ନିର୍ବାଚନରେ ବିକାଶ ପୁରୁଷ ଓ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହାରିଗଲେ । ଲୋକପ୍ରିୟତାକୁ ଫିତାରେ ମାପୁମାପୁ ଗଣ୍ଠି ପଡ଼ିଗଲା କି କ’ଣ ଶଙ୍ଖ ଚାରିଫାଳ ହୋଇଗଲା । ପପୁ ବାବୁ ଭାବିନଥିଲେ ହାରିଯିବେ ବୋଲି। ରେକର୍ଡ ନିଶାରେ ତଳେ କ’ଣ ସବୁ ଘଟିଲାଣି ଜାଣି ପାରିଲେଣି । ପାଣ୍ଡୁ ବାବୁ ହେଲିକପ୍ଟରରେ ଉଡ଼ୁଥିଲେ । ପପୁ ବାବୁ ଉଡ଼ୁଥିଲେ ସପ୍ନ ରାଇଜରେ । ହାରିଲେ ତ ହାରିଲେ, କେବେ ବି ଭାବିନଥିବେ ଯେ, ମୋହନ ହେଇଯିବେ ମୁଖ୍ୟମନ୍ତ୍ରୀ । ଯାହାଙ୍କ ଉପରେ ବୋମା ମାଡ଼ ହୋଇଥିଲା, ଥାନା ବାବୁ ଯାହାଙ୍କୁ କଡ଼ା କଥା ଶୁଣେଇଥିଲେ, ଯିଏ ନାନୀଙ୍କୁ ଡାଲି ଦେଖେଇଥିଲେ, ସିଏ ବନିଯିବେ ସିଏମ ! ଏହା ନିହାତି ବାଧିବା କଥା।

ଏବେ କିନ୍ତୁ ଆଉ ଏକ ବିଚିତ୍ର ଲଢେଇ ଆରମ୍ଭ ହୋଇଛି, ପପୁ ଓ ମୋହନଙ୍କ ଭିତରେ। ଏଠି ଦଳ ଗଲାଣି କୁଆଡକୁ । କିନ୍ତୁ ବ୍ୟକ୍ତିଙ୍କ ଉପରେ ଚାଲିଚି ସାମାଜିକ ଗଣମାଧ୍ଯମରେ ଲଢେଇ। ଶଙ୍ଖ କି ପଦ୍ମ ନାହାନ୍ତି ପିକଚରରେ, ଅଛନ୍ତି ନବୀନ-ପାଣ୍ଡୁ ଏବଂ ମୋହନ । ଆଳୁ ଦରକୁ ନେଇ ମୋହନ ସରକାରଙ୍କୁ ଘେରିବା ଲାଗି ଶଙ୍ଖ ନେତାଏ ଲାଗିପଡ଼ିଲେ । ଯୋଗାଣ ମନ୍ତ୍ରୀଙ୍କୁ ବାରକଥା ଶୁଣେଇଲେ । ଏଇଠୁ ଆରମ୍ଭ ହେଲା, ପଦ୍ମସେଲ୍‌ର ସାମାଜିକ ଆକ୍ରମଣ । ଆଳୁ ମିଶନ କଥା ମନେ ପକେଇ ଦେଇ ପପୁ ଓ ପାଣ୍ଡୁଙ୍କୁ ଆଳୁ ଦାନବ ବନେଇ ଦେଇଚି ପଦ୍ମସେଲ୍ । ଆଳୁ । ମୁହଁ କିନ୍ତୁ ପପୁ ଓ ପାଣ୍ଡୁଙ୍କର । ଲେଖା ଅଛି ଆଳୁ ଦାନବ ।

 

ଏହାକୁ ଶଙ୍ଖ ଦଳିଆ ସହିପାରିବେ କି ? ସେମାନେ ବି ମୋହନଙ୍କ କାର୍ଟୁନ ଛାଡ଼ିଚନ୍ତି ସାମାଜିକ ଗଣମାଧ୍ୟମରେ । ମୋହନଙ୍କୁ ରଙ୍ଗ ବଦଳଉଥିବା ଏଣ୍ଡୁଅ କରି ଦିଆଯାଇଚି । ପୁରା ବ୍ୟକ୍ତିଗତ ଲଢେଇରେ ମାତିଗଲେଣି ଦୁଇ ଦଳ । କିନ୍ତୁ ବୁଝି ହେଲାଣି ମୋହନ ରଙ୍ଗ ବଦଳାଇଥିବା ନେତା କିପରି ହେଲେ ? ଆଳୁ ଦାନବ ତ ବୁଝା ପଡୁଛି । କିନ୍ତୁ ଏଣ୍ଡୁଅ ଉପମା ଖାପ ଖାଉନାହିଁ ।

ଦୁଇ କାର୍ଟୁନ ଦେଖ‌ିବା ପରେ ଲାଗୁଚି ଆଗକୁ ଆହୁରି ଜମିବ ଲଢେଇ । ସରକାର ଯିବେ ପଛକୁ । ନେତା ଆସିବେ ଆଗକୁ। ଦେଖାଯାଇ ବାବୁ ମୋହନ ପୂର୍ବ ସରକାରଙ୍କୁ କେଳେଙ୍କାରୀକୁ ଆଉ କେତେ ଦିନ ଆଖି ବୁଝି ବସି ରହିବେ । କଅଁଳ ଲୁହାକୁ କାମୁଡ଼େ ବିଲେଇ । ମୋହନ ଭୁଲି ଯାଉଛନ୍ତି କେମିତି କେଜାଣି ?

Leave a Reply

Your email address will not be published. Required fields are marked *