ରାଜଧାନୀରେ ଲଜ୍ଜା । ରାଜଧାନୀ ଭୁବନେଶ୍ବରର ବଡ଼ଗଡ଼ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ମା’ ଓ ନାବାଳିକା ଝିଅଙ୍କର ଅଶ୍ଳୀଳ ଫୋଟୋ ଉଠାଇ ଭାଇରାଲ୍ କରିଦେବା ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଛି । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଏହାପରେ  ତୁରନ୍ତ ଆକ୍ସନ ମୋଡ଼ରେ ଆସିଛି ବଡ଼ଗଡ଼ ପୋଲିସ୍ । ଏହି ଘଟଣାରେ ପୁଲିସ୍‌ ଯାଜପୁର ଜିଲ୍ଳା ଟମକା ଥାନା ଓସ୍ତପାଳ ଅଞ୍ଚଳର ସରୋଜ କୁମାର ବେହେରା ଓରଫ୍ ରବି (୨୨)କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ସରୋଜ କୁମାର ବେହେରା ସହାୟକ ଭାବେ ଅଭିଯୋଗକାରିଣୀଙ୍କ ଘରେ କାମ କରୁଥିଲେ । ସେ ଅଭିଯୋଗକାରିଣୀଙ୍କ ଅଜ୍ଞାତରେ ସୁଯୋଗ ଦେଖି ଅଭିଯୋଗକାରିଣୀ ଓ ତାଙ୍କ ନାବାଳିକା ଝିଅର ଗାଧୋଇବା ସମୟର ଫଟୋ ଓ ଭିଡିଓ ସଂଗ୍ରହ କରି ନେଇଥିଲା। ଫଟୋ ଓ ଭିଡିଓ ନିଜ ପାଖରେ ରଖିବା ସହ ତା’କୁ ମାଧ୍ୟମ କରି ଉଭୟଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ଭିଡ଼ିଓକୁ ଭାଇରଲ୍ କରିଦେବା ଧମକ ଦେଇ ମା’ ଓ ଝିଅଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଥିଲା ।

କିଛି ଦିନ ପୂର୍ବେ ମାଆ ଓ ଝିଅଙ୍କୁ ବ୍ଲାକମେଲ କରି ଟଙ୍କା ମାଗିଥିଲା। ହେଲେ ଅଭିଯୋଗକାରିଣୀ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ରବି ପାଖରେ ରଖିଥିବା ଫଟୋ ଓ ଭିଡିଓକୁ ଅଭିଯୋଗକାରିଣୀଙ୍କ ସ୍ବାମୀଙ୍କ ନିକଟକୁ ପଠାଇ ଦେଇଥିଲା। ଏହାସହିତ ଅଭିଯୋଗକାରିଣୀ ଓ ତାଙ୍କ ଝିଅଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲା। ଶେଷରେ ଏହି ଘଟଣା ସମ୍ପର୍କରେ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଧରିଥିଲା ପୋଲିସ୍ । ପୋଲିସ୍ ହେପାଜତରେ ଆସିବାପରେ ଅଭିଯୁକ୍ତ ନିଜର କାଣ୍ଡ ସ୍ୱୀକାର କରିଥିବା ବେଳେ ପୋଲିସ୍ ରବିକୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *