Sonia Gandhi insulted President Murmu-Manmohan samal
ସଂସଦରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ଏକ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରୀୟ ଦଳର ଶୀର୍ଷ ନେତୃତ୍ୱ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁଭଳି ଅପମାନସୂଚକ ମନ୍ତବ୍ୟ ଦେଲେ, ସେଥିଲାଗି ସର୍ବସାଧାରଣରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଉଚିତ୍ ବୋଲି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ କହିଛନ୍ତି ।
 
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଜିର ବୟାନ କଂଗ୍ରେସ ଦଳର ସାମନ୍ତବାଦୀ ଚିନ୍ତାଧାରା ଓ ରୁଗ୍‌ଣ ମାନସିକତାକୁ ସ୍ପଷ୍ଟ କରିଛି । କଂଗ୍ରେସ ଦଳର ଗର୍ବ ଓ ଅଂହକାର ଆଜି ସାରା ଦେଶ ଦେଖୁଛି । ସାଧାରଣ ଲୋକଙ୍କୁ ମଣିଷ ଭଳି ଦେଖିବା ତ ଦୂରର କଥା ଭାରତ ମହାମହିମ ରାଷ୍ଟ୍ରପ୍ରତିଙ୍କ ପ୍ରତି ସେମାନେ ଯେଉଁଭଳି ବ୍ୟବହାର ଓ ଆଚରଣ ପ୍ରକାଶ କଲେ ସେଥିରେ ଦେଶର ସମ୍ମାନ କ୍ଷୁର୍ଣ୍ଣ ହୋଇଛି । ଏପରିକି ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରିଛି କଂଗ୍ରେସ । କ୍ଷମତାରୁ ଗଲାପରେ କଂଗ୍ରେସ ଦଳ ନିରାଶ ଓ ହତାଶ ହୋଇ ନିଜର ଆଚରଣ ଓ ବ୍ୟବହାରରେ ଧୈର୍ଯ୍ୟଚୁତ ହୋଇଯାଇଛି । ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ । ସଂସ୍କାର, ସମ୍ବିଧାନ ପ୍ରତି ଆଚରଣ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ କିପରି ସମ୍ମାନ ଦିଆଯିବ କଂଗ୍ରେସ ତାହା ଶିଖିବା ଆବଶ୍ୟକ ବୋଲି ସାମଲ କହିଛନ୍ତି ।
 
କଂଗ୍ରେସ ସବୁବେଳେ ଅନୁସୁଚିତ ଜାତି- ଜନଜାତି, ଓବିସି ଏବଂ ମହିଳା ବିରୋଧୀ ରହିଆସିଛି । ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । ପୂର୍ବତନ ରାଷ୍ଟ୍ରପତି ମାନନୀୟ ରାମନାଥ କୋବିନ୍ଦ ଏବଂ ବର୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ହେଲେ ଏହାର ଉଦାହରଣ ।
 
କଂଗ୍ରେସ କେବଳ ଅନୁସୁଚିତ ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । ସେମାନେ ଜଣେ ମହିଳାଙ୍କୁ ଅସମ୍ମାନ କରିବା ସହ ଓଡ଼ିଶାକୁ ଅପମାନିତ କରିଛନ୍ତି । ଓଡ଼ିଶାବାସୀ କେବେ ବି ଏହାକୁ ଗ୍ରହଣ କରିବେ ନାହିଁ । ଅପରପକ୍ଷେ ବିଜେପି ଅନୁସୁଚିତ ଜାତି, ଜନଜାତି ଓ ମହିଳାଙ୍କୁ ସବୁବେଳେ ସମ୍ମାନ ଦେଇ ସର୍ବୋଚ୍ଚ ସ୍ଥାନରେ ବସାଇଛି । ଏନେଇ କଂଗ୍ରେସ ଅସହିଷ୍ଣୁ ହୋଇପଡ଼ିଛି । ଏଭିଳ ରୁଗ୍‌ଣ ମାନସିକତା କଂଗ୍ରେସ ପରିହାର କରିବା ଆବଶ୍ୟକ । ଭବିଷ୍ୟତରେ ଏଭଳି ମନ୍ତବ୍ୟରୁ କଂଗ୍ରେସ ଦଳ ଏବଂ ଏହାର ନେତୃତ୍ୱମାନେ ନିବୃତ ରୁହନ୍ତୁ ବୋଲି ପରାମର୍ଶ ଦେବା ସହିତ ଏଭଳି ଘଟଣାର ପ୍ରତିବାଦ କରାଯିବ ବୋଲି ସାମଲ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *