଳେବର ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣକୁ ନେଇ ହୋଇଥିବା ବିବାଦକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାମକୃଷ୍ଣଙ୍କୁ ଏହି ବିବାଦ ସମ୍ପର୍କରେ ଜବାବ ଦେବା ପାଇଁ ଦୁଇଥର ନୋଟିସ ଜାରି କରାଯାଇଥିଲା। ପ୍ରଥମେ ୭ ଦିନ ଏବଂ ପରେ ୨ ଦିନର ସମୟ ଦିଆଯାଇଥିଲା। ତେବେ, ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ୩୦ ଦିନ ପାଇଁ ନିଲମ୍ବନ କରାଯାଇଛି। Post navigation ସରିନି ଅପରେସନ ସିନ୍ଦୂର; ଗୁଳିର ଜବାବ ଦିଆଯିବ ଗୋଳାରେ: ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର: ପାକିସ୍ତାନର ପ୍ରତିରକ୍ଷା କ୍ଷମତା ଛାରଖାର