ଯଯାତୀ କେଶରୀ ମେଡ଼ିକାଲ କଲେଜର ନାଁ ପରିବର୍ତ୍ତନ କରାଯାଇ ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ ନାଁରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଶାସନିକ ଭବନ ପଡିଆରେ ଅନୁଷ୍ଠିତ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।

ସେ କହିଛନ୍ତି ମା’ ବିରଜାଙ୍କ ପବିତ୍ର ମାଟି ଯାଜପୁର ଜିଲ୍ଲାର ଲୋକମହୋତ୍ସବ ‘ଯଯାତି ମହୋତ୍ସବ – ୨୦୨୫ ଏବଂ ପଲ୍ଲିଶ୍ରୀ ମେଳା’ ରେ ଯୋଗଦେବାର ସୌଭାଗ୍ୟ ଲାଭ କରିଛି। ସାହିତ୍ୟ, ସମୃଦ୍ଧ ଐତିହ୍ୟ, ଜୀବନ୍ତ କଳା ଏବଂ ଗୌରବମୟ ସଂସ୍କୃତିରେ ପରିପୂର୍ଣ୍ଣ ଏହି ମହୋତ୍ସବ ଆମ ରାଜ୍ଯର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ, ଯାହା ପାଇଁ ଯାଜପୁର ଆଜି ସାରା ରାଜ୍ଯରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସାହିତ୍ୟ, ଧର୍ମ, ସଂସ୍କୃତି ପାଇଁ ଏ ମାଟି ଓଡ଼ିଶା ଇତିହାସରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର ଯାଜପୁର ଜିଲ୍ଲାର ବିକାଶକୁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି। ଜିଲ୍ଲାବାସୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରିଡା, ନିଯୁକ୍ତି, ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାଜପୁରରେ ଆଜି ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ ଶୁଭ ଉଦଘାଟନ, ୫୦ କୋଟି ଟଙ୍କାରେ ମା’ ବିରଜାଙ୍କ ମନ୍ଦିରର ଉନ୍ନତିକରଣ, ୧୦ କୋଟି ଟଙ୍କାରେ ମନ୍ଦିର ସନ୍ନିକଟ ଧର୍ମଶାଳାର ସମ୍ପ୍ରସାରଣ, ୩୦ କୋଟିରେ ନୂଆ ବସ୍ ଟର୍ମିନାଲ୍, ବ୍ୟାସ ନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ ନଗରଠାରେ ବ୍ୟାସ ସରୋବର ଓ ଟାଉନ ହଲ, ୨୧ କୋଟି ଟଙ୍କାରେ ବିରଜା ଅଗ୍ନେଶ୍ୱର ହାଟର ଉନ୍ନତିକରଣ ଭଳି ଅନେକ ଲୋକାଭିମୁଖୀ ପ୍ରକଳ୍ପ ପାଇଁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *